Unknown

 

 

 

 

 

 

 

 

 

 

 

ବିଜୟାର ବିଜୟ

ଶ୍ରୀ ବଳରାମ ରଥ

 

ଶେଷ ଶ୍ରାବଣର ଏକ ଶୀତୁଆ ସକାଳ । ଝିପି ଝିପି ବର୍ଷା । ଫିକା ସୂର୍ଯ୍ୟ କିରଣ ।

 

ଚଳନ୍ତ ସିକ୍‍ସଅପ୍‌ର ଛୋଟ ଗୋଟିଏ ସେକେଣ୍ତ କ୍ଲାସ୍‍ କମ୍ପାର୍ଟମେଣ୍ଟ । ତା’ରି ଭିତରେ ଗୋଟିଏ ବାର୍ଥର ଏକ ପ୍ରାନ୍ତରେ ପାଖ ଖିଡ଼ିକି ଖୋଲି ବସି ରହିଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଆନମନା, ଅସହାୟ, ଉଦାସ ଚାହାଣୀ ସମ୍ମୁଖର ବନବିଲ ଅତିକ୍ରମି ଲମ୍ଵି ଯାଇଚି ଦିକ୍ ଚକ୍ରବାଳ ଆଡ଼କୁ । ଅଯତ୍ନ ବିନ୍ୟସ୍ତ ଅଳକାଗୁଚ୍ଛ ଉପରେ ଝରି ପଡ଼ୁଚି ବର୍ଷା ବାରି ବିନ୍ଦୁ । ସାରା ଦେହରେ ଥାଇ ଥାଇ ଫୁଟି ଉଠୁଚି ଏକ ତ୍ରସ୍ତ ଚାଞ୍ଚଲ୍ୟ ।

 

ଏ ପାଖ ବାର୍ଥର ଗୋଟିଏ କୋଣକୁ ତକିଆରେ ଆଉଜି ବସି ବୃଦ୍ଧ ଉମାଶଙ୍କରବାବୁ କେତେ କ’ଣ ପଚାରିଲା ଆଖିରେ ଚାହିଁ ରହିଛନ୍ତି ସୁନ୍ଦରୀ ସେଇ ଯୁବତୀ ଆଡ଼କୁ । ତାଙ୍କର ବିଗତ ଜୀବନର ବିରାଟ ଅଭିଜ୍ଞତା ବ୍ୟସ୍ତ ହୋଇ ଉଠୁଚି ଅପରିଚିତା ଏଇ ତରୁଣୀଟି ଉପରେ କତେ କ’ଣ ଟିପ୍‍ଣୀ କାଟିବାକୁ ।

 

ଭଦ୍ରକ ଷ୍ଟେସନ । ଥାଡ଼ବେଲ ବାଜିଲା । ଗାର୍ଡ୍‍ ହାତରେ ସବୁଜ ପତକା ଗାଡ଼ି ଛାଡ଼ିବାର ସଙ୍କେତ ଦେଲା । ସିଟି ବାଜିଲା । ପ୍ଲାଟଫର୍ମର ଯାନ୍ତ୍ରୀ–ଜନତା ଚଞ୍ଚଳ ହୋଇ ଉଠିଲା । ଠିକ ଏତିକିବେଳେ ଫାଟକ ଦେଇ ପ୍ଲାଟଫର୍ମ ଭିତରକୁ ପଶିଆସିଲେ ଏଇ ତରୁଣୀ । ବ୍ୟଗ୍ର ଗତି । ଭୟ ମିଶ୍ରିତ ଚଞ୍ଚଳ ଚାହାଣୀ । ଅସହାୟ ଭାବ । ଅଥଚ ସବୁ ଭିତରେ ସ୍ପଷ୍ଟ ହୋଇ ଫୁଟି ଉଠୁଥିଲା ଏକ ଅଟଳ ଦୃଢ଼ତା । ବ୍ୟସ୍ତ ଚଞ୍ଚଳ ଜନତା ଭିତରେ ଛିଡ଼ା ହୋଇ ନିମିଷକ ଲାଗି ଅତି ସତର୍କ ଚାହାଣିରେ ଚାହିଁ ଦେଖିଲେ ଥରେ ଚାରିଆଡ଼କୁ । ତା’ପରେ ସାମ୍ନାର ଏଇ କମ୍ପାଟମେଣ୍ଟଟାର ରେଲିଂଧରି ଉଠି ଆସିଲେ ଉପରକୁ । ସେତେବେଳକୁ ଗାଡ଼ି ଚାଲିବାକୁ ଆରମ୍ଭ କରିଥିଲା…. ।

 

ସାଥି ସ୍ଵଜନ ହୀନ କିଏ ଏଇ ତରୁଣୀ…. ?

 

“ଟିକେଟ ପ୍ଲିଜ୍ ।”

 

ଚମକି ଫେରି ଚାହିଁଲେ ଯୁବତୀ । ମୁଣ୍ତ ଉପରୁ ଅବିନ୍ୟସ୍ତ ଚୂର୍ଣ୍ଣକୁନ୍ତଳ କେତୋଟି ଝୁଲି ପଡ଼ିଲା ମୁହିଁ ଉପରକୁ । ଉଦାସ ଚାହାଣୀ ଭିତରେ ପ୍ରଥମ ଥର ଛୋଟ ଏକ ଆଶଙ୍କା ରୂପ ପାଇଲା-

 

“ନାହିଁ”

 

ଅଳ୍ପ ଅଥଚ ସ୍ପଷ୍ଟ ଉତ୍ତର ଦେଇ ଚୁପ୍‍ ରହିଲେ ତରୁଣୀ । ଟୋକା ଟି.ଟି ଆଇ ମୁହଁରେ ଏକ ଦୁଷ୍ଟାମି ହସ ଖେଳାଇ ପଚାରିଲେ—

 

“ଅର୍ଥାତ”…… ?

 

“ଅର୍ଥାତ ଟିକେଟ କରିନି ମୁଁ ।”

 

ଟି. ଟି. ଆଇ, ବୁଝିଲା ଏମିତି ଉତ୍ତର ପରେ ଆଉ ପ୍ରଶ୍ନ ଉଠି ପାରେନି । କିନ୍ତୁ ମୁଣ୍ତ ଉପରେ ତା’ର ନୂଆ ଚାକିରୀର କର୍ତ୍ତବ୍ୟ ।

 

ବଡ଼ ଦୁଃଖିତ ମୁଁ । କିନ୍ତୁ ଏଥିପାଇଁ ଆପଣଙ୍କୁ ଆଗ ଷ୍ଟେସନରେ ଓହ୍ଲାଇ ଯିବାକୁ ପଡ଼ିବ ମୋ ସହିତ । କମ୍ପାନି ଆପଣଙ୍କ ପରି କେତେଜଣ ଛନ୍ଦ…… ।

 

“ଚୁପ୍‍ ।”

 

ତରୁଣୀଙ୍କଠାରୁ ନୁହେଁ । ବୃଦ୍ଧ ଉମାଶଙ୍କରଙ୍କ ମୁହଁରୁ ରିଭଲ୍‍ଭରର ବୁଲେଟ ଭଳି ଆବାଜ ଶୁଣି ଚମକି ପଡ଼ିଲା ଟି.ଟି.ଆଇ. ।

 

ଉମାଶଙ୍କର ପ୍ରଥମରୁ ଲକ୍ଷ୍ୟ କରୁଥିଲେ ଏଇ ଚଞ୍ଚଳ ଟି.ଟି.ଆଇ.ଟିର ବ୍ୟବହାର । ଆଖି କୋଣରୁ ତା’ର ପ୍ରଚ୍ଛନ ଭାଷା ବୁଝିବା ଭଳି ଯଥେଷ୍ଟ ଜ୍ଞାନଥିଲା ତାଙ୍କର । ତରୁଣୀଙ୍କ ସହିତ କଥାବାର୍ତ୍ତା କଲାବେଳୁ କର୍ମଚାରୀଟିର ଗରମ ସ୍ଵରରେ ଉତ୍ତେଜିତ ହୋଇ ପଡ଼ିଥିଲେ ସେ । ଠିକ୍ ଯେତେବେଳେ ଭଦ୍ରାମିଠୁ ଦୂରକୁ ଚାଲିଯିବାକୁ ବସିଥିଲା ଟି.ଟି.ଆଇ ସେତେବେଳେ ବୃଦ୍ଧଙ୍କର ବୁଲେଟ ଭଳି ଆବାଜରେ ଚମକି ଚାହିଁବାକୁ ବାଧ୍ୟ ହେଲେ ତାଙ୍କ ଆଡ଼କୁ ।

 

ସେତେବେଳକୁ ଉମାଶଙ୍କରବାବୁ କେତେଖଣ୍ତ ନୋଟ ବାହାର କରି ସାରିଥିଲେ ପକେଟରୁ । ସେଗୁଡ଼ା ଟି.ଟି.ଆଇ ହାତକୁ ବଢ଼ାଇ ଦେଇ କହିଲେ—

 

“ପୁରୀ ପର୍ଯ୍ୟନ୍ତ ତାଙ୍କର ଭଡ଼ା ରଖି ରସିଦ ଦେଇ ଦିଅନ୍ତୁ । ଜନସାଧାରଣଙ୍କର ସେବକ ହିସାବରେ, ସେମାନଙ୍କ ପ୍ରତି, ବିଶେଷତଃ ମହିଳାମାନଙ୍କ ପ୍ରତି ଭଦ୍ର ବ୍ୟବହାର କରି ଶିଖନ୍ତୁ ।”

 

ଚୁପ୍‍ ଚାପ୍ ରସିଦ କାଟି, ବାକି ପଇସା ଫେରାଇ ଦେଇ ଟି.ଟି.ଆଇ ବିଚରା ତଳକୁ ଓହ୍ଲେଇ ଯାଇ ନିଶ୍ଵାସ ମାରିଲା । ଉମାଶଙ୍କର ମୁହଁ ହାତ ଧୋଇବାକୁ ଉଠିଗଲେ ।

 

ଜାଣିଶୁଣିୁ ଏତେବେଳ ଯାଏ ଯୁବତୀ ଏଇ ବୃଦ୍ଧଙ୍କଆଡ଼କୁ ଚାହିଁ ନ ଥିଲେ । ବା ତାଙ୍କ ସହିତ ଆଳାପ ଜମେଇବାର ଚେଷ୍ଟା କରି ନ ଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ମନେ ହେଲା ୟା’ ଦ୍ଵାରା ସେ ଯେମିତ ଏକ ମସ୍ତବଡ଼ ଭୁଲ୍ କରି ପକେଇଛନ୍ତି । ସେ ପୁଣି ଖିଡ଼ିକି ଦେଇ ବାହାରକୁ ଚାହିଁଲେ ।

 

ବର୍ଷା ଥମି ଗଲାଣି କେତେବେଳୁ । ଆକାଶରୁ ପାଉଁଶିଆ ବାଦଲ ଅପସରି ଯାଇଛି । ଫିକା ସୂର୍ଯ୍ୟ କିରଣ ତୋଫା ହୋଇ ଉଠୁଛି ।

 

ଲାଇନ କଡ଼ ଗଛପତ୍ର ଦେହରୁ ଝିରିଝିରି ହୋଇ ଝରି ପଡ଼ୁଛି ବର୍ଷା ପାଣି । ଦିଗନ୍ତ ବିସ୍ତୃତ ଧାନ କ୍ଷେତ ଉପରେ ଧୀର ପବନ ଲହଡ଼ି ଭାଙ୍ଗୁଛି ।

 

ବାହାରକୁ ଚାହିଁ ତରୁଣୀ ଭାବୁଥିଲେ କ’ଣ କହି କଥା ଆରମ୍ଭ କରିବେ । ତାଙ୍କର ସାହା ଭରସାହୀନ ଚଲାପଥରେ ମଙ୍ଗଳମୟଙ୍କ ଆଶିର୍ବାଦ ପ୍ରଥମଥର ପାଇଁ ରୂପ ପାଇଲା ଯାହାଠାରେ, କ’ଣ କହି ଜଣାଇବେ ତାକୁ ତାଙ୍କର ଅନ୍ତରର କୃତଜ୍ଞତା । ଲୌକିକ କୃତଜ୍ଞତା ଜଣାଇ ବା ଟିକେଟର ଦାମ୍ ପରେ ଫେରାଇ ଦେବାର ପ୍ରତିଶୃତି ଦେଇ ବିଧାତାର ମହାନ ଆର୍ଶିବାଦର ଶୁଭ ସଙ୍କେତକୁ ଛୋଟ କରି ପକାଇବାକୁ ଅନ୍ତର ତାଙ୍କର ଚାହୁଁ ନ ଥିଲା ।

 

ଫେରି ଚାହିଁଲେ ତରୁଣୀ । ପୂର୍ବପରି ତକିଆକୁ ଆଉଜି ବସିଛନ୍ତି ବୃଦ୍ଧ ଉମାଶଙ୍କର । ଧୀର, ସ୍ଥିର, ଅଚଞ୍ଚଳ । ପ୍ରସାରିତ ସମ୍ଵାଦପତ୍ରଟାର ପଛ ପଟେ ଲୁଚି ରହିଚି ତାଙ୍କର ଶାନ୍ତି ଗମ୍ଭୀର ମୁଖ ମଣ୍ତଳ । ବେଳେ ବେଳେ ଦିଶି ଯାଉଚି ଅବିନ୍ୟସ୍ତ ଶୁକ୍ଳ କେଶଗୁଚ୍ଛ, ଫୁରୁ ଫୁରୁ ହୋଇ ଉଡ଼ୁଚିତ ପବନରେ ।

 

ତରୁଣୀଙ୍କର ଉଦାସ ଆଖିରେ ଫୁଟି ଉଠିଲା ଅବ୍ୟକ୍ତ କୃତଜ୍ଞତା । ମୁହଁ ଖୋଲିଲେ ସେ । କହିବେ । କିନ୍ତୁ କ’ଣ… ? କେମିତି ଆରମ୍ଭ କରିବେ ? ସାହସ ପୁଣି ଥମି ଗଲା । ଛୋଟ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ମୁହଁ ଫେରାଇ ନେଲେ ପୁଣି ଖିଡ଼ିକି ଆଡ଼କୁ ।

 

ଟ୍ରେନ୍ ଜେନାପୁର ଧରିଲା । ଷ୍ଟେସନ ଲାଇନ୍ ଉପରେ ପଙ୍ଗୁଡ଼ବାଗୁଡ଼ାକୁ ଠିଆ କରିଦେଇ ବିରାଟକାୟ ଇଞ୍ଜିନ୍‌ଟା ଚାଲିଗଲା ପାଣି ପିଇବାକୁ । ଜନତାର କୋଳାହଳରେ ଅଳ୍ପସମୟ ପାଇଁ ମୁଖର ହୋଇ ଉଠିଲା ସାରା ପ୍ଲାଟଫର୍ମ ।

 

କେତେ ଦେଶି—କେତେ ଜାତି—କେତେ ଭାଷି, ଜନତାର କୋଳାହଳ ଓ ବିକାଳିମାନଙ୍କର ଅସଂଲଗ୍ନ ବିକଟ ଚିତ୍କାର ଭିତରେ ଅତିଷ୍ଠ ହୋଇ ଉଠୁଥିଲେ ଉମାଶଙ୍କର । ଚାକରଟି ଆସି ଛିଡ଼ାହେଲା ଆଦେଶ ଅପେକ୍ଷାରେ । ତା’ ହାତକୁ ଦି’ଟା ଟଙ୍କା ବଢ଼ାଇ ଦେଇ ଆଦେଶ ଦେଲେ ସେ କିଛି ପୁରି, ମିଠା ଓ ଚା ଆଣିବାକୁ ।

 

ଅଳ୍ପସମୟ ପରେ ଚିନାମାଟିର ଗୋଟାଏ ପ୍ଲେଟରେ ଜଳଖିଆ ଓ ଫ୍ଲାଷ୍କରେ ଚା’ ନେଇ ଚାକର ଫେରି ଆସିଲା ।

 

“ମା ବିଜୟା ।’’

 

ଅତି ଅତର୍କିତରେ ପଛଆଡ଼ୁ ଇଲେକ୍‌ଟ୍ରିକ୍ ସକ୍‍ ଲାଗିଲା ଯେମିତି, ଚମକି ଫେରି ଚାହିଁଲେ ତରୁଣୀ । ଉମାଶଙ୍କର ଚାହିଁ ରହିଥିଲେ ତା’ରି ଆଡ଼କୁ ।

 

“ଏଇଠିକୁ ଆସ ।’’

 

ଡାକିଲେ ଉମାଶଙ୍କର । ତାଙ୍କର କଣ୍ଠସ୍ଵରରେ ନ ଥିଲା ଅନୁରୋଧର ଆବେଗ । ଥିଲା ନି ଆଦେଶର ଗୁରୁ ଗାମ୍ଭୀର୍ଯ୍ୟ । ତଥାପି ସେ ଡାକ ଏଡ଼ାଇ ଦେବାକୁ ସାହାସ ହେଲାନି ବିଜୟାର । ମନ୍ତ୍ରମୁଗ୍ଧ ଭଳି ଉଠି ଆସିଲା ସେ । ଲମ୍ଵା ବାର୍ଥଟା ଉପରେ ଉମାଶଙ୍କରଙ୍କ ଠାରୁ ଯଥା ସମ୍ଭବ ଦୂରତ୍ଵ ବଜାୟ ରଖି ବସି ରହିଲା ଅତି ସଙ୍କୁଚିତ ହୋଇ ।

 

“ଖାଇ ଦିଅ ଏତକ ।’’

 

ମଝିରେ ଥୁଆ ହୋଇଥିବା ଜଳଖିଆ ପ୍ଲେଟଟାକୁ ଉଦ୍ଦେଶ୍ୟ କରି କହିଲେ—ଉମାଶଙ୍କର ।

 

କ’ଣ କହିବାକୁ ବିଜୟା ମୁହଁ ଖୋଲାଥିଲା । ତାକୁ କିଛି କହିବାକୁ ଅବସର ନ ଦେଇ ଉମାଶଙ୍କର କହି ଚାଲିଲେ—“କିଛି କୈଫତ ଚାହୁଁନି ମୁଁ ତମଠୁଁ ।’’

 

ଭଦ୍ରକ ଷ୍ଟେସନରେ ପ୍ଲାଟଫର୍ମ ଭିତରକୁ ଯେତେବେଳେ ତୁମେ ପଶି ଆସିଲ, ସେତେବେଳ ଠାରୁ ଏ ପର୍ଯ୍ୟନ୍ତ ମୁଁ ତୁମକୁ ଦେଖୁଚି । ତୁମ କଥା ଭାବୁଚି । ମୋତେ ବୁଝିବାକୁ ବାକି ନାହିଁ କିଭଳି ଏକ ପରିସ୍ଥିତି ବାଧ୍ୟ କରିଛି ତୁମକୁ ଏକ ସୀମାହୀନ ଅନିର୍ଦ୍ଦିଷ୍ଟ ପଥରେ ଗୋଡ଼ ବଢ଼ାଇବା ପାଇଁ… ।’’

 

ପୁଣି ଥରେ ଚମକି ଉଠିଲା ବିଜୟା । ନିମିଷକ ଲାଗି ମୁହଁ ଟେକି ଚାହିଁଲା ଉମାଶଙ୍କରଙ୍କ ମୁହଁକୁ । ପ୍ରଶାନ୍ତ ଗମ୍ଭୀର ମୁଖ ମଣ୍ଡଳ । ଆଖିରେ ଦୂର ଦର୍ଶନର ଦୀପ୍ତ । ମୁହଁ ତଳକୁ କଲା ସେ । ଉମାଶଙ୍କର ଅଳ୍ପ ହସି କହି ଚାଲିଲେ— ।

 

“ଡରିବାର କିଛି ନାହିଁ ।’’ ବିଜୟାର ଚମକ ଏଡ଼ାଇ ପାରି ନ ଥିଲା ତାଙ୍କର ଦୃଷ୍ଟି । ମୋର ବହୁଦିନର ଅଭିଜ୍ଞତା ଯେତେବେଳେ ମୋତେ ଜୋର କରୁଥିଲା ତୁମକୁ ସନ୍ଦେହ କରିବାକୁ, ଯେତେବେଳେ ମୁଁ ତୁମର ଅସହାୟ ପରିସ୍ଥିତି ଭିତରୁ ଖୋଜି ବାହାର କରିବାକୁ ଚାହୁଁଥିଲି କାହିଁକି ତୁମେ ସାଥି ସ୍ଵଜନହୀନ, ଅପରିଚିତ ବିପଦ ସଙ୍କୁଳ ଏକ ରାସ୍ତା ଉପରକୁ ଉଠି ଆସିଚ, ଠିକ୍‍ ସେତିକିବେଳେ ସବୁ ସନ୍ଦେହ ସବୁ ଅବିଶ୍ୱାସକୁ ଚାପି ରଖି ଆଖି ଆଗରେ ମୋର ନାଚି ଉଠିଲା ଠିକ୍‍ ତୁମରି ରୂପ ରେଖାର ଆଉ ଗୋଟିଏ ସଦା–ହାସ୍ୟମୟୀ ଲାବଣ୍ୟ ପ୍ରତିମାର ଛବି । ଲେଖା ! ମା’ ମୋର ଚାଲି ଯାଇଛି । ମାତୃହରା ଅସହାୟ ଶିଶୁ ଭଳି କେତେ ଖୋଜିଚି ତାକୁ ଗତ ଦି’ ବର୍ଷ ଧରି । କେତେ କାନ୍ଦିଚି । କେତେ ମୁଣ୍ଡ ପିଟିଛି । କିନ୍ତୁ ସେ ଫେରିନାହିଁ….. ।’’

 

ବୃଦ୍ଧଙ୍କ କଣ୍ଠ ରୋଧ ହୋଇ ଆସୁଥିଲା । ଦିପ୍ତୀମୟ ଆଖି ଯୋଡ଼ିକ ବାଷ୍ମାକୁଳ ହୋଇ ଉଠୁଥିଲା । ଏକ ସର୍ବହରା ବ୍ୟାକୁଳତା ଭିତରେ ହଜି ଯାଉଥିଲା ତାଙ୍କର ସ୍ଵଭାବ ସୁଲଭ ଗାମ୍ଭୀର୍ଯ୍ୟ, ବିଜୟାର ଗଣ୍ତ ବାହି ଝରି ପଡ଼ୁଥିଲା ଦୁଇଧାର ଲୁହ ।

 

“କି ଏକ ଶୁଭକ୍ଷଣରେ ଶ୍ରୀକ୍ଷେତ୍ର ଉଦ୍ଦ୍ୟେରେ ଗୋଡ଼ ବଢ଼ାଇଥିଲି ମୁଁ, ପ୍ରଭୁ ନିଳାଚଳ ନାଥ ଆଜି ମୋତେ ଫେରାଇ ଦେଇଛନ୍ତି ମୋର ମା’କୁ ।’’

 

ଭାବ ଗଦ ଗଦ, ଅଶ୍ରୁରୁଦ୍ଧ କଣ୍ଠରେ ଏତିକ କହି, ଦୁଇ ହାତ ଯୋଡ଼ି କପାଳ ଉପରକୁ ଉଠାଇଲେ ଉମାଶଙ୍କର । ତା’ପରେ ବିଜୟାର ଅଯତ୍ନ ବିନ୍ୟସ୍ତ ଚୂର୍ଣ୍ଣକୁନ୍ତଳଗୁଡ଼ିକୁ ସଜାଡ଼ି ଦେଉଁ ଦେଉଁ କହିଲେ—“ଚାଲି ଯିବୁନି ତ ମା’ ଆଉଥରେ ଏ ବୁଢ଼ାପୁଅକୁ ଛାଡ଼ି ।’’

 

ଛୋଟ ପିଲାଙ୍କ ଭଳି ଭାବ ପ୍ରବଣ ହୋଇ ଉଠୁଥିଲେ ସେ । ଭାବ ପ୍ରବଣ ତା ଭିତରେ ହଜି ଯାଇଥିଲା ତାଙ୍କର ସ୍ଵଭାବ ସୁଲଭ ଗାମ୍ଭୀର୍ଯ୍ୟ ।

 

ବିଜୟାର ଧୈର୍ଯ୍ୟ ନ ଥିଲା ସେତେବେଳକୁ । କ’ଣ କହିବାକୁ ଯାଇ କଇଁ କଇଁ ହୋଇ କାନ୍ଦି ଉଠିଲା ସେ । ଉମାଶଙ୍କର ତାକୁ କୋଳକୁ ଆଉଜାଇ ନେଇ ପିଠିରେ ତା’ର ହାତ ବୁଲାଉ ବୁଲାଉ କହିଲେ—

 

“ଛି ମା ! ତୁ ପୁଣି କାହିଁକି କାନ୍ଦୁଛୁ । ମୁଁ ଚାହେଁନା ଅଧିକ କିଛି ଜାଣିବାକୁ । ତୁ ମୋର ମା-। ମୁଁ ତୋର ବୁଢ଼ାପୁଅ । ଏତିକି ମୋ ପକ୍ଷରେ ଯଥେଷ୍ଟ ।’’

 

ଅନେକ କ୍ଷଣ ପରେ ବିଜୟା ଶାନ୍ତି ହେଲା । ଖାଇ ବସିଲା । ଉମାଶଙ୍କର ଶାନ୍ତିର ନିଶ୍ଵାସ ମାରିଲେ ।

 

ମହାନଦୀ ପୋଲ ଉପରେ ପଡ଼ି ଟ୍ରେନଟିର ଗତି ମନ୍ଦ ହୋଇ ଯାଇଥିଲା । ବାଷ୍ପିୟ ଯାନଟାର ଅତି ବିକଟ ଚିତ୍କାର ଭିତରେ ଲୀନ ହୋଇ ଯାଇଥିଲା ପାଖ କମ୍ପାର୍ଟମେଣ୍ଟରୁ ଭାସି ଆସୁଥିବା ଅନ୍ଧ ଭିକ୍ଷୁକର ଜଗନ୍ନାଥ ଜଣାଣ ।

 

ଅଥଳ ଅକୂଳ ବଙ୍ଗୋପ ସାଗର…ଆଉ ତା’ରି ଗୋଟିଏ କୂଳରେ ପୁରୀ । ଅଗଣିତ ଯାତ୍ରୀଙ୍କର ଭିଡ଼ ସବୁଦିନେ ଏଇ ପୁରୀରେ, କେବଳ ନୀଳାଚଳନାଥଙ୍କ ପାଇଁ ନୁହେଁ ସମୁଦ୍ରର ଉଦବେଳିତ ଆଉ ମହାନ୍ ରୂପ ବି ଏକ ଆକର୍ଷକ, ଚୁମ୍ଵକ ପାଖକୁ ଲୁହାଟାଣି ହୋଇ ଆସିବା ପରି ବହୁଯାତ୍ରୀ ଆସନ୍ତି ଏଇ ପୁରୀଧାମକୁ, ଜଗନ୍ନାଥ ଦର୍ଶନ କରିବା ସଙ୍ଗେ ସଙ୍ଗେ, ସମୁଦ୍ରର ମହାନ୍ ରୂପ ଦେଖି, ସମୁଦ୍ରରେ ଆବଗ୍ରାହି ନିଜକୁ ସାର୍ଥକ କରିବାକୁ ।

ସେଇ ସମୁଦ୍ର କୂଳରେ ସୂର୍ଯ୍ୟୋଦୟର କିଛି ପୂର୍ବରୁ….. । ବେଳା ମୁଖରିତ ହୋଇ ଉଠିଚି ନାନା ଜାତି ଲୋକଙ୍କର ଗୁଞ୍ଜନରେ । ସମୁଦ୍ର ସହିତ ଲଢ଼େଇ କରି ଯେଉଁମାନେ ଜୀବିକା ଅର୍ଜନ କରନ୍ତି, ଡଙ୍ଗାନେଇ ସମୁଦ୍ର ଭିତରକୁ ଯିବାପାଇଁ ଉତ୍ତାଳ ତରଙ୍ଗମାଳା ସହିତ ସେମାନଙ୍କର ଚାଲିଛି କସରତ୍ ।

ବେଳାର ଅଳ୍ପ ଦୂରରେ ସୁରମ୍ୟ ଏକ ଦୁଇମହଲା କୋଠାର ଗୋଟିଏ ଛୋଟ ପ୍ରକୋଷ୍ଠର ଝରକା ଖୋଲିଦେଇ ବିଜୟା ଜଗି ରହିଚି ସୂର୍ଯ୍ୟୋଦୟ ଦେଖିବାକୁ । ମଝିରେ ମଝିରେ ସେ ଦୃଷ୍ଟି ବୁଲେଇ ନେଉଚି ବେଳା ଭୂମିର ଜନ ସମୁଦ୍ର ଉପରେ । ପୁଣି ସମୁଦ୍ରକୁ ଅତିକ୍ରମି ଦୃଷ୍ଟି ତା’ରି ଭାଷି ଯାଉଚି ଚକ୍ରବାଳର ନିକଟକୁ, ଯେଉଁଠି ରକ୍ତ ଗୋଲକଟିଏ ଆକାଶ ଉପରକୁ ଉଠି ଆସିବାର ଆୟୋଜନ ଚାଲିଚି । କୋଠାଟିକୁ ଘେରି ରହିଥିବା ବଗିଚା ଭିତରୁ ଫୁଟନ୍ତି ଦେଶୀ ଆଉ ବିଲାତି ଫୁଲର ମିଠା ଗନ୍ଧରେ ଭରି ଉଠିଚି ସେଇ ଛୋଟ କୋଠରଟି ।

ଦୂରରୁ….. ଖୁବ୍ ଦୂରରୁ ଗୋଟିଏ ବଂଶୀର ଶ୍ରୁତି ମଧୁର ସ୍ଵର ଲହରୀତ ହେଇ ଭାଷି ଆସୁଚି । ତଳେ ରାସ୍ତା ଉପର ଦେଇ ଖଣ୍ତେ ରିକ୍ସା ବି ଆଗେଇଚି ଏଇ ଥଣ୍ତାରେ, ଆଉ ରିକ୍ସା ବାଲା ଗାଉଚି…

 

“ଅରମାନୋ କି ଗୁଲ୍ସନ ଉଜଡ଼ ଗୟା,

 

ବର୍‍ବାଦ ଜମାନୀ ହୋ ଗଇ…”

 

ମାମୁଲି ସିନେମା ଗୀତ ପଦେ । କିନ୍ତୁ ବିଜୟାର ମନେ ହେଲା ସତେ ଯେମିତି ଏଇ ଗୀତ ପଦକ ସହିତ ତା’ ଜୀବନର ଅସମ୍ଭବ ରକମରି ମେଳ ରହିଚି । ଆଖି ଆଗରେ ଫୁଟି ଉଠିଲା ତାର—

 

ଗୋଟିଏ ନାତି ଶୀତୋଷ୍ଣ ଗୋଧୁଳି । ଅସ୍ତରାଗ ରଞ୍ଜିତ ଆକାଶ, ଆଉ ତା’ରି ତଳେ ଗୋଟିଏ ସରଳ ପଲ୍ଲୀ । ସେଇ ପଲ୍ଲୀର ଗୋଟିଏ ବକ୍ରପଥ ଦେଇ, ନିଜର ବେଡ଼ିଂ ଆଉ ସୁଟ୍‍-କେଶ ନେଇ ଆଗେଇଚି ବିଜୟା । ଅନେକ ଦିନ ପରେ ବି.ଏସ୍.ସି ପରୀକ୍ଷା ଦେଇ ଆଜି ସିଏ ଫେରି ଆସୁଚି ଗାଁକୁ । ମନରେ ଆଶା, ଆନନ୍ଦ, ଉଦ୍‌ବେଗ । ଅନେକ ଦିନ ପରେ ନିଜର ଛୋଟ ପରିବାର, ଆଉ ଛୋଟ ଘରଟି ଦେଖିବା ଆଶାରେ ମଣିଷ ଯେମିତି ହୁଏ । ସଂଧ୍ୟା ସଙ୍ଗେ ସଙ୍ଗେ ଗାଁ ବି ପାଖେଇ ଆସୁଚି । ଛାତି ତା’ର ଉଠୁଚି ପଡ଼ୁଛି ଏକ ଅନିର୍ବାଚନୀୟ ଆବେଗରେ । ଏକ ଅସ୍ପଷ୍ଟ ସୁର ଗୁଞ୍ଜରିତ ହେଇ ଉଠିଚି ତା ମୁହଁରେ… ।

 

ଗାଁ ଦାଣ୍ତ ନିକଟରେ, ସଧ୍ୟା ନଇଁ ଆସିଚି । ଆକାଶରେ ଉଠିଚି ଗୋଟିଏ ଛୋଟ ଆଉ ବଙ୍କା ଜହ୍ନ । ତା’ରି ସ୍ଵଳ୍ପାଲୋକରେ ଗାଁଟା ଜଣା ପଡ଼ୁଚି । ନିର୍ଜନ, ନିଶୂନ, ନିର୍ଜୀବ । କାହାରି କାହାରି ଘର ଭିତରୁ କଥାବାର୍ତ୍ତାର ଅଳ୍ପ ଆଭାଷ ଆସୁଚି ।

 

ଗାଁ ଟାରୁ ଶିରୀ ଛାଡ଼ି ଗଲାଣି ନା କ’ଣ ? ଗାଁ ଦାଣ୍ତରେ ଚାଲୁ ଚାଲୁ ବିଜୟା ମନେ ମନେ ପଚାରି ହେଲା ।

 

ଘର ନିକଟ ହୋଇ ଆସୁଚି ଆଉ ସବୁ ଭାବନା ଦୂରେଇ ଯାଉଚି ମନରୁ । ବିଜୟା ଖାଲି ଭାବୁଚି ଘରର ଖବର ସେ ଅନେକଦିନ ହେଲା ପାଇନି କାହିଁକି ? ହୁଏତ ପଢ଼ା ପଢ଼ିରେ ତା’ର ବାଧା ଆସିବ ବୋଲି ବାପା ନିଜେ ଲେଖି ନାହାନ୍ତି ଏବଂ ବୋଉ ଓ ଅପାକୁ ମଧ୍ୟ ଲେଖିବାକୁ ମନା କରିଥିବେ । ବିଶେଷତଃ ବି.ଏସ୍.ସି. ପରୀକ୍ଷା । ସେ ପୁଣି ସପ୍ଲିମେଣ୍ଟାରୀ ।

 

ନିଜଘର ଆଗରେ ଆସି ଥମକି ଠିଆ ହେଲା ସେ । କିନ୍ତୁ ଏ କ’ଣ ? ଘର ତ ନାହିଁ ! ଠିଆ ହେଇଚି କେଇଟା ଦରପୋଡ଼ା ଭଙ୍ଗା କାନ୍ଥ । ବିରାଟ ଗୋଟାଏ ପାଉଁଶର କୁଢ଼ । ପବନରେ ପାଉଁଶ ସବୁ ଇଆଡ଼େ ସିଆଡ଼େ ଉଡ଼ି ବୁଲୁଚି ଆଉ ବିଦ୍ରୂପ କରି କହୁଚି ଯେମିତି ତାକୁ—ସାହସ ପାଉଚି ବିଜୟା ! ପାଉଁଶ କୁଢ଼ ଭିତରୁ ପୂର୍ବର ଘର ଆବିଷ୍କାର କରିବାକୁ ?

 

ବିସ୍ମୟ ବିମୁଢ଼ ହୋଇ ବିଜୟା ଠିଆହୋଇ ରହିଲା ସେଇଠି, ସେଇମିତି । ମନରେ ତା’ର ଅସରନ୍ତି ଭାବନା । ଘରଟା ଜଳି ଯାଇଚି ତା’ ହେଲେ ! ଗାଁରେ କେହି କ’ଣ ନ ଥିଲେ ନିଆଁରୁ ରଖି ପାରିବାକୁ ଏଇ ନିଃସ୍ଵ ଘରଟିକୁ । କିନ୍ତୁ ବାପ,ବୋଉ, ଆଉ ଅପା… । କୁଆଡ଼େ ଗଲେ ସେମାନେ ?

 

ଏପାଖ ପଡ଼ିଶା ଘର ଦରଜାଟି ଖୋଲିଗଲା, ଆଉ ତା’ରି ଭିତରୁ ଦେଖାଗଲା ଜଣକର ମୁହଁ ।

 

“କିଏ ?’’

 

ପ୍ରଶ୍ନ ଆସିଲା ସେଇ ଝରକା ନିକଟରୁ ।

 

ବିଜୟା କିନ୍ତୁ ସେଇମିତି ଠିଆହୋଇ ରହିଲା । ପବନର ହିଲ୍ଲୋଳରେ ମୁଣ୍ତର ବାଳ ତା’ର ଉଡ଼ୁଥିଲା ଫର ଫର ହୋଇ । ହାତରେ ସୁଟକେଶ ଆଉ କାନ୍ଧରେ ବେଡ଼ିଂ ସେଇମତି ଅଛି । ଅସ୍ତାୟମାନ ଚନ୍ଦ୍ର କିରଣ ଭିତରେ ତା’ର ଅଷ୍ପଷ୍ଟ ଛାଇଟା ଲମ୍ଵି ଯାଇଚି ଦୂରକୁ ।

 

“କିଏ, ବିଜୟା’’ ?

 

ଅତି ନିକଟର ପ୍ରଶ୍ନ ଶୁଣି ମୁହଁ ବୁଲେଇଲା ବିଜୟା । ନିକଟରେ ଠିଆ ହୋଇଚନ୍ତି ସେଇ ପଡ଼ିଶା । ଦୂର ସମ୍ପର୍କରେ ଦାଦି ।

 

“ଆ’ ମା, ସେଠିଟାରେ ଠିଆ ହୋଇ ଆଉ କ’ଣ ଅଛି ! ଆ, ଘରକୁ ଆ ।’’

 

ବିଜୟା ତାଙ୍କ ପଛେ ପଛେ ଗଲା ତାଙ୍କର । ଏବଂ ଜିଦ୍ ଧରି ବସିଲା ସେ ସବୁକଥା ଆଗ ଶୁଣିବ ।

 

ବୁଢ଼ା ଦାଦିଙ୍କ ଆଖିରୁ ଉଛୁଳି ପଡ଼ିଲା ଦି’ ବୁନ୍ଦା ଲୁହ ।

 

“ଯା ମା’ ଖାଇନେ ଆଗ । କେତେ ବାଟରୁ ଆସିଚୁ ତୁ । ସବୁ କହିବି ତୋତେ । କିଛି ଲୁଚେଇ ବି ନାଇଁ ।’’

 

ଦାଦିଙ୍କର ଏ କଥା ଉପରେ ଆଉ କିଛି ନ କହି ବିଜୟା ଉଠିଗଲା ଭିତର ଖଞ୍ଜକୁ । ଆଉ ଫେରି ଆସିଲା ଖୁବ୍ ଅଳ୍ପ ସମୟ ଭିତରେ ।

 

“ଖାଇ ସାରିଲୁ ମା ?’’

 

“ହ ଦାଦି, ତମେ କୁହ ଏଥର ।’’

 

ବୃଦ୍ଧ ଅଳ୍ପ ସମୟ ନିରବ ରହି, ନିକଟ ଅତୀତରେ ଘଟି ଯାଇଥିବା ଗୋଟିଏ କରୁଣ କାହାଣୀ ବର୍ଣ୍ଣନା କରିବାକୁ ପ୍ରସ୍ତୁତ କରି ନେଲେ ନିଜକୁ । ଛାତିକୁ ପଥର କରି ବିଜୟା ମଧ୍ୟ ସବୁ ଶୁଣିବା ପାଇଁ ସଂଗ୍ରହ କରୁଥିଲା ଧୈର୍ଯ୍ୟ ।

 

“ଗଲା ଅମାବାସ୍ୟାର ଅନ୍ଧାର ରାତି ।’’ ଆରମ୍ଭ କଲେ ଦାଦି । “ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନ ଥାଏ । ତା’ ଉପରେ ପୁଣି କଳାହାଣ୍ତିଆ ମେଘ ଛାଇ ଯାଇଥାଏ ଆକାଶ । ପାଖ ଆଖର ଗାଁମାନଙ୍କରେ ଝାଡ଼ା ବାନ୍ତି ଲାଗିଚି ବୋଲି ବେଳ ଥାଉଁ ଥାଉଁ କବାଟ ପଡ଼ି ଯାଇଥାଏ ଗାଁରେ । ସଞ୍ଜ ହେଲା ବେଳକୁ ଏ ଗାଁରେ ଅଧରାତି । ଭୟରେ କେହି ବାହାରକୁ ଉଠିବାକୁ ସାହାସ କରୁ ନ ଥାନ୍ତି ।

 

ପ୍ରାୟ ରାତି ଅଧ ହେବ ।

 

ହଠାତ୍ ତମ ଘର ଆଡ଼ୁ ଭାଷି ଆସୁଥିବା ଗୋଟାଏ ଆର୍ତ୍ତ ଚିତ୍କାରରେ ନିଦ ମୋର ଭାଙ୍ଗିଗଲା । ସନ୍ଧିଗ୍ଧ ମନରେ ଉଠି ଯାଇଁ କବାଟ ଫିଟାଇଲି ମୁଁ । ଯାହା ଦେଖିଲି ବିସ୍ମୟରେ ଅନ୍ତ ମୋର ରହିଲା ନାଇଁ ।’’

 

“ଘରଟା ହୁ ହୁ ହୋଇ ଜଳୁଚି । ଜଳନ୍ତା ଘର ଭିତରୁ ଶୁଭୁଚି ବୁକୁ ଫଟା ବିକଳ ଚିତ୍କାର । ସେତେବେଳକୁ ଗାଁର କିଏ କେମିତି ଉଠି ଘରପୋଡ଼ି ପାଖକୁ ଆସିଲେଣି । ଗାଁର କେଇଟା ଟୋକା ନିଆଁକୁ ଆୟତ୍ତ କରିବାର ବୃଥା ଚେଷ୍ଟା କରୁଥାନ୍ତି । ବାରିପଟେ ବୁଲି, ନିଆଁ ଭିତରୁ ବହୁ କଷ୍ଟରେ ନିଜକୁ ବଞ୍ଚାଇ, ଯେଉଁ ଘରଆଡ଼ୁ ଚିତ୍କାର ଶୁଭୁଥିଲା, ସେଇ ଘର ଦରଜା ପାଖରେ ଯାଇ ଛିଡ଼ା ହେଲି । କିନ୍ତୁ ଏ କଣ…. । ସମସ୍ତଙ୍କୁ ପୋଡ଼ି ମାରିବ ଉଦ୍ଦେଶ୍ୟରେ ବାହାର ପଟୁ ତାଲା ଦେଇ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଚି । ଦରଜାର କବାଟଗୁଡ଼ା ଜଳିବାକୁ ଆରମ୍ଭ କଲାଣି ସେତେବେଳକୁ । ସେପଟ ଝରକା ପୋଡ଼ି ଭିତରେ ନିଆଁ ପଶିଲାଣି ହୁଏତ । ଉପରୁ ଖଣ୍ତ ଖଣ୍ତ ନିଆଁହୁଳା ଖସି ବିଞ୍ଚି ହୋଇ ପଡ଼ିଚି ଘର ବାହାର ଚାରିଆଡ଼େ । ବହୁ କଷ୍ଟରେ ଜଞ୍ଜିର ତାଡ଼ି ଘର ଭିତରେ ପଶିଲି । ସେତେବେଳକୁ ନିଆଁରେ ସିଝି ବୁଢ଼ା ବୁଢ଼ି ଦି’ ଜଣ ଶେଷ ହୋଇ ଯାଇଥିଲେ । କେବଳ ଅପା ତୋର ବହୁ କଷ୍ଟରେ, ତା’ର ସମସ୍ତ ଶକ୍ତି ଦେଇ ଚିତ୍କର କରୁଥିଲା । ଆଉ ଜଣଙ୍କ ସାହାଯ୍ୟରେ ତାଙ୍କୁ ଧରା ଧରି କରି ନେଇ ଆସିଲି ଆମ ଘରକୁ । ସେତେବେଳକୁ ତା’ର ମଧ୍ୟ ସମୟ ହୋଇ ଆସୁଥିଲା ।’’

 

ବୁଢ଼ା ଦାଦି ଗାମୁଛା କାନିରେ ଆଖି ପୋଛିଲେ । ବିଜୟା ଲୁହ ପୋଛୁ ପୋଛୁ ତା’ର ଲୁପ୍ତ ପ୍ରାୟ ଧୈର୍ଯ୍ୟକୁ ଫେରାଇ ଆଣିବାର ଚେଷ୍ଟା କରୁଥିଲା ।

 

“ଶେଷ ବେଳର, ସମସ୍ତ ଯନ୍ତ୍ରଣାକୁ ଚାପିରଖି, ଅପା ତୋର ବହୁ କଷ୍ଟରେ କହିଲା— ‘ଈଶ୍ଵରଙ୍କ କୃପାରୁ ଦୂରରେ ଥାଇ ବିଜୀ ବଞ୍ଚି ଯାଇଚି । ଯଦି ସେ କେବେ ଫେରିଆସେ ତାକୁ କହିବ, ପଶୁ ରଞ୍ଜନକୁ ବିଶ୍ଵାସ କରିବାର ଫଳ ମୁଁ ହାତେ ହାତେ ପାଇଚି । ମୋତେ ଜଣା ନଥିଲା ଭଦ୍ର ମୁଖୋସଧାରୀ ଏଇ ଲୋକଟା, ମୋ ସହିତ କେବଳ ନିଚ୍ଛକ ଅଭିନୟ କରି ଯାଉଚି । ତା’ର ଅସଲ ରୂପରେ ସେ ଯେ ଗୋଟାଏ ହୀନ ପ୍ରତାରକ, ନରହନ୍ତା, ଦସ୍ୟୁ, ଏକଥା ମୁହୂର୍ତ୍ତକ ପାଇଁ ମଧ୍ୟ ମନରେ ମୋର ସ୍ଥାନ ପାଇ ନ ଥିଲା । ବିନା ବିଚାରରେ ମୋର ସର୍ବସ୍ଵ ମୁଁ ଅଜାଡ଼ି ଦେଇଥିଲି ଏଇ ନରହସ୍ତା ପାଦତଳେ । ସେ କଥା ବିଜୀ ଜାଣେ, ତା’ ପରେ ମୁଁ ହେଲି ଅନ୍ତଃସତ୍ଵା । ଅନ୍ତଃସତ୍ଵା ହୋଇ ଯେତେବେଳେ ତା’ ପରେ ମୁଁ ମୋର ଭାବୀ ସନ୍ତାନର ପବିତ୍ର ଅଧିକାରୀ-ପିତୃତ୍ଵ ଦାବିକରି ବସିଲି, ସେଇ ସୁଯୋଗ ନେଇ ସେ ଚାହିଁଲା ତା’ର ପ୍ରୟୋଜନ ପୂରଣ କରି ନେବାକୁ । ସେ କହିଲା ବାପାଙ୍କ ପାଖରେ ଥିବା ତାଳପତ୍ରର ସେଇ ଛୋଟ, ପୁରୁଣା ପୋଥି ଖଣ୍ତିକ ନପାଇଲେ ସେ କୌଣସିମତେ ବିବାହ କରିବାକୁ ରାଜି ନୁହଁ । କିନ୍ତୁ ବାବା ସେଇ ଜୀର୍ଣ୍ଣ ତାଳପତ୍ରର ପୋଥିଟିକୁ ପ୍ରାଣାପେକ୍ଷା ମୂଲ୍ୟବାନ ମନେ କରୁଥିଲେ । ଜନ୍ମଦାତା ସହିତ ବିଶ୍ଵାସଘାତକତା କରି ପ୍ରଣୟୀ ହାତରେ ସେଇଟି ଟେକି ଦେବାକୁ ରାଜି ହେଲିନି ମୁଁ । ମୋର ଅସ୍ଵୀକାର ରଞ୍ଜନକୁ କ୍ଷିପ୍ତ କରି ତୋଳିଥିଲା ।

ହଠାତ୍ ଆଜି ରାତିର ଅନ୍ଧକାର ଆଉ ନିର୍ଜନତାର ସୁଯୋଗ ନେଇ ବାବଙ୍କ ଶୋଇବା ଘରେ ପଶି ପୋଥିଟି ଚୋରିକରି ନେଲା ସେ । ସମ୍ଭ୍ରାନ୍ତ ଜମିଦାର ତନୟ ହୋଇ ଏଭଳି ଏକ ହୀନ କର୍ମର କଳଙ୍କରୁ ନିଜକୁ ମୁକ୍ତ କରିବାକୁ ଯାଇ ଏବଂ ଭବିଷ୍ୟତରେ ମୁଁ କାଳେ ତା’ଠାରେ ପୁଣି ମୋର ଗର୍ଭସ୍ଥ ସନ୍ତାନର ପିତୃତ୍ଵ ଦାବି କରି ବସିବି, ଏଇ ଭୟରେ ସମସ୍ତଙ୍କୁ ଅବରୁଦ୍ଧ କରି ଘରେ ନିଆଁ ଲଗାଇ ଦେଲା ସେ ।

ବିଜୀକୁ କହିବ, ଆମ୍ଭମାନଙ୍କର ଅତୃପ୍ତ ଆତ୍ମା ଶେଷ ପର୍ଯ୍ୟନ୍ତ ଚାହିଁ ରହିଥିବ ସେଇ ପଶୁ ବିଶ୍ଵାସଘାତକ ନରହନ୍ତା ରଞ୍ଜନର ରକ୍ତ । ତାକୁ କହିବ, ପିତୃହତ୍ୟା, ବଂଶ ହତ୍ୟାର ପ୍ରତିଶୋଧ ନେବାକୁ ସେ ଯେପରି ତା’ ଜୀବନରେ ସର୍ବଶ୍ରେଷ୍ଠ ବ୍ରତ ବୋଲି ମନେକରେ ।

“ଅପା ତୋର ଉତ୍ତେଜନାରେ କ୍ଷିପ୍ତ ହୋଇ ଉଠୁଥିଲା । ମୁମୂର୍ଷୁ ଦେହ ଏତେ ଉତ୍ତେଜନା ସହି ପାରିଲା ନାହିଁ । ପିଇବାକୁ ପାଣି ମାଗିଲା ସେ । ମୁହଁରେ ଟୋପିଏ ପାଣି ଦେବାର ମୁହୂର୍ତ୍ତକ ପରେ ଦୀପ ନିଭିଗଲା ।’’

ଦିଦିଙ୍କ କଥା ସରି ଯାଇଥିଲା ।

ବିଜୟାର ଆଖିରେ ଲୁହ ପରିବର୍ତ୍ତରେ ଫୁଟି ଉଠିଥିଲା ଏକ ସାର୍ବଗ୍ରାସୀ ଜିଘଂସା । ମନରେ ତା’ର କେବଳ ଗୋଟିଏ ପ୍ରଶ୍ନ—

କିନ୍ତୁ କୁଆଡ଼େ ଗଲା କୁକୁର….. ?

ଏଇ ପ୍ରଶ୍ନର ସମାଧାନ ପାଇଁ ବିଜୟା ସେଦିନ ଅଧ ରାତିରେ ସମସ୍ତଙ୍କ ଅଜଣାରେ ଗାଁ ଛାଡ଼ିଲା । ତା’ ପରେ ଭଦ୍ରକ ଷ୍ଟେସନ… । ଆଉ ତା’ପରେ…. । ସୂର୍ଯ୍ୟ ଉଠି ଆସୁଚି ।

ଚକ୍ରବାଳ ନିକଟରେ ଏକ ନାଲି ଆଉ ବକ୍ର ରେଖାର ଆବିର୍ଭାବ । ଠିକ୍ ସମୁଦ୍ର ଉପରେ, ନିକଟରେ ତା’ରି କେତୋଟି ଶୁଭ, ଉଡ଼ନ୍ତା ମେଘ ଇତସ୍ତତ ଘୂରି ବୁଲଛନ୍ତି । ସେଇଆଡ଼କୁ ଚାହିଁ ବେଳାଭୂମିରେ ସମଳିତ ଜନତା ଭିତରେ ଜାଗି ଉଠିଛି ଏକ ଅପୂର୍ବ ଆବେଗ ସମସ୍ତେ ମୁଗ୍ଧ । ସମସ୍ତେ ଆତ୍ମହରା । ତା’ ପରେ… ।

 

ଧୀରେ ସେଇ ରକ୍ତିମ ବକ୍ର ରେଖାଟି ରୂପାନ୍ତରୀତ ହେଲାଣି ଏକ ଅର୍ଦ୍ଧ ଗୋଲକକୁ । ବକ୍ଷରେ ତା’ର କଳାବୁନ୍ଦା କେତେଟା ସ୍ପଷ୍ଟ ଦିଶି ଯାଉଚି । ଦୂରରୁ ଭାଷି ଆସୁଥିବା ସେଇ ବଂଶୀଟିର ମଧୁର ମୂର୍ଚ୍ଛନା ମିଳେଇ ଯିବାକୁ ବସିଲାଣି ଆସ୍ତେ ଆସ୍ତେ ।

 

ବିଜୟାର କିନ୍ତୁ ଖିଆଲ ନାଇଁ ଏସବୁ ଆଡ଼େ । ଏବେ ବି ସେ ଭାବି ଚାଲିଚି ନିକଟ ଅତୀତରେ ଘଟିଯାଇଥିବା ସେଇ ପୁରୁଣାକଥାଗୁଡ଼ାକୁ ।

 

ଭଁ, ଭଁ ଅଁ, ଭଁ ଅଁ…

 

ଆକାଶ ଉପରେ ଗୋଟାଏ ବ୍ୟେମଯାନ ଉଡ଼ିଗଲା । ବିଜୟାର ଏକାଗ୍ରତ ଭାଙ୍ଗିଗଲା । ହଠାତ୍ ତା’ର ଦୃଷ୍ଟି ନଇଁ ଆସିଲା ସେଇ ରକ୍ତ ଗୋଲକ ଉପରକୁ । ଯାହା ପୂର୍ଣ୍ଣତା ପାଇଚି ଏଇ ଅଳ୍ପ ସମୟ ଆଗରୁ ।

 

ଦି’ଜଣ ତରୁଣ ତରୁଣୀ ସୂର୍ଯ୍ୟଆଡ଼କୁ ମୁହଁ କରି ଠିଆ ହୋଇଛନ୍ତି ତା’ର ଦୃଷ୍ଟି ସାମନାରେ । ଯାହା ଫଳରେ ବିଜୟା ସଂପୂର୍ଣ୍ଣ ଗୋଲକଟିକୁ ଦେଖି ପାରୁନି । ବିଜୟାର ଅନ୍ତର ପୁରି ଉଠୁଥିଲା—ବିରକ୍ତରେ ଏଇ ଦି’ଜଣଙ୍କ ଉପରେ । ଆଉ ଟିକିଏ ନିରୀକ୍ଷଣ କରି ଚାହିଁଲା । ଯୁବତୀଟି ନଇଁ ପଡ଼ୁଚି ଯୁବକର କାନ୍ଧ ଉପରକୁ ଠିକ୍ ଗୋଟିଏ ପ୍ରଶ୍ନ ବାଚକଚିହ୍ନ ଭଳି ।

 

କିନ୍ତୁ ଏଇ ଯୁବକ….. ।

 

ଉତ୍ତେଜନାରେ କମ୍ପି ଉଠିଲା, ବିଜୟାର ଦେହ । ଟେବ୍‌ଲ ଡ୍ରୟାର ଭିତରୁ ତା’ ଡାଇରିଟି କାଢ଼ି ତା’ଭିତରୁ ସେ ଏକ ଯୁବକର ଗୋଟିଏ ଫଟୋଗ୍ରାଫ ବାହାର କଲା । କିଛିସମୟ ଧରି ନିରୀକ୍ଷଣ କଲା ଫଟୋଗ୍ରାଫଟିକୁ । ମୁହଁରେ ତା’ର ଫୁଟି ଉଠିଲା ଘୃଣା । ଆଖିରେ ଜଳି ଉଠିଲା ପ୍ରଚଣ୍ତ ପ୍ରତିଶୋଧର ଦାରୁଣ ପିପାସା । ନିଃସନ୍ଦେହ ହେବାକୁ ସିଡ଼ି ଦେଇ ଓହ୍ଲେଇ ଯାଉଥିଲା ସେ ତଳକୁ, ଏତିକି ବେଳେ ଉମାଶଙ୍କର ପଶି ଆସିଛନ୍ତି ବିଜୟାର ଘର ଭିତରକୁ । ବିଜୟାର କାଠିନ୍ୟ ବୃଦ୍ଧଙ୍କ ଆଖି ଏଡ଼ାଇ ପାରିନି ।

 

“ମା, ବିଜୀ !’’

 

ଖୁବ୍ ନରମ ଗଳାରେ ଡାକିଲେ ସେ । ବିଜୟା କାନରେ ହୁଏତ ବାଜି ନି ସେ ଡାକ । ସେ ବ୍ୟଗ୍ର, ପଦକ୍ଷେପରେ ଓହ୍ଲେଇ ଯାଇଛି ତଳକୁ ।

 

ଟେବୁଲ୍‍ ଉପରେ ଖୋଲା ହେଇ ପଡ଼ିଚି ବିଜିୟାର ଡାଇରୀ ଆଉ ସେଇ ଯୁବକର ଫଟୋ । ଫଟୋ ତଳେ ଛୋଟ ଆଉ ସରୁ ଇଂରେଜୀ ଅକ୍ଷରରେ ଲେଖା—

 

‘‘To my Lovely Meeni, Ranjan”

 

ଉମାଶଙ୍କରଙ୍କ ଆଖିରେ ଫୁଟି ଉଠିଲା ପ୍ରଶ୍ନବାଚକ । ଏ ପାଖ ସେପାଖ ଲେଉଟାଇଲା ବେଳେ ପୁଣି ଆଖିରେ ପଡ଼ିଲା ତାଙ୍କର ଫଟୋ ଗ୍ରାଫେ୍ଟାରେ ପଛ ପଟେ ନାରୀ ହାତରେ ଛୋଟ ଛୋଟ ଅକ୍ଷରରେ ଲେଖା ।

 

“ନରାଧମ ରଞ୍ଜନ,

 

ସେଇ ଅତୃପ୍ତ, ଅଶରିରୀ ଆତ୍ମାଗୁଡ଼ିକର ଉଦ୍ଦେଶ୍ୟରେ ଟେକି ଦେବି ତୋ’ରି ବୁକୁର ଉଷ୍ଣ ରକ୍ତ ଧାରା, ଯେଉଁମାନଙ୍କୁ ସେଦିନ ତୁ ନିର୍ମ୍ମମ ପଶୁ ଭଳି ହତ୍ୟା କରିଚୁ ।

 

ବିଜୟା ।’’

 

ବୃଦ୍ଧ ଚମକି ପଡ଼ିଲେ ।

 

ସନ୍ଦିଗ୍ଧ ମନରେ ଡାଇରୀର ପୃଷ୍ଠା ଲେଉଟାଇବାକୁ ଆରମ୍ଭ କଲେ ସେ । ଗୋଟାଏ ପୃଷ୍ଠାରେ ଲେଖା ଅଛି ।

 

“ଓଡ଼ିଶାର ଶ୍ରେଷ୍ଠ ଐତିହାସିକ ହିସାବରେ ଯେଉଁଦିନ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ବାବାଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା, ସେହି ଦିନଠାରୁ ବିଭିନ୍ନ ସ୍ଥାନ ବୁଲି ଐତିହାସିକ ତଥ୍ୟ ସଂଗ୍ରହ କରିବାର ରୋଗ ତାଙ୍କର ବଢ଼ି ଉଠିଲା । ପ୍ରଫେସର ଜୀବନରୁ ଅବସର ନେଇ, ଦ୍ଵିଗୁଣ ଉତ୍ସାହରେ ଭାରତର ବିଭିନ୍ନ ଅଞ୍ଚଳ ବୁଲି ସେ ତାଙ୍କର ଗବେଷଣା ଚଳାଇବାକୁ ଲାଗିଲେ । କିନ୍ତୁ ବୃଦ୍ଧ ବୟସରେ ଏତେ ପରିଶ୍ରମ ତାଙ୍କ ଦେହରେ ଗଲା ନାହିଁ । ଦାକ୍ଷିଣାତ୍ୟ ଭ୍ରମଣରୁ ଫେରିଲା ବେଳକୁ ସେ ଏକେବାରେ ଭଗ୍ନ ସ୍ଵାସ୍ଥ୍ୟ ନେଇ ଘରକୁ ଫେରିଲେ । ତା’ ପରେ ତୁଳସୀପୁର ଠାରେ ଥିବା ତାଙ୍କ ପୈତୃକ ଗୃହରେ କିଛିଦିନ ବିଶ୍ରାମ ନେବା ଉଦ୍ଦେଶ୍ୟରେ ସେଠାରେ ଆସି ରହିଲେ ସେ । ଏଥର ଦାକ୍ଷିଣାତ୍ୟରୁ ଫେରିଲା ବେଳକୁ ସେ ସାଙ୍ଗରେ ନେଇ ଆସିଥିଲେ ଖଣ୍ତିଏ ବହୁ ବର୍ଷ ପୂର୍ବରୁ ଜୀର୍ଣ୍ଣ ତାଳପତ୍ର ପୋଥି । ମୁଁ ଶୁଣିଚି, ସେ କହୁଥିଲେ ପୂର୍ବଘାଟ ପର୍ବତ ମାଳାର କୌଣସି ଏକ ଗିରୀ ଗୁହାରେ ଦାକ୍ଷିଣାତ୍ୟର କୌଣସି ଏକ ସ୍ଵାଧୀନ ନରପତି ଆକ୍ରମଣକାରୀଙ୍କ ହସ୍ତରୁ ରକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କର ବହୁ କୋଟି ଟଙ୍କା ମୂଲ୍ୟର ରତ୍ନ ଭଣ୍ତାର ଗୁପ୍ତ କରି ରଖିଛନ୍ତି । ତାହା ଆଜି ପର୍ଯ୍ୟନ୍ତ ଯଥାସ୍ଥାନରେ ସଞ୍ଚିତ ଅଛି । ଏବଂ ଉକ୍ତ ତାଳପତ୍ର ପୋଥିଟି ସେହି ଗୁପ୍ତଧନ ଭଣ୍ତାରର ସାଙ୍କେତିକ ଲିପି । କିଞ୍ଚିତ ଆରୋଗ୍ୟ ଲାଭ କରିବା ପରେ ତାହା ଆବିଷ୍କାର କରିବା ନିମନ୍ତେ ସେ ସଂକଳ୍ପ କରିଥିଲେ ।

 

ଉମାଶଙ୍କର ଆଶ୍ଚର୍ଯ୍ୟ ହେଲେ । ବିଜୟା ଯେ ଓଡ଼ିଶାର ଶ୍ରେଷ୍ଠ ଐତିହାସିକ ଡକ୍ଟର ଶଶୀକାନ୍ତ ଚୌଧୁରୀଙ୍କର କନ୍ୟା, ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ ।

 

ସେ ପୁଣି ପୃଷ୍ଠା ଲେଉଟାଇଲେ… ।

 

ଆଉ ଗୋଟାଏ ପୃଷ୍ଠାରେ– ।

 

‘—ତୁଳସୀ ପୁରରେ ରହିବା ପରେ ରଞ୍ଜନର ଆମ ପରିବାର ସହିତ ପରିଚୟ । ତୁଳସୀପୁର ଜମିଦାରଙ୍କର କନିଷ୍ଠ ସେ, ସଦାଚାରୀ, ସୁଶ୍ରୀ ଯୁବକ । ଆବଶ୍ୟ ଘରଠାରୁ ଦୂରରେ ରହୁଥିବା ଫଳରେ ବେଶି ସମୟ ପାଇଁ ମୁଁ ତା’ର ସଂସ୍ପର୍ଶରେ ଆସିବାର ସୁଯୋଗ ପାଇନି । କିନ୍ତୁ ଅନେକ ସମୟରେ ଅପା ତା’ କଥା ଲେଖେ ଚିଠିରେ । ମୁଁ କିନ୍ତୁ କାହିଁକି କେଜାଣି ଅନୁମୋଦନ କରି ପାରୁ ନ ଥିଲି, ତା’ ସହିତ ଅପାର ଏ ବର୍ଦ୍ଧିତା ଘନିଷ୍ଠତାକୁ । ଅନେକ ସମୟରେ ମୋର ମନେହୁଏ ରଞ୍ଜନର ବାହ୍ୟ ଆଚରଣ ଯେମିତି ତା’ର ଅସଲ ପରିଚୟ ନୁହେଁ । ଦିନେ ଡାକରେ ଅପା ଠାରୁ ତା’ର ଖଣ୍ତେ ଫଟୋଗ୍ରାଫ ପାଇଲି । ତା’ ତଳେ ସରୁ ଆଉ ଛୋଟ ଅକ୍ଷରରେ ଲେଖା ଥିଲା—“To my lovely Meeni, Ranjan.” ବୁଝିବାକୁ ସମୟ ଲାଗିଲା ନାହିଁ, ଯେ ଦିହେଁ ଯାକ ମଜ୍ଜିଛନ୍ତି… ।’’

 

ଶେଷ ଆଡ଼କୁ ଆଉ ଏକ ପୃଷ୍ଠାରେ— ।

 

“—ଥମକି ଛିଡ଼ା ହେଲି ମୁଁ । ସେଠି ଆଉ ଘର ନ ଥିଲା, ଥିଲା କେବଳ ସାତପୁରୁଷୀ ଘରଟାର ଶେଷ ଚିହ୍ନ ବୋଲି କେତେଟା ବିରାଟ ଭଙ୍ଗା କାନ୍ଥ । ଦରପୋଡ଼ା କାଠ ଆଉ ପାଉଁଶର ଗୋଟାଏ ମସ୍ତ କୁଢ଼ । ଦାଦିଙ୍କ ଠାରୁ ସବୁ ଶୁଣିଲି । ଶେଷରେ ଅପାର ରଞ୍ଜନ ପ୍ରୀତି ହିଁ, ଚୌଧୁରୀବଂଶକୁ ପୃଥିବୀ ବକ୍ଷରୁ ଗୃହ ସହିତ ନିଶ୍ଚିହ୍ନ କରି ଦେଲା ଚିରଦିନ ପାଇଁ । ଏଇ ହୀନ, ପ୍ରତାରକ ଦସ୍ୟୁଟାର ଅଭିନୟରେ ଭୁଲି, ଅପା ତା’ର ପ୍ରାଣ ଦେଇ ଭଲପାଇ ବସିଲା ଏଇ ପଶୁଟାକୁ । ସେ ତା’ର ଅନ୍ତରର ସମସ୍ତ ସ୍ନେହ ସୋହାଗ ନିଃଶେଷରେ ଅଜାଡ଼ି ଦେଇଥିଲା ଏଇ ନଷ୍ଟ ଚରିତ୍ର, ହୃଦୟହୀନର ପାଦତଳେ । ଆଉ ପଶୁ ରଞ୍ଜନ, ଅତି ନିର୍ମ୍ମମ ଭାବରେ ଶେଷକୁ ଅପାର ଏ ସରଳତାର ସୁଯୋଗ ନେଲା ।

 

ଯେତେବେଳେ ଅପା ନିଜକୁ ଅନ୍ତଃସତ୍ଵା ଜାଣି ରଞ୍ଜନ ନିକଟରେ ଦାବି କରି ବସିଲା ତା’ର ଭାବୀ ସନ୍ତାନର ପିତୃତ୍ୱ, ସେତେବେଳେ ରଞ୍ଜନ ଅତି ନିର୍ମ୍ମମ ଭାବରେ ଜଣାଇ ଦେଲା ଯେ ବାପାଙ୍କ ନିକଟରେ ଥିବା ଗୁପ୍ତ ଧନ ଭଣ୍ତାରର ସାଙ୍କେତିକ ଲିପିର ସେଇ ତାଳପତ୍ର ପୋଥିଟା ନ ପାଇଲେ ସେ ଅପାକୁ ବିବାହ କରିବ ନାହିଁ । କିନ୍ତୁ ସରଳ, ସ୍ନେହଶୀଳ ବାପାଙ୍କ ସହିତ ବିଶ୍ଵାସଘାତକତା କରିବା ଭଳି ସ୍ଵାର୍ଥ ପରାଣ ନ ଥିଲା ଅପା ଠାରେ । ସେ ରଞ୍ଜନର ପ୍ରସ୍ତାବ ପ୍ରତ୍ୟାକ୍ଷାନ କଲା । ଏଥିରେ ରଞ୍ଜନ କ୍ଷିପ୍ତ ହୋଇ ଉଠିଲା ଓ ସୁଯୋଗ ବୁଝି ବାପାଙ୍କ ଠାରୁ ସେ ଜୀର୍ଣ୍ଣ ପୋଥିଟା ଚୋରି କରି ନେବା ସଙ୍ଗେ ସଙ୍ଗେ ନିଜକୁ ନିଷ୍କଣ୍ଟକ କରିବା ଉଦ୍ଦେଶ୍ୟରେ ସ-ପରିବାର ସମସ୍ତ ଘରଟିକୁ ପରିଣତ କଲା ଏକ ଜୀବନ୍ତ ଚିତ୍ତାରେ । ଓଃ ଭଗବାନ, କି ଯନ୍ତ୍ରଣା ଭିତରେ ଛଟପଟ ହୋଇ ବାପା ଆଉ ବୋଉ ଆଖି ବୁଜିଥିବେ ସେଇ ଜୀବନ୍ତ ଚିତ୍ତାନଳ ଭିତରେ । ଚାହୁଁ ଚାହୁଁ ଏକ ଭୀଷଣ ବିଭୀଷିକା ଭଳି ମୃତ୍ୟୁ ଘେରି ଆସିଥିବ । ଜଳନ୍ତା ନିଆଁରେ ସିଝି ଦେହର ମାଂସ ଝଡ଼ି ପଡ଼ିଥିବ ଟିକ୍ ଟିକ୍ ହୋଇ । ଚିତ୍କାର କରି କରି ତୃଷ୍ଣାରେ ଶୁଖି ଯାଇଥିବ କଣ୍ଠ ତାଳୁ । ନରାଧମ ରଞ୍ଜନ । ଏ କ’ଣ କଳ୍ପ ତୁ ନିରପରାଧ, ନିରୀହ ତିନୋଟି ନର-ନାରୀଙ୍କୁ ନିର୍ମ୍ମମ ପଶୁ ଭଳି ହତ୍ୟା କରି କି ଯଶ ମିଳିଲା ତୋତେ ? ମୋର ସବୁ ଶେଷ କରି ଦେବା ଆଗରୁ ମୋତେ ମଧ୍ୟ କାହିଁକି ଶେଷ କରି ନ ଦେଲୁ ?

 

ବଞ୍ଚି ରହିବାକୁ ଯଦି ଛାଡ଼ି ଦେଇଛୁ ମୋତେ, ଥରେ ଆସି ଶୁଣି ଯା, ମୋ ଭଳି ଅବଳା ଜଣେ ନାରୀର ଅଟଳ ସଂକଳ୍ପ । ଆଜି ଠାରୁ ମୋ ଜୀବନର ଚରମ ଲକ୍ଷ୍ୟ ହେବ ତୋ’ରି କୁକୁରର ଜୀବନ୍ତ ତାଜା ରକ୍ତ । ତୋ’ରି ବକ୍ଷର ଉଷ୍ଣ ରକ୍ତରେ ଅଞ୍ଜଳି ଭରି ଟେକି ଦେବି ସେଇ ଅଶରୀର ଅତୃପ୍ତ ଆତ୍ମାଗୁଡ଼ିକର ଉଦ୍ଦେଶ୍ୟରେ । ତୋ’ରି ବକ୍ଷ ଉପରେ ବସି ତୀକ୍ଷ୍ମଧାର ଛୁରିରେ ଚିରି-ଦେଖିବି କ’ଣ ଅଛି ସେ ଛାତି ତଳେ…… ।

 

ପଢ଼ୁ ପଢ଼ୁ ଉମାଶଙ୍କର ଉତ୍ତେଜିତ ହୋଇ ଉଠିଥିଲେ । ନିମିଷକ ମଧ୍ୟରେ ଖୋଲିଗଲା ତାଙ୍କର ସବୁ ସନ୍ଦେହ । ଆଖି ଆଗରେ ନାଚି ଉଠିଲା–ଅଳ୍ପଦିନ ତଳର ଶେଷ ଶ୍ରାବଣର ଏକ ଶୀତୁଆ ସକାଳ । ଭଦ୍ରକ ଷ୍ଟେସନ । ପ୍ଲାଟ ଫର୍ମର ବ୍ୟସ୍ତ ଚଞ୍ଚଳ ଜନତା ଭିତରେ ବିଜୟାର ଛବି । ବ୍ୟଗ୍ର ଗତି, ଭୟମିଶ୍ରିତ ଚଞ୍ଚଳ ଚାହାଣି । ଅସହାୟ ଭାବ ଅଥଚ ସବୁ ଭିତରେ ଫୁଟି ଉଠିଚି ଏକ ଅଟଳ ଦୃଢ଼ତା ।

 

ଝରକା ଦେଇ ବାଳ ସୂର୍ଯ୍ୟର ଲୋହିତ କିରଣ ପ୍ରବେଶ କରିଚି ଘର ଭିତରକୁ । ଘର ଭିତରର ଧୂଳି କଣା ଗୁଡ଼ିକ ଆଲୋକିତ ହୋଇ ଉଠିଚନ୍ତି ଉଡ଼ନ୍ତ ଅବସ୍ଥାରେ । ସେଇ ରଶ୍ମୀ ଭିତର ଦେଇ ଉମାଶଙ୍କରଙ୍କ ଦୃଷ୍ଟି ଆପେ ଘୂରି ଆସିଲା ସେଇ ଝରକା ନିକଟକୁ । ମନେପଡ଼ିଲା ତାଙ୍କର ଅଳ୍ପ ସମୟ ପୂର୍ବରୁ ସେଇ ଝରକା ଦେଇ ବାହାରକୁ ଚାହିଁ ରହିଥିବା ଅବସ୍ଥାରେ ବିଜୟାକୁ ସେ ଦେଖିଥିଲେ । ଚେୟାରଟା ସେଠି ସେମିତି ଅବସ୍ଥାରେ ପଡ଼ିଚି । ସେ ଆଗେଇ ଗଲେ ସେଇ ଝରକା ନିକଟକୁ । ମନରେ ତାଙ୍କର ସନ୍ଦେହ ଆଉ ଆଖିରେ ଅନୁସନ୍ଧାନର ଚିହ୍ନ । ଠିକ୍ ଯେମିତି ଭାବରେ ଯେଉଁ ଆଡ଼କୁ ମୁହଁ କରି ବିଜୟା ସେ ଚେୟାରଟା ଉପରେ ବସିଥିଲା, ସେମିତି ବସି ବାହାରକୁ ଚାହିଁଲେ ସେ ।

 

ସୂର୍ଯ୍ୟ ଯେତେବେଳକୁ ଚକ୍ରବାଳର ଉପରକୁ ଉଠି ଆସିଲେଣି କିନ୍ତୁ ସେଇ ନାରୀ ଆଉ ପୁରୁଷ ମୂର୍ତ୍ତି ଦୁଇଟି ସେଇମତି ଠିଆ ହୋଇଛନ୍ତି ସେଇଠି । ପୁରୁଷଟି ଠିଆ ହୋଇଚି ଗୋଟିଏ ପୂର୍ଣ୍ଣଚ୍ଛେଦ ପରି ଆଉ ତାହାର ପାଖରେ ନଇଁ ପଡ଼ିଚି ନାରୀଟି ଏକ ପ୍ରଶ୍ନବାଚକ ଚିହ୍ନ ଭଳି ।

 

ବିଜୟାର ଟେବୁଲ୍‍ ଉପରେ ସେଇ ବୋଷ୍ଟ ଫଟୋଗ୍ରାଫ୍‍ଟି ଉପରେ ଆଉଥରେ ଦୃଷ୍ଟି ବୁଲାଇଲେ ଉମାଶଙ୍କର । ଫଟୋଟିର ଏହି ଯୁବକ ସହିତ ସମୁଦ୍ର କୂଳର ସେଇ ପୁରୁଷ-ସଂପୂର୍ଣ୍ଣ ଅଭିନ୍ନ । ବିଜୟା କ’ଣ ତେବେ ଏଇଥିପାଇଁ ଓହ୍ଲେଇ ଯାଇଚି ତଳକୁ ? ମନରେ ତାଙ୍କର ପାପ ଛୁଇଁଲା ।

 

ତଳକୁ ଓହ୍ଲାଇ ଗଲେ ଉମାଶଙ୍କର । ଚଦରଟା କାନ୍ଧ ଉପରକୁ ଟାଣି ନେଇ, ପାଦରେ ସ୍ଳିପର୍‍ ଦି’ଟା ଗଳେଇ, ରାକ୍‍ରୁ ଛଡ଼ିଟା ଟାଣି ନେଇ ବାହାରି ଗଲେ ସମୁଦ୍ର କୂଳକୁ ।

 

ବେଳାଭୂମିର ଜନ ସମୁଦ୍ର ଭିତରେ ନିଜକୁ ମିଶାଇ ଦେଇ ତରୁଣୀ ସହିତ ଦଣ୍ତାୟମାନ ସେଇ ତରୁଣ ଯୁବକଟିକୁ ନିରୀକ୍ଷଣ କରିବାକୁ ଲାଗିଲେ ସେମାନଙ୍କର ଅଲକ୍ଷରେ । ଠିକ୍ ମିଳି ଯାଉଥିଲା, ସେଇ ମୁହଁ, ସେଇ ଆଖି, ସେଇ ଚାହାଣି । କେଉଁଠି ଟିକିଏ ମଧ୍ୟ ଅମେଳ ନାହିଁ । ପରି ଧାନରେ ଦାମି ସୁଟ୍ । ମୁଣ୍ତରେ ଫେଲ୍ଟ ହ୍ୟାଟ । ହାତରେ ସୌଖିନ ଛଡ଼ି । ହସ ହସ ପ୍ରଶାନ୍ତ ମୁଖମଣ୍ତଳ । ମୁଗ୍ଧ, ଶାନ୍ତ ଦୃଷ୍ଟି, ଅନନ୍ତ ସମୁଦ୍ର ଅତିକ୍ରମି ଲମ୍ଵି ଯାଇଚି ପ୍ରଭାତର ଉଦୀୟମାନ ବାଳସୂର୍ଯ୍ୟ ଆଡ଼କୁ । ଏଭଳି ଏକ ସୁନ୍ଦର ସୁଶ୍ରୀଯୁବା ପୁରୁଷ ଯେ ବିଜୟାର ଡାଇରି ବର୍ଣ୍ଣିତ ଭୟାବହ ଦୁଷ୍କର୍ମର ନାୟକ ଏ କଥା କେହି କଳ୍ପନା କରି ପାରିବ ନାହିଁ ଲୋକଟିକୁ ଦେଖି ।

 

କିନ୍ତୁ ସେ ଫଟୋଗ୍ରାଫ… ? ବିଜୟାର ଡାଇରୀ ।

 

ଭାରାକାନ୍ତ ମନ ଦେଇ ଉମାଶଙ୍କର ସମୁଦ୍ର କୂଳରେ ପଦଚାରଣ କରିବାକୁ ଲାଗିଲେ । ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା—ବିଜୟା, ବେଳାର ଗୋଟାଏ ଢାଲ ଉପରେ ଛିଡ଼ା ହୋଇ ଅନିମେଷ ଦୃଷ୍ଟିରେ ଚାହିଁ ରହିଚି ସେଇ ଯୁବକ ଆଡ଼କୁ । ଆଖିରେ ତା’ର କ୍ରୁଦ୍ଧା ସିଂହର ହିଂସ୍ର ଚାହାଣି ।

 

ମାର୍କୋଭିଚ ସିଗାରେଟ୍‍ର ଧୂଆଁ ଭିତରେ ଫେରି ଆସୁଥିଲା ରଞ୍ଜନ, ତା’ର ପୁରୀ ବାସର ଆଶ୍ରୟ ‘ଓସେନ୍ ଭିଉ’ ହୋଟେଲକୁ । ଦେହ ଉପରରେ ଦାମୀ ଉଲେନ୍ ସୁଟ୍‍ ତାକୁ ଗରମ ଯୋଗାଇବା ପକ୍ଷରେ ଯଥେଷ୍ଟ ନଥିଲା ହୁଏତ, ସେଇଥିପାଇଁ ମାର୍କୋଭିଚ ଟିଣ ଭିତରୁ ଟାଣି ଆଣୁଥିଲା ସେ ଗୋଟିଏ ପରେ ଗୋଟିଏ ସିଗାରେଟ୍ ତା’ର ସାହାଯ୍ୟକାରୀ ହିସାବରେ ।

 

ସିଗାରେଟ୍‍ଟା ସରି ଯାଇଚି । ତାକୁ ଫୋପାଡ଼ି ଦେଇ ସେ ତା’ ଆଡ଼କୁ ଟିକିଏ ଚାହିଁଲା ବିଦ୍ରୂପ ଭରା ଭଙ୍ଗିରେ । ଜିଅନ୍ତା ମଣିଷକୁ ପୋଡ଼ି ଜାଳି ଶେଷ କରି ଦେଇଥିବା ମଣିଷ ଆଗରେ ତୁଚ୍ଛ ଏକ ସିଗାରେଟ୍‍ର ଭସ୍ମିଭୂତ ରୂପ ଭାବପ୍ରବଣତାର ଖୋରାକ ହେଇ ପାରେନି । ତାଚ୍ଛଲ୍ୟରେ ହସି ହସି ସେ ଆଗେଇଲା ।

 

ନିଜ ରୁମରେ ପହଞ୍ଚି ଦେଖିଲା ବୟ ଆସିନି କଫି ଦେବାକୁ । କୋଟ୍‍ଟାକୁ ହାଙ୍ଗର ଦେହରେ ଲଟକାଇ ଦେଇ, ଯୋତା ସମେତ ପାଦ ଦୁଇଟାକୁ ତୋଳିଧରି ବିଛଣା ଉପରେ ଲୋଟିପଡ଼ିଲା ସେ ।

 

ଖୋଲା ଝରକା ଦେଇ ସମୁଦ୍ରର ଥଣ୍ତା ପବନ ସହିତ ସୂର୍ଯ୍ୟର ଗରମ କିରଣ ଆସି ବଞ୍ଚି ହୋଇ ପଡ଼ିଚି ଘରଟା ଭିତରେ । ସେଇ ଆଡ଼କୁ ଚାହିଁ ରଞ୍ଜନର ମନେ ପଡ଼ିଲା ପ୍ରଭାତର ଉଦୀୟମାନ ସୂର୍ଯ୍ୟ ଆଉ ସମୁଦ୍ରକୂଳର ଆତ୍ମହରା ଦର୍ଶକମାନଙ୍କ କଥା ।

 

ସମସ୍ତଙ୍କ ପରି ପୁରୀର ସମୁଦ୍ରକୂଳରେ ସୂର୍ଯ୍ୟୋଦୟ ଦେଖିବାର ଲାଳସା ତା’ର ମଧ୍ୟ ଥିଲା । ଅଥଚ ପୁରୀବାସ ମଧ୍ୟରେ ସେ ସୁଯୋଗ ଆଜିଯାଏ ଗ୍ରହଣ କରି ପାରି ନ ଥିଲା ସିଏ । ଆଜିର ଏ ସୁବର୍ଣ୍ଣ ସୁଯୋଗ ମଧ୍ୟ ତା’ ଭାଗ୍ୟରେ ଯୁଟି ନ ଥାନ୍ତା ଯଦି ସୁହାସିନି ଆସି ପ୍ରାତଃ ଭ୍ରମଣ ପାଇଁ ଜୋରକରି ଟାଣି ନେଇ ନ ଥାନ୍ତା ତାକୁ । ସୁହାସିନୀ…….

 

ଏକ ଧନୀର ଦୁଲାଳୀ ସେ । କୁବେରପୁରୀ ପରି ପ୍ରାସାଦରେ ବାସ କରେ । ସିନେମା ହଲ ଭିତରେ ହଠାତ୍ ଦେଖା । ତା’ ପରେ ହୁଏ ବନ୍ଧୁତ୍ଵର ସୁତ୍ରପାତ । ଏବଂ କିଛିଦିନ ନିମନ୍ତ୍ରଣ ଆଦାନ ପ୍ରଦାନ ପରେ ସୁହାସିନୀ ପ୍ରେମ କରି ବସିଲା ତାକୁ । କିନ୍ତୁ ସେ କ’ଣ ସୁହାସିନୀକୁ ପ୍ରେମ କରେ…… ?

 

ଅସମ୍ଭବ ! ପ୍ରେମ ଶବ୍ଦ ରଞ୍ଜନର ଅଭିଧାନରେ କେବେହେଲେ ନ ଥିଲା ଏବଂ କେବେ ହେଲେ ରହିବ ନାହିଁ ମଧ୍ୟ । ଅତି ଜୋରରେ ଟେବୁଲ୍‍ ଉପରେ ହାତଟାକୁ ବାଡ଼େଇ ବିଛଣାରୁ ଉଠି ପଡ଼ିଲା ସେ । ଠିକ୍ ଏତିକିବେଳେ କଫି ନେଇ ରଞ୍ଜନର ରୁମ୍‍କୁ ପଶି ଆସିଚି ହୋଟେଲ ବୟ । ରଞ୍ଜନର ଏପରି ବ୍ୟବହାରରେ ସେ ଭୟ ପାଇଗଲା ହୁଏତ । ସଲାମ ଠୁଙ୍କି ସକାତର ଭଙ୍ଗୀରେ ଠିଆ ହୋଇ ରହିଲା ସେ । ରଞ୍ଜନ ପକେଟରୁ ବାହାର କରି ଅଧୁଲୀଟିଏ ଫିଙ୍ଗି ଦେଲା ତା’ ଆଡ଼କୁ । ସେଇଟାକୁ ଗୋଟାଇ ନେଇ ପୁଣିଥରେ ସଲାମିଠୁଙ୍କି ପଦାକୁ ବାହାରିଗଲା ବୟଟା-

 

ଧୂମାୟମାନ କଫି କପରେ ଅଧର ସଂଯୋଗ କରି ପୁଣିଥରେ ଭାବି ଚାଲିଲା ରଞ୍ଜନ । ସୁହାସିନୀକୁ ସେ ପ୍ରେମ କରେନି ସତ, କିନ୍ତୁ ସମ୍ପର୍କକୁ ଶିଥିଳ କରିବାକୁ ମଧ୍ୟ ଦେଇନି ସେ ।

 

ସେଦିନ ସୁହାସିନୀ ହଠାତ୍ ପଚାରି ବସିଲା ତାକୁ ।

 

ସମୁଦ୍ର କୂଳରେ ଠିଆ ହୋଇ ବୀରିମାଳାର ସେଇ ସେ ପଟରୁ ଉଠି ଆସୁଥିବା ରକ୍ତ । ରୁଣ ସୂର୍ଯ୍ୟକୁ କେବେ ଦେଖିବାର ସୁଯୋଗ ହେଇଚି ତମର ?’’

 

“ନା” ବଡ଼ ଦୁଃଖିତ ହୋଇ ରଞ୍ଜନ କହିଥିଲା ।

 

ସେ ପ୍ରକୃତରେ ସତ କହିଥିଲା, କିନ୍ତୁ ଅଭିନୟ ସେ ଯାହା କଲା ତା’ର ଓଲଟା ସେ ଭାବୁଥିଲା । ଅର୍ଥାତ ସମୁଦ୍ର ଭିତରୁ ଉଠି ଆସୁଥିବା ସୂର୍ଯ୍ୟକୁ ଦେଖିବା ସଉକ ତା’ର କେବେହେଲେ ନ ଥିଲା । ନାରୀର ରକ୍ତ ମାଂସ ଆଉ ଫେନିଳ ଯୌବନ ଉପରେ କାରବାର କରୁଥିବା ମଣିଷ ନିକଟରେ ଅନ୍ୟାନ୍ୟ ଜିନିଷର ସୌନ୍ଦର୍ଯ୍ୟ ସ୍ଥାନ ପାଏନି ।

 

“ଓ” ରୂପକଥାର ରଜା ପୁଅ କି ନା ତମେ ! ସୁନାର କିରଣ ତମ ଉପରେ ନ ପଡ଼ିଲେ ନିଦ ଯେ ଭାଙ୍ଗେନି ତମର, ତା’ ଭୁଲି ଯାଇଥିଲି ମୁଁ ।’’

 

ରଞ୍ଜନ କିଛି କହିଲାନି । ମୁହଁରେ ତାରିସ୍ମିତ ହାସ୍ୟ ସୁହାସିନୀର କଥା ଉପରେ ସମ୍ମତିସୂଚକ ଉତ୍ତରର କାମ କରିଥିଲା । ସୁହାସିନୀ ତା’ ପରେ କହିଥିଲା—

 

“ତା’ ହେଲେ ଦିନେ ନିମନ୍ତ୍ରଣ ରହିଲା ତମକୁ ଏଇ ସୂର୍ଯ୍ୟଦୟ ଦର୍ଶନ ପାଇଁ । ସେଦିନ ମୋ ସହିତ ତମକୁ ବାହାରିବାକୁ ହେବ କିନ୍ତୁ ସମୁଦ୍ର କୂଳକୁ ।’’

 

ଆଉ ସେଇ ନିମନ୍ତ୍ରଣ ରକ୍ଷା କରିବାକୁ ଟାଣି ନେଇଥିଲା ରଞ୍ଜନକୁ ଆଜି ସେ ।

 

କଫି କପ୍‍ଟାକୁ ଟେବୁଲ ଉପରେ ରଖି ଦେଇ ପାଟିରେ ଗୋଟାଏ ସିଗାରେଟ ଲଗାଉ ଲଗାଉ ରଞ୍ଜନ ମନେ ପକାଉଥିଲା ସମୁଦ୍ର କୂଳର କଥା । ହଠାତ୍ ସମୁଦ୍ର କୂଳରେ ଦେଖିଥିବା ଗୋଟିଏ ପରିଚିତା ନାରୀର ମୁହଁ ମନେପକାଇ ଚମକି ଉଠିଲା ସେ । ଝିଅଟିକୁ ନିମିଷକ ଲାଗି ଦେଖିବାର ସୁଯୋଗ ପାଇଥିଲେ ମଧ୍ୟ ସେ ତାକୁ ଚିହ୍ନିବାରେ ଭୁଲ୍ କରି ନ ଥିଲା । ତା’ରି ଆଡ଼କୁ ଜ୍ଵଳନ୍ତ ହିଂସ୍ର ଦୃଷ୍ଟିରେ ଚାହିଁ ରହିଥିଲା ଝିଅଟି ।

 

କିନ୍ତୁ ବିଜୟା… ! ଗୋଟିଏ ଝିଅ ! କ’ଣ କରି ପାରିବ ସେ ରଞ୍ଜନର ? ଦେହ ଉପରେ ତା’ର ଛୋଟିଆ ଦାଗଟିଏ ବି କାଟି ପାରିବ ନି ସେ । ତାକୁ ପୁଣି ରଞ୍ଜନର ଭୟ, ପୁଃ…….

 

ଫୁତ୍‍କାର ପରେ ବି ନିଜର ସଂପୂର୍ଣ୍ଣ ଅଜ୍ଞାତରେ ବିଜୟାର କଥାହିଁ ଚିନ୍ତାକରି ବସିଲା । ସେ ବୁଝିପାରୁ ନ ଥିଲା ମାତ୍ର ଅଳ୍ପଦିନ ତଳେ ବିଳାସପୁରରେ ସେ ଯେଉଁ ଭୟାବହ ନାଟକ ସୃଷ୍ଟି କରି ଆସିଚି, ବିଜୟା ସେ ସମ୍ଵନ୍ଧରେ କିଛି ଜାଣେ କି ନାହିଁ । ସେ ଭାବୁଥିଲା ଏବଂ ବିଶ୍ଵାସ କରୁଥିଲା ମଧ୍ୟ, ‘ଆକସ୍ମିକ ଅଗ୍ନି କାଣ୍ତରେ ପ୍ରଫେସର ପରିବାର ଧ୍ଵଂସ ହୋଇ ଯାଇଚି । ‘କେବଳ ଏତିକି ବ୍ୟତିତ ହୁଏତ ଆଉ କେହି କିଛି ଜାଣନ୍ତି ନି ସେ ଅଗ୍ନିକାଣ୍ତ ସମ୍ଵନ୍ଧରେ । କାହାକୁ କିଛି ଜାଣିବା ପାଇଁ ଦେବା ଭଳି କୌଣସି ସୂତ୍ର ସେ ଛାଡ଼ି ଆସିନି ।

 

ରଞ୍ଜନ ନିଜ ମନ ପାଖରେ ଏଭଳି ଏକ କୈଫିୟତ ଦେଇ ମଧ୍ୟ ନିଶ୍ଚିନ୍ତ ହୋଇ ପାରୁ ନ ଥିଲା । ସେ ଆହୁରି ଭାବୁଥିଲା— ।

 

ଯଦିବା ବିଜୟା ସପରିବାର ତାଙ୍କର ଘରଟି ଜଳିଯିବା ସମ୍ଵନ୍ଧରେ କିଛି ଜାଣେନି ଏବଂ ୟା’ ପଛରେ କୌଣସି ଗୁଢ଼ ରହସ୍ୟ ରହିଚି ବୋଲି ସେ ସନ୍ଦେହ କରୁନି ତେବେ ହଠାତ୍ ସେ ଏଠାରେ କାହିଁକି ? ତା’ ଛଡ଼ା ଆଜି ସକାଳେ ସମୁଦ୍ର କୂଳରେ ତା’କୁ ଦେଖି ସେ ଏପରି ହିଂସ୍ର ହୋଇ ଉଠିଥିଲା କାହିଁକି ?

 

ରଞ୍ଜନର ଅପରାଧୀ ମନ ସବୁବେଳେ ନିଜ ପାଖରେ ନିଜକୁ ଧରାଇ ଦେବାର ଚେଷ୍ଟା କରୁଥିଲା ।

 

ରଞ୍ଜନର ପୁଣି ଏଇକଥା ଭାବି ଅଶ୍ଵସ୍ତ ହେବାକୁ ଚେଷ୍ଟା କଲା ଯେ ହୁଏତ ସୁହାସିନୀ ସହିତ ତା’ର ପ୍ରାତଃ ଭ୍ରମଣକୁ ବିଜୟା ଅନୁମୋଦନ କରିପାରୁ ନ ଥିଲା । କାରଣ ବିଜୟା ଭଲ ରୂପେ ଜାଣେ ଯେ ତା’ର ସ୍ନେହଶୀଳ ବଡ଼ ଭଉଣୀ ସହିତ ରଞ୍ଜନର ବିବାହ ଏକ ପ୍ରକାର ଠିକ ହୋଇ ଯାଇଚି । ତେଣୁ ଅପରିଚିତା ଏକ ସୁନ୍ଦରୀ ତରୁଣୀ ସହିତ ତା’ର ଘନିଷ୍ଠତା ବିଜୟା ହୁଏତ ସହ୍ୟ କରି ପାରୁ ନ ଥିଲା । କିନ୍ତୁ ବିଚାରି ହୁଏତ ଜାଣେନି ପ୍ରଫେସର ପରିବାର ଆଉ ଏ ଇହଧାମରେ ନାହାନ୍ତି । ମାତ୍ର କେଇଟିଦିନ ପୂର୍ବେ ରଞ୍ଜନ ତା’ର ସୁଖମୟ ଭବିଷ୍ୟତର ପଥ ପରିଷ୍କାର କରି ନେବା ଲାଗି ପ୍ରଫେସର ପରିବାରକୁ ପୋଡ଼ି ଭସ୍ମ କରି ଦେଇଚି ।

 

ବିଜୟା ହୁଏତ ଆଦୌ କିଛି ଜାଣେନି । ନଚେତ ମାତ୍ର କେଇଟି ଦିନ ପୂର୍ବେ ଘଟି ଯାଇଥିବା ଏତେ ବଡ଼ ଅପ୍ରତ୍ୟାଶିତ ଏବଂ ଆକସ୍ମିକ ଦୁର୍ଘଟଣା ପରେ ବି ସେ କେବେ ଶ୍ରୀକ୍ଷେତ୍ରକୁ ତୀର୍ଥ ଭ୍ରମଣ ବା ବାୟୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଆସି ନ ଥାନ୍ତା ।

 

କିନ୍ତୁ ଏତେ ଗୁଡ଼ାଏ ‘କିନ୍ତୁ’ ‘ହୁଏତ’ ଉପରେ ନିଜର ନିଷ୍ପତ୍ତିକୁ ଛାଡ଼ି ଦେଇ ସେ ନିଶ୍ଚିନ୍ତ ହୋଇ ପାରୁ ନ ଥିଲା । ଏଣେ ପୁଣି ଗୋଟିଏ ତୁଚ୍ଛ ନାରୀ ଉପରେ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ନିଜର ଏକ ମସ୍ତବଡ଼ ଦୁର୍ବଳତା ବୋଲି ମନେ କରୁଥିଲା ସେ । ଉପସ୍ଥିତ ବିଜୟା ସମ୍ଵନ୍ଧରେ ତା’ର ଚିନ୍ତାଧାରର ଗୋଟାଏ ମୋଟା ମୋଟି ମୀମାଂସା କରି ନେଲା ରଞ୍ଜନ ।

 

ବିଜୟା ଆସୁ, ଯଦି ତା’ ସହିତ ପ୍ରତିଦ୍ଵନ୍ଦିତା କରିବା ଅଭିପ୍ରାୟ ନେଇ ପୁରୀ ଆସିଥାଏ ସେ, ତେବେ ଜାଣି ଯାଉ ରଞ୍ଜନର ଶକ୍ତି କେତେ । ଗୋଟିଏ ଦୁଇଟି ନୁହେଁ, ନିଜର ସ୍ଵାର୍ଥ ପାଇଁ ଆହୁରି ଅନେକ ଲୋକଙ୍କ ତଣ୍ଟି ଉପରେ ଠିଆ ହୋଇ ରଞ୍ଜନ ଏଇ ବୃଦ୍ଧା ପୃଥିବୀର ଛାତି ଉପରେ ହସିବାକୁ ଚାହେଁ । ମନୋମତ ଅବସ୍ଥାର ସୃଷ୍ଟି କରି ତା’ରି ଭିତରେ ବଂଚିବାର ଅଧିକାର ସମସ୍ତଙ୍କର ଅଛି । ସମସ୍ତେ କିନ୍ତୁ ପାରି ଉଠନ୍ତିନି । କିନ୍ତୁ ରଞ୍ଜନ କଣ ସେଇ ଦୁର୍ବଳ ସମାଜର ଜଣେ ? ନା, ନା, ରଞ୍ଜନ ଅସାଧାରଣ । ଯେମିତି ଇଚ୍ଛା ସେମିତି ବଂଚିବ ସେ । ତା’ର ସୁଖଶାନ୍ତି ପଥରେ କୌଣସି ଅନ୍ତରାୟକୁ ସେ ଗ୍ରାହ୍ୟ କରିବ ନାହିଁ । ପୃଥିବୀର କୌଣସି ଶକ୍ତି କେବେହେଲେ ତାକୁ ବାଧା ଦେଇ ପାରିବ ନାହିଁ । ନା କଦାପି ନୁହେଁ ।

 

ଟେବୁଲ ଉପରେ ଥିୁଆ ହୋଇଥିବା ଗୋଟାଏ ସ୍କଚ ହୁଇସ୍କିର ବୋତଲ ଉଠାଇ ନେଇ, ଝରକାର ଲୁହା ରେଲିଂ ଦେହରେ ବାଡ଼େଇ ସେଇଟାର ସିଲ ଭାଙ୍ଗିଦେଲା ରଞ୍ଜନ । ତା’ ପରେ ମୁହଁ ଉପରେ ଟେକିଧରିଲା ଖୋଲା ବୋତଲଟାକୁ । ଉତ୍ତେଜନାରେ ଶୁଷ୍କ ହୋଇ ଆସିଥିଲା ତାର କଣ୍ଠ–ତାଳୁ ।

 

ଶରତର ଶାନ୍ତ ଗୋଧୁଳି । ଅସ୍ତାୟମାନ ସୂର୍ଯ୍ୟର ରକ୍ତରାଗରେ ରଞ୍ଜି ଯାଇଚି ଆକାଶ–ଅବନୀ । କାଶ–ଶୁଭ୍ର ମେଘମାଳା ଦିହରେ ସୁନାର ଚିକିମିକି । ସିନ୍ଦୁରର ରକ୍ତିମା । ଇନ୍ଦ୍ର ନୀଳମଣିର ନିଳୀମା ।

 

ଷ୍ଟେସନ ଆୁଡ଼କୁ ଯାଇଥିବା ସିଧା, ସରୁ ପିଚୁ ରାସ୍ତାଟା ଉପରେ ଛୁଟି ଚାଲିଛି ଚକୋଲେଟ ରଙ୍ଗର ଗୋଟିଏ ଅଷ୍ଟିନ କାର । ଗାଡ଼ିଟାର ଷ୍ଟିୟରିଂ ଆବୋରି ରହିଚି ବିଜୟାର ସୁଠାମ ସୁନ୍ଦର ଦୁଇଟି ସର୍ତକ ହାତ । ହୁଇଲଟା ଉପରେ ଝୁଙ୍କି ପଡ଼ିଛି ବିଜୟା । ସଫଳତାର ଗର୍ବରେ ଉଜ୍ଜ୍ୱଳ ହୋଇ ଉଠିଚି ତା’ର ମୁଖମଣ୍ତଳ । ବୁଡ଼ନ୍ତ ସୂର୍ଯ୍ୟର ରକ୍ତ ରାଗ ଭିତରେ ସେ ମୁହଁ ଦିଶୁଛି ଆହୁରି ସୁନ୍ଦର—ଆହୁରି ମନୋରମ । ବ୍ୟସ୍ତ ବିନ୍ୟସ୍ତ ଚୂର୍ଣ୍ଣକୁନ୍ତଳ ଉଡ଼ୁଛି ପବନରେ । ତୀର ବେଗରେ ଛୁଟି ଚାଲିଛି କାରଟା । ବିଜୟା ହୋଇ ଉଠୁଚି ଆତ୍ମହରା । ଅଳତାରଙ୍ଗା ପାଦର ଚାପରେ ଏକ୍ସିଲରେଟ୍‍ରଟା ଦବି ଯାଇଛି ତଳକୁ । ସ୍ପିଡ଼୍ ବଢ଼ୁଛି । ଅଠେଇଶିରୁ ତିରିଶି । ତିରିଶିରୁ ପଇଁତିରିଶି । ପଇଁତିରିଶିରୁ ଚାଳିଶ । ହୁଇଲ ଉପରେ ବିଜୟାର ହାତ ଦି’ଟା ଆହୁରି ସତର୍କ ହୋଇ ଉଠୁଚି । ଛାତି ତା’ର ଉଠୁଚି ପଡ଼ୁଚି ।

 

ଆଗରେ ଗୋଟାଏ ମୋଡ଼ । ବାଁ ଆଡ଼କୁ ହୁଇଲ ଘୂରିଗଲା । ନିମିଷକେ ଗାଡ଼ିଟା ମୋଡ଼ ବାଙ୍କି ସିଧାରାସ୍ତା ଧରିଲା । ଉମାଶଙ୍କର ଆନନ୍ଦରେ ଆତ୍ମହରା ହୋଇ ଉଠିଲେ ।

 

“ବାଃ, ଏଇ କେତେଦିନ ଭିତରେ ଗୋଟାଏ ଏକ୍ସପର୍ଟ ଡ୍ରାଇଭର ହେଇ ଉଠିଲୁ ତୁ ବିଜୀ-।’’

 

ବିଜୟାର ମୁହଁ ରଙ୍ଗା ପଡ଼ିଗଲା ଲାଜରେ ।

 

“ମୋର ଗୋଟାଏ ଡ୍ରାଇଭିଂ ଲାଇସେନ୍ସ କରି ଦିଅ ବାପା ।’’

 

ଅନୁଯୋଗର ସ୍ଵରରେ କହିଲା ବିଜୟା ।

 

“ହଁ ମା । କିନ୍ତୁ ଏଣିକି ସବୁଦିନେ କାରରେ ବସାଇ ବୁଢ଼ାପୁଅକୁ ତୋର ଏତିକିବେଳେ ଟିକିଏ ହାଓ୍ଵା ଖୁଆଇ ଆଣିବା ତୋର ଗୋଟାଏ କାମ ହେବ ।’’

 

କହିଲେ ଉମାଶଙ୍କର ।

 

“ଏଥିପାଇଁ ଗୋଟାଏ ମୋଟା ଅଙ୍କର ଦରମା ଚାହିଁ ବାବା । ଦରମାର ଅଙ୍କଟା ଆମର ହେନିଫ୍ ମିଆଁ ଡ୍ରାଇଭରର ଦରମାଠାରୁ ଯଥେଷ୍ଟ ବେଶି ହେବା ଆବଶ୍ୟକ ।’’

 

ଉମାଶଙ୍କର ହସୁଥିଲେ ।

 

ବିଜୟା ଗାଡ଼ିକୁ ପାଖେଇ ନେଉଥିଲା । ଆଗଆଡ଼ୁ ତୀର ବେଗରେ ଛୁଟି ଆସୁଥିଲା କଳା ରଙ୍ଗର ଗୋଟାଏ ହଡ଼ସନ କାର । ବିଜୟା ଲକ୍ଷ୍ୟ କଲା ଗାଡ଼ିଟାର ବେଗରେ ବିଶୃଙ୍ଖଳତା । ସ୍ପିଡ଼ କମେଇ ଯଥାସମ୍ଭବ ସତର୍କ ରହିଲା ନିଜର କାରଟାକୁ ଆଶୁ ଏକ୍ସିଡ଼େଣ୍ଟରୁ ବଂଚେଇ ନେବା ଲାଗି । ଉମାଶଙ୍କର ପରିସ୍ଥିତି ଲକ୍ଷ୍ୟ କରି ବ୍ୟସ୍ତ ହୋଇ ଉଠୁଥିଲେ ।

 

“ଦେ ମା’ ହୁଇଲଟା ମୋ ହାତକୁ ।’’

 

“ନା ବାବା ମୁଁ ପାରିବି ।’’

 

ଅଳ୍ପ ହସି କହିଲା ବିଜୟା ।

 

ଆଗ କାରଟା ଆସି ଯାଇଥିଲା ଖୁବ୍ ପାଖକୁ । ନିମିଷକ ଭିତରେ ବିଜୟାର ଅଷ୍ଟିନ ଦେହକୁ ପ୍ରାୟ ଲାଗି କ୍ରସ୍ କଲା ଗାଡ଼ିଟା । ସେଇ ନିମିଷରେ ବିଜୟା କାରଟାର ଡ୍ରାଇଭର୍‍କୁ ଚାହିଁ ଚମକି ଉଠିଲା । ମୁହୂର୍ତ୍ତକର ଦେଖା ଭିତରେ ସେ ବେଶ ଚିହ୍ନି ପାରିଥିଲା ରଞ୍ଜନକୁ ।

 

“ବଦମାସ୍ ।’’

 

ଚିତ୍କାର କରି ଉଠିଲା ବିଜୟା । କ୍ରୋଧ ଆଉ ଘୃଣ୍ୟରେ ମୁହଁ ତା’ର ଲାଲ ହୋଇ ଉଠିଲା । ଗାଡ଼ି ବ୍ରେକ କରି କାର୍‍ଟାର ନମ୍ଵର ଦେଖିବାକୁ ଚେଷ୍ଟା କଲେ ମଧ୍ୟ ଗାଡ଼ିଟା ଆଖି ଆଗରୁ ଅଦୃଶ୍ୟ ହୋଇ ଯାଇଥିଲା ।

 

ଫେରି ଆସି ବିଜୟା ଷ୍ଟାର୍ଟ ଦେଲା ଗାଡ଼ିରେ । ଗାଡ଼ି ପୁଣି ଛୁଟି ଚାଲିଲା ଷ୍ଟେସନ ଆଡ଼କୁ । କିନ୍ତୁ ବିଜୟା ମନରୁ ମରି ଯାଇଥିଲା ଫୁଲ୍ ସ୍ପିଡ଼ରେ ଗାଡ଼ି ଛୁଟେଇବାର ଆଗ୍ରହ । ମୁହଁ ଉପରୁ ନିଭି ଯାଇଥିଲା ଡ୍ରାଇଭିଂ ଶିଖିବାର ଚପଳ ଆନନ୍ଦ । ହୁଇଲ ଉପରେ ହାତ ଦେଇ ଭାବୁଥିଲା ସେ ରଞ୍ଜନର କଥା ।

 

ଉମାଶଙ୍କରଙ୍କର ବ୍ୟସ୍ତ ହୋଇ ଉଠିଲେ ।

 

“ହଠାତ୍ ଏମିତି ମନମରା ହୋଇଗଲୁ ଯେ ମା ।’’

 

“ଦେଖୁ ନାହାନ୍ତି ସେ ଗାଡ଼ିର ମଦୁଆ ଡ୍ରାଇଭରଟାକୁ । ଆଉ ଟିକିଏ ହେଇଥିଲେ ଯାଇଥିଲା ଆମ କାର୍‍ଟା ଆଉ କ’ଣ … ? ମୁହଁରେ ହସ ଫୁଟାଇବାର ବ୍ୟର୍ଥ ଚେଷ୍ଟା କରି କହିଲା ବିଜୟା ।’’

 

“ସେଥିପାଇଁ ଏତେ ଭାବିବାର କଣ ଅଛି ?’’

 

କହିଲେ ଉମାଶଙ୍କର ।

 

ବିଜୟା ଅପ୍ରତିଭ ହେଲା ସତେ ତ ! ସାମାନ୍ୟ ଗୋଟାଏ ଡ୍ରାଇଭରର ବେ–ଆଦପୀ ପାଇଁ ଏତେ ଭାବିବାର କ’ଣ ଅଛି ? ମନର ପ୍ରକୃତ ଭାବ ଲୁଚାଇବାର ଚେଷ୍ଟା କରି ସେ ଗାଡ଼ିର ସ୍ପିଡ଼ ବଢ଼ାଇ ଦେଲା ଏଥର । ଟିକିଏ ଚପଳ ହେବାକୁ ଚେଷ୍ଟା କଲା ।

 

ବିଜୟାର ମନୋଭାବ ବୁଝି ଉମାଶଙ୍କର ମନେ ମନେ ହସୁଥିଲେ । ସେ ଗାଡ଼ିର ହୁଇଲ ଧରି ବସିଥିବା ଲୋକଟି ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଏଡ଼ାଇ ପାରି ନ ଥିଲା । ସେ ମଧ୍ୟ ସେତିକି ବେଳୁ ଭାବୁଥିଲେ ରଞ୍ଜନର କଥା । ବିଜୟା ଯେ ତାକୁ ଦେଖି ଚିନ୍ତାମଗ୍ନ ହୋଇ ପଡ଼ିଚି ଏ କଥା ବୁଝିବାକୁ ବାକି ନ ଥିଲା ତାଙ୍କର ।

 

ଗାଡ଼ି ଭିତରେ ବସି ଗାଡ଼ି ଚଳାଉ ଚଳାଉ ବିଜୟା ଭାବୁଥିଲା ।

 

ତା’ରି ପାଖରେ ବସି ଦିଗନ୍ତ ଆଡ଼କୁ ଚାହିଁ ଉମାଶଙ୍କର ଚିନ୍ତା କରୁଥିଲେ ।

 

ଝାଉଁବନ ବିଥୀ ବନ ଭିତରେ ଦେଇ ଗାଡ଼ି ଛୁଟି ଚାଲିଥିଲା ଷ୍ଟେସନ ଆଡ଼କୁ । ମୃଦୁ ମନ୍ଦ ପବନର ହିଲ୍ଲୋଳରେ ଥରି ଉଠୁଥିଲା ବିଜୟାର ଗୋଲାପୀ ଶାଢ଼ିର ପ୍ରାନ୍ତ । ଷ୍ଟେସନ ହତା ଭିତରକୁ ପଶିଲା କାର୍‍ଟା। ଚୂର୍ଣ୍ଣ କୁନ୍ତଳ କେତୋଟି ମୁହଁ ଉପରୁ ଅପସରେଇ ଦେଇ ଗାଡ଼ିରେ ବ୍ରେକ୍ କଷିଲା ବିଜୟା ! ସିଟ୍‍ରୁ ଓହ୍ଲାଇ ଗୋଟିଏ ବିଶ୍ଵସ୍ଥ ଡ୍ରାଇଭର ପରି ଉମାଶଙ୍କରଙ୍କ ସିଟ୍‍ର ଦରଜା ଖୋଲି ଧରିଲା । ଫୁଟ୍ ବୋଡ଼ ଉପରେ ଗୋଟାଏ ପାଦ ରଖି ଓହ୍ଲାଉ ଓହ୍ଲାଉ ଉମାଶଙ୍କର ହସି ଉଠିଲେ । ସଙ୍ଗେ ସଙ୍ଗେ ବିଜୟା ମଧ୍ୟ ହସି ଉଠିଲା ।

 

ତା’ପରେ ଦୁହେଁ ଆଗେଇ ଗଲେ ମେନ ଏଣ୍ଟ୍ରାନ୍ସ ଦେଇ ପ୍ଲାଟଫର୍ମ ଭିତରକୁ । ଟାଇମ୍ ଟେବ୍ଲ ନିକଟକୁ ଯାଇ ଉମାଶଙ୍କର କହିଲେ—

 

“ଗାଡ଼ି ଆସିବାକୁ ଆହୁରି ଅଧଘଣ୍ଟାଏ ବିଳମ୍ଵ ଅଛି ମା । ବାହାରଟାରେ ବୁଲିବା କାହିଁକି-? ଆ ଟିକିଏ ଚା ଖାଇନେବା ଷ୍ଟଲରେ ।

 

ବିଜୟା ସେତେବେଳେକୁ ସେକେଣ୍ତ ପ୍ଲାଟଫର୍ମ ଛାଡ଼ି ବାହାରି ଯାଇଥିବା ଗୋଟାଏ ଡାଉନ୍ ପାସେଞ୍ଜର ଟ୍ରେନ ଆଡ଼କୁ ଚାହିଁ ରହିଥିଲା, କୌଣସି ଉଦ୍ଦେଶ୍ୟ ନେଇ ନୁହେଁ, ଖାଲି ଏମିତି-

 

ଉମାଶଙ୍କରଙ୍କ କଥାରେ ମୁହଁ ବୁଲେଇ ସେ ଟି.ଷ୍ଟଲ ଆଡ଼କୁ ଆଗେଇ ଯିବା ଆଗରୁ ତା ଆଗରେ ପହଞ୍ଚି ଯାଇଥିବା କମ୍ପାର୍ଟମେଣ୍ଟ ଆଡ଼େ ଦୃଷ୍ଟି ଦେଇ ସେ ଚମକି ପଡ଼ିଲା ।

 

ଗୋଟାଏ ସେକେଣ୍ତକ୍ଲାସ କମ୍ପାର୍ଟମେଣ୍ଟର ରେଲିଂଟାକୁ ବାଁ ହାତରେ ଧରି ଡାହାଣ ହାତରେ ମୁଣ୍ତର ପ୍ଳେଲ୍‍ଟ ହ୍ୟାଟ ଉଠେଇ ରଞ୍ଜନ ହଲଉଚି ।

 

ଏକ ଦୋଦୁଲ୍ୟମାନ ହସ୍ତରେ ଖଣ୍ତେ ଝରଣା ରୁମାଲ ଧରି, ତା’ରି ଆଡ଼କୁ ଛଳ ଛଳ ନେତ୍ରରେ ଅନେଇ ଠିଆ ହୋଇଛନ୍ତି ଜଣେ ତରୁଣୀ ।

 

କିନ୍ତୁ ରଞ୍ଜନ… ?

 

ବିଜୟାର ଅଷ୍ଟିନକୁ ଅତିକ୍ରମ କରି ଗାଡ଼ି ଛୁଟେଇ ସେ ଯେ ବିପରୀତ ଦିଗକୁ ଆଗେଇ ଗଲା ।

 

ବିଜୟାର ଅନ୍ୟମନସ୍କ ଭାବରେ ଆକୃଷ୍ଟ ହୋଇ ଫେରି ଚାହିଁଲେ ଉମାଶଙ୍କର । ତା’ରି ଦୃଷ୍ଟି ଅନୁସରଣ କରି ଆଖି ଆଗରେ ସମୁଦାୟ ଦୃଶ୍ୟଟି ଧରାପଡ଼ି ଯାଇଚି ତାଙ୍କର । ସେ ମଧ୍ୟ ଚିନ୍ତିତ ସ୍ଵରରେ ଡାକିଲେ ।

 

“ବିଜୟା ।’’

 

“ଯାଉଚି ବାବା ।’’

 

ନିରୋଳା ହୋଇ ପଡ଼ିଚି ଷ୍ଟଲଟି । ଗୋଟିଏ କୋଣରେ ପଡ଼ିଥିବା ଗୋଟିଏ ଛୋଟ ଗୋଲ ଟେବ୍‍ଲ ନିକଟକୁ ଆଗେଇ ଯାଇ ଦୁହେଁ ବସି ପଡ଼ିଲେ ।

 

ଷ୍ଟେସନରର ଅପେକ୍ଷା କରିବାକୁ ପଡ଼ିବ ବୋଲି ବିଜୟା ଭାବି ନ ଥିଲା । ଡ୍ରାଇଭିଂ କରିବାର ଉଦ୍ଦାମ ଆନନ୍ଦ ଭିତରେହିଁ ଆଗେଇ ଆସିଥିଲା ସେ ଷ୍ଟେସନକୁ । ଏକ ଅକାରଣ ଅପେକ୍ଷାରେ ମୁହଁରେ ତା’ର ଫୁଟି ଉଠିଲା ବ୍ୟସ୍ତତାର ଛାପ ।

 

ଉମାଶଙ୍କର ଟିକିଏ ହସିଲେ । କହିଲେ—

 

“ବ୍ୟସ୍ତ ହୋଇ ପଡ଼ିଲୁଣି ବୋଧହୁଏ । କିନ୍ତୁ ସଞ୍ଜୟ ନୂଆ ହୋଇ ପୁରୀକୁ ଆସୁଚି । ତା’କୁ ଷ୍ଟେସନରୁ ଧରିନେଇ ନ ଗଲେ ସେ ହୁଏତ ଅସୁବିଧାରେ ପଡ଼ିବ ।’’

 

ସମସ୍ତ ବ୍ୟସ୍ତତାର ଚିହ୍ନ ଅପସରି ଗଲା ବିଜୟା ମୁହଁରୁ, ତା’ ବଦଳରେ ତା’ ମନରେ ଜିଜ୍ଞାସା ଚେଇଁ ଉଠିଲା ସଞ୍ଜୟ…… ? କିଏ ସେ…… ?

 

ଉମାଶଙ୍କରଙ୍କର କଥାର ସୁଅ କିନ୍ତୁ ବନ୍ଦ ହୋଇ ନ ଥିଲା । ସେତେବେଳଯାଏ ସେ କହି ଚାଲିଥିଲେ—

 

“ସଞ୍ଜୟ ପିତୃହୀନ ହୋଇପଡ଼ିବା ଆଗରୁ ମୁଁ ତାକୁ ନିଜ ପୁଅ ପରି କୋଳରେ ଅନେକଥର ଧରିଥିଲି । ମୋତେ ପିତା ପରି ଭକ୍ତି ସେ ସବୁ ସମୟରେ କରୁଥିଲା । ତା’ପରେ ତା’ ବାପା ତା’ ପାଇଁ ବିଶାଳ ଜମିଦାରୀ ଆଉ ବିଧବା ମା’କୁ ଛାଡ଼ି ଚାଲିଗଲେ । ମୁଁ ଜୀବନରେ ମୋର ଜଣେ ପରମବନ୍ଧୁକୁ ଚିରଦିନ ପାଇଁ ହରାଇ ବସିଲି ।’’

 

“ଜମିଦାରୀ ଚଳେଇବାକୁ ସଞ୍ଜୟ ଅନୁପଯୁକ୍ତ ନ ଥିଲା । କିନ୍ତୁ ତା’ର ଜ୍ଞାନାର୍ଜନ ସ୍ପୃହା ତାକୁ ବନ୍ଧନରେ ପକେଇ ପାରିଲା ନାହିଁ । ବିଶ୍ଵସ୍ତ ଦେଓ୍ଵାନ ହସ୍ତରେ ଜମିଦାରୀ ଛାଡ଼ି ଦେଇ ସେ ଆଗେଇଗଲା ଇଉନିଉସିଟିର ବିସୃତ ପ୍ରାଙ୍ଗଣକୁ । ବର୍ତ୍ତମାନ ସେ ଜଣେ ନାମଜାଦା ବିଶ୍ଵବିଦ୍ୟାଳୟ ଛାତ୍ର । ବାୟୁ ପରିବର୍ତ୍ତନ କରିବାକୁ ପୁରୀ ଆସୁଚି । ଏ ବର୍ଷଟା ନଷ୍ଟ କରିବାକୁ ସେ ପସ୍ତୁତ ନଥିଲା । କିନ୍ତୁ ସ୍ଵାସ୍ଥ୍ୟ ପରମଧନ ଦୃଷ୍ଟିରୁ ମୁଁ ତାକୁ ବାଧ୍ୟ କରିଚି ଏଥିପାଇଁ ।’’

 

ବିଜୟାର ଜାଣିବାକୁ ଆଉ ବାକି ରହିଲା ନି କିଛି । ଉମାଶଙ୍କର ଚା’କପ୍‍ଟା ପାଖକୁ ଉଠେଇ ନେଲେ ।

 

ଭୁସ୍ ଭୁସ୍ ହୋଇ ଟ୍ରେନ୍‍ଟା ଆସି ପ୍ଲାଟଫର୍ମକୁ ଲାଗି ଠିଆ ହୋଇପଡ଼ିଲା । ଖବରକାଗଜ ବିକାଳିର ଚିତ୍କାର ସହିତ ‘ପାନ-ବିଡ଼ି’, ‘ଚା-ଗରମ’ର ଆବାଜ ମିଶି ସୃଜନ କଲା ଏକ ଶ୍ରୁତି କଟୁ ଶବ୍ଦ । ତା’ରି ଭିତରେ ସଞ୍ଜୟ ଗୋଟିଏ ସେକେଣ୍ତ କ୍ଳାସ କମ୍ପାର୍ଟମେଣ୍ଟ ଭିତରୁ ବାହାରି ପଡ଼ିଲା । ଗୋଟିଏ ହାତରେ ତା’ର ଟିଫିନକାରିଅର୍ ଅନ୍ୟ ହାତରେ ଖଣ୍ତେ ଇଂଲିଶ୍ ଖବର କାଗଜ-

 

ବିଛଣା ଆଉ ସୁଟକେଶଟା ପାଇଁ କୁଲିଟେ ଚଢ଼ିଚି କମ୍ପାର୍ଟମେଣ୍ଟ ଭିତରକୁ । ଇତି ମଧ୍ୟରେ ଉମାଶଙ୍କର ଆସି ପହଞ୍ଚି ଯାଇଥିଲେ ସଞ୍ଜୟ ପାଖରେ । ସାଙ୍ଗରେ ତାଙ୍କର ବିଜୟା । ପ୍ଲାଟଫର୍ମର ହଜାରେ ଲୋକଙ୍କ ଭିତରେ ଜଣେ ଫୁଲ୍ ପେଣ୍ଟ ପିନ୍ଧା, ଆଧୁନିକ ଉଚ୍ଚଶିକ୍ଷିତ ଯୁବକ, ଏକ ପକ୍ଵକେଶ, ଧୋତି ପଞ୍ଜାବୀ ପରିହିତ ବୃଦ୍ଧଙ୍କ ପାଦତଳେ ମୁଣ୍ତ ଲଗାଇଲେ ।

 

ଉମାଶଙ୍କର ନିଜର ପ୍ରଥମ କର୍ତ୍ତବ୍ୟ ସାରିଦେବାକୁ ତତ୍ପର ହୋଇ ଉଠିଲେ । ସଞ୍ଜୟ ଆଉ ବିଜୟା ଭିତରେ ଏକ ମାମୁଲି ଧରଣର ପରିଚୟ ହେଲା ଷ୍ଟେସନରେ ତା’ପରେ ସମସ୍ତେ ଆଗେଇ ଗଲେ, ଚକୋଲେଟ୍ ରଙ୍ଗର ଅଷ୍ଟିନ୍ କାରଟା ପାଖକୁ । ଏକ ଜୀବନ୍ତ ସ୍ପର୍ଶରେ ମୁଖରିତ ହୋଇ ଉଠିଲା କାର୍‍ଟା। ତା’ପରେ ଛୁଟି ଚାଲିଲା ତା’ର ଗନ୍ତବ୍ୟ ପଥରେ ।

 

ପଛ ସିଟରେ ବସି ବୃଦ୍ଧ ଉମାଶଙ୍କର ଆଉ ସଞ୍ଜୟ ସୁଖ-ଦୁଃଖ ହେବାରେ ଲାଗିପଡ଼ିଛନ୍ତି । ଉମାଶଙ୍କରଙ୍କର ସମସ୍ତ ପ୍ରଶ୍ନଗୁଡ଼ିକୁ ‘ହ’ ଆଉ ‘ନାହିଁ’ ରେ ତୃପ୍ତ କରି ସଞ୍ଜୟ ସମୟ କରିଦେଇ ଚାହୁଁଚି ରାସ୍ତା ଦି’ କଡ଼ର ପ୍ରାକୃତିକ ସମ୍ପଦକୁ ଏକ ଲୋଲୁପ ଦୃଷ୍ଟିରେ । ସେ ଭାବୁଚି କେଡ଼େ ସୁନ୍ଦର ଆଉ ଶାନ୍ତିଦାୟକ ପୁରୀର ଏଇ ମସୃଣ ରାସ୍ତା ଆଉ ତା ଦି’କଡ଼ର ଝାଉଁ ବଣ ।

 

ରାସ୍ତା ସରିଆସୁଚି ।

 

ବିଜୟା ଭାବୁଚି ତା’ ନିଜ କଥା । ଯାହା ଭାବିବାକୁ ଏତେବେଳଯାଏ ସମୟ ସେ ପାଇନଥିଲା । କ’ଣ ତା’ର ଲକ୍ଷ୍ୟ । ରଞ୍ଜନର ଉଷ୍ଣ ରକ୍ତ, ନା, ରକ୍ତ ମାଂସର ସେଇ ଦେହଟା । କାହାକୁ ନେଇ ସେ କରିବ ତର୍ପଣ ଆଉ ନେବ ତା’ର ବଂଶ ହତ୍ୟାର ପ୍ରତିଶୋଧ । ଦିନଗୁଡ଼ାକ ତାକୁ ଫାଙ୍କିଦେଇ ବିତିଯାଉଚି ବେଶ୍ । ତା’ କାମ ଆଗେଇ ପାରିନି ଟିକିଏ ହେଲେ । ରଞ୍ଜନର ପତ୍ତା ମଧ୍ୟ ପାଇନି ସେ ଆଜିଯାଏ । କେଉଁଠି ରହେ ସେ ଆଉ କେମିତି ସମାଜ ନେଇ ସେ ଚଳେ, ତାହା ଜାଣିବାର ଆବଶ୍ୟକତା ତା’ର ବଢ଼ି ଯାଇଚି ଅନେକ ପରିମାଣରେ । ଅଥଚ ସେ ଦିଗରେ ପାଦେ ହେଲେ ଆଗେଇ ପାରି ନି ସେ ଆଜିଯାଏ ।

 

ଶେଷପର୍ଯ୍ୟନ୍ତ ବିଜୟା କଣ ତା’ର ପ୍ରତିଜ୍ଞାକୁ କେବଳ ପ୍ରତିଜ୍ଞାରେହିଁ ରଖିଯିବ ? ମନର ସମସ୍ତ ରଙ୍ଗିନ୍ ଆଶାକୁ ଜଳାଞ୍ଜଳି ଦେଇ ସେ ଯେଉଁ ବ୍ରତ ଗ୍ରହଣ କରିଚି ତା’ର ଉଦ୍‍ଯାପନର ରୂପ କ’ଣ ଏଇଆ ?

 

ଗାଡ଼ିଟାର ବ୍ରେକ ଦେଇ ଗାଡ଼ିଟାକୁ ସେ ଗାରେଜ୍‍ର ଦୁଆର ମୁହଁରେ ଅଟକାଇ ନେଲା-। ଓହ୍ଲାଇ ପଡ଼ିଲେ ତିନିଜଣ ଯାକ ।

 

ବିଜୟାର ଚିନ୍ତାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ି ନ ଥିଲା । ଆଗେଇ ଯାଉଁ ଯାଉଁ ସେ କହିଲା-

 

“ବାବା, ମୁଁ ଭାରି କ୍ଳାନ୍ତ ହୋଇ ପଡ଼ିଚି । ଆପଣମାନେ ଗପ କରନ୍ତୁ । ମୁଁ ପୂଜାରୀକୁ କହିଦେଇ ଯାଉଚି ଟିକିଏ ବିଶ୍ରାମ ନେବି ।’’

 

ଉମାଶଙ୍କର ଆପତ୍ତି କଲେନି । ସେ ମନେକଲେ ନୂଆ ଏତେବାଟ ଡ୍ରାଇଭିଂ କରିବା ଫଳରେ ବିଜୟା ହୁଏତ କ୍ଳାନ୍ତ ହୋଇ ପଡ଼ିଚି । କହିଲେ—

 

“ହଁ ଯା, ମା । ତୋ ପକ୍ଷରେ ବିଶ୍ରାମ ନିହାତି ଦରକାର ।’’

 

ସଙ୍କୁଚିତା ବିଜୟା ସିଡ଼ି ଉପରକୁ ଉଠିଗଲା । ସେ କିନ୍ତୁ ଏକା ଉମାଶଙ୍କରଙ୍କୁ ନୁହେଁ, ସଞ୍ଜୟକୁ ମଧ୍ୟ ଫାଙ୍କି ଦେଲା । ଅସଲ କଥା, ସେ ଟିକିଏ ନିର୍ଜନତା ଦରକାର କରୁଥିଲା ।

 

ନିଜ କୋଠରୀରେ ପ୍ରବେଶ କରି, ତକିଆରେ ମୁଣ୍ତ ଗୁଞ୍ଜି ସେ ଟିକିଏ କାନ୍ଦିବାକୁ ଚେଷ୍ଟା କଲା । ପୁରୁଣା ଦିନର କେତେଟା ଅଲିଭା ସ୍ମୃତି ମନ ଭିତରେ ତା’ର ତୀବ୍ର ଆଲୋଡ଼ନ ସୃଷ୍ଟି କରୁଥିଲେ । ବିଜୟାର ମନ ଶାନ୍ତି ପାଇବାକୁ ଅତି ବ୍ୟାକୁଳ ହୋଇ ଉଠୁଥିଲା ।

 

କିନ୍ତୁ……..

 

ରଞ୍ଜନକୁ ଫାଶିକାଠରେ ଝୁଲେଇ ଶାନ୍ତି ସେ ପାଇବ କୁଆଡ଼ୁ ?

 

ତା’ ପରଦିନ ସକାଳେ— ।

 

ସଞ୍ଜୟ ସହିତ ସମୁଦ୍ର କୂଳରେ ଅନ୍ୟମନସ୍କ ଭାବେ ପଦଚାରଣ କରୁ କରୁ ବିଜୟା-ସଞ୍ଜୟ ଆଗେଇ ଯାଇଥିଲେ ଅନେକ ଦୂରକୁ । ପ୍ରଥମ ପରିଚୟ ପରେ ଦି’ ଜଣଙ୍କର କଥାବାର୍ତ୍ତାର ସୁଅ ଘନିଷ୍ଠତା ଆଡ଼କୁ ଗତି କରିବାର ଚେଷ୍ଟା କରୁଥିଲା । ବିଜୟା କିନ୍ତୁ କଥାବାର୍ତ୍ତାରେ ସଂପୂର୍ଣ୍ଣ ମନୋନିବେଶ କରି ପାରୁ ନ ଥିଲା । ମଝିରେ ମଝିରେ ଅନ୍ୟ ମନସ୍କ ହୋଇ ଉଠୁଥିଲା ସେ । ଏବଂ ସଞ୍ଜୟ ତାହା ଲକ୍ଷ୍ୟ କରିବା ପୂର୍ବରୁ ନିଜକୁ ସମ୍ଭଳି ନେଉଥିଲା ମଧ୍ୟ ।

 

‘ଓସେନଭିଉ’ ହୋଟେଲ ଆଗରେ ପହଞ୍ଚି ସଞ୍ଜୟ କହିଲା—

“ସମୁଦ୍ରରେ ସୂର୍ଯ୍ୟୋଦୟ ଦେଖିବାର ଉଦବେଗ ଭିତରେ ଚା’ କଥା ମୁଁ ଭୁଲି ଯାଇଥିଲି ଏକେବାରେ । ଆସନ୍ତୁ ଏଇ ହୋଟେଲଟାରେ ଆପାତତଃ ସେ ପର୍ବଟା ଶେଷକରି ନିଆଯାଉ ।

 

“ଆଛା ଚାଲନ୍ତୁ” କହି ଅନ୍ୟମନସ୍କ ବିଜୟା, ସଞ୍ଜୟ ସହିତ ପାଦ ବଢ଼ାଇଲା ସେହି ହୋଟେଲ ଆଡ଼କୁ ।

 

“ଓସେନଭିଉ” ହୋଟେଲର ବିରାଟ ହଲ ଘରେ ଗୋଟିଏ ଛୋଟ ଟେବୁଲ ଅଧିକାର କରି ଦିହେଁ ବସିଲେ । ବୟକୁ ଡାକି ସଞ୍ଜୟ କିଛି ଜଳଖିଆ ଆଉ ଚା ଆଣିବାକୁ କହି ପୁଣି ବିଜୟା ସହିତ ଗପ ଆରମ୍ଭ କରି ଦେଲା ।

 

“ବାସ୍ତବିକ୍ ବିଚିତ୍ର ଏଇ ପୁରୀଧାମ” ସଞ୍ଜୟ ତା’ର ପୂର୍ବ ଆଲୋଚନାର ଖିଅ ଯୋଡ଼ୁଥିଲା । “ଏଠାକୁ ଆସି ମନେ ହୁଏ ନୀଳାଚଳର ଉଚ୍ଚ ଆସନରେ ବସି ସୃଷ୍ଟି, ସ୍ଥିତି, ସଂହାର ପ୍ରତୀକ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଯେପରି ବ୍ରହ୍ମାଣ୍ତର ପରିଚାଳନକୁ ନିୟନ୍ତ୍ରଣ କରୁଚନ୍ତି । ଶ୍ରୀକ୍ଷେତ୍ରର ପବିତ୍ର ଭୂଇଁରେ ପାଦ ଦେଲାମାତ୍ରେ କି ଏକ ଅପୂର୍ବ ପୁଲକରେ ପ୍ରାଣ ମନ ଭରିଯାଏ । ଲାଗେ ବିଶ୍ଵସ୍ତ ଷ୍ଟାର ଏଇ ଖାସମହଲରେ, ନୀଳଚକ୍ରର ପତିତପାବନ ଧ୍ଵଜା ତଳେ, ଯେମିତି ନାହିଁ ଭୟ, ନାହିଁ ଭ୍ରାନ୍ତି । ସାମ୍ୟ ମୈତ୍ରୀର ଏଇ ପବିତ୍ର ପୀଠରେ ଅଛି ଯେପରି ଖାଲି ବିମଳ ଶାନ୍ତି ଆଉ ଅଫୁରନ୍ତ ଆନନ୍ଦ……”

 

ହଠାତ୍ ଭାବପ୍ରବଣ ସଞ୍ଜୟର ତନ୍ମୟତା ଭାଙ୍ଗିଗଲା । ସେ ଦେଖିଲା ହଲର କୋଠରୀର ଭିତର ପଟ ଦରଜା ଆଡ଼କୁ ଚାହିଁ ବିଜୟା କିପରି ଉତ୍ତେଜିତ ହୋଇ ଉଠୁଚି ।

 

“କଣ ହେଲା ଆପଣଙ୍କର ?’’

 

ସଞ୍ଜୟ ବ୍ୟସ୍ତ ହୋଇ ଉଠୁଥିଲା ।

 

“କିଛି ନାଇଁ ।’’

 

ନିଜକୁ ସଂଯତ କରିବାର ଚେଷ୍ଟା କରୁ କରୁ କହିଲା ବିଜୟା, “ମୋତେ ଅଳ୍ପ ସମୟ ପାଇଁ କ୍ଷମା କରନ୍ତୁ ।’’ କହି ଚେୟାର ଛାଡ଼ି ଛିଡ଼ା ହେଲା ସେ । ସେତେବେଳକୁ ରଞ୍ଜନ ଦୁଆର ଟପି ହଲ ଭିତରେ ପାଦ ରଖୁଥିଲା, ବିଜୟା ଦୃତ ଚିନ୍ତା କରୁ କରୁ ଧୀରେ ଆଗେଇ ଯାଉଥିଲା ତା’ ଆଡ଼କୁ ।

 

ବିଜୟା ଉପରେ ରଞ୍ଜନର ଦୃଷ୍ଟି ପଡ଼ିବାକ୍ଷଣି ଚମକି ଉଠିଲା ସେ । ତା’ ଆଡ଼କୁ ଚାହିଁ ମୁହୂର୍ତ୍ତକ ଲାଗି ବିସ୍ମୟ ବିମୂଢ଼ ହୋଇ ଥମକି ଠିଆ ହେଲା । ମୁହଁ ତା’ର ଶେଥା ପଡ଼ି ଯାଇଥିଲା । କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ ସେ ପ୍ରଥମେ ଆରମ୍ଭ କରି ଦେଲା ।

 

“ଆରେ ବିଜୀ ଯେ ! ତମେ କେଉଁଦିନ ?’’

 

ରଞ୍ଜନର କଣ୍ଠରେ ନକଲ ବିସ୍ମୟ ।

 

ଘୃଣା ଆଉ ରାଗରେ ଜଳି ଉଠୁଥିଲା ବିଜୟାର ଅନ୍ତର । ନିଜକୁ ସଂଯତ କରୁ କରୁ ସେ ମଧ୍ୟ କହି ଉଠିଲା—ବିସ୍ମୟ ବିହ୍ଵଲ କଣ୍ଠରେ—

 

“ଆରେ ରାଜୁ ଭାଇ ଯେ ।’’ ରଞ୍ଜନର ଡାକନାମ ରାଜୁ । “ତୀର୍ଥ କରିବା ଭଳି ସଦ୍‍ବୁଦ୍ଧି କେବେଠୁଁ ହେଲା ତମର ?’’

 

କହୁଁ କହୁଁ ଆଗେଇ ଯାଇ ରଞ୍ଜନକୁ ଘେନି ଆସିଲା ସେମାନେ ଯେଉଁ ଟେବୁଲ ପାଖରେ ବସିଥିଲେ ସେଇ ଟେବୁଲ ପାଖକୁ । ସଞ୍ଜୟ ସେଠି ଏକୁଟିଆଟି ହୋଇ ବସି ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଚାହିଁରହିଥିଲା ବିଜୟା ଓ ରଞ୍ଜନ ଆଡ଼କୁ ।

 

“ଏ ହେଉଛନ୍ତି ଶ୍ରୀମାନ୍ ସଞ୍ଜୟ ମହାପାନ୍ତ୍ର ଏମ, ଏ ମୋର ବନ୍ଧୁ ।’’ ତା’ପରେ ରଞ୍ଜନ ଆଡ଼କୁ ଚାହିଁ—“ଏ ହେଉଚନ୍ତି ଶ୍ରୀମାନ୍ ରଞ୍ଜନ ରାୟ । ତୁଳସୀପୁର ଜମିଦାରଙ୍କର କନିଷ୍ଠ ପୁତ୍ର ଏବଂ ମୋର ଭାବୀ ଭଗିନୀପତି ।’’

 

ନାଟକୀୟ ଭଙ୍ଗିରେ ଏତିକି କହି ଅତି ସାବଧାନତା ସହକାରେ ବିଜୟା ରଞ୍ଜନର ଭାବାନ୍ତର ଲକ୍ଷ୍ୟ କରିବାକୁ ଲାଗିଲା ।

 

ବିଜୟା ରଞ୍ଜନକୁ ତା’ର ଭାବୀ ଭଗ୍ନୀପତି ରୂପେ ପରିଚିତ କରାଇ ଦେଲା ବେଳେ, କ୍ଷଣକ ଲାଗି ରଞ୍ଜନର ମୁହଁରେ ଫୁଟି ଉଠିଲା ବିସ୍ମୟ । ପର ମୁହୂର୍ତ୍ତରେ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା ସେ ମୁହଁ । ବିଜୟା ବୁଝିଲା ରଞ୍ଜନ ମୁହଁରେ ଆନନ୍ଦର ଏ ଉଜ୍ଜ୍ୱଳତା ତା’ର ଭାବୀ ଭଗ୍ନୀପତି ହେବାର ଗୌରବ ବହନ କରି ନାହିଁ । ବରଂ ବିଜୟା କଥାରେ ମନରୁ ତା’ର ମସ୍ତବଡ଼ ଦୁଶ୍ଚିନ୍ତା କଟି ଯାଇଛି । ସେ ଅତି ମାତ୍ରାରେ ଆନନ୍ଦିତ ହୋଏଚି ଯେ ବିଳାସପୁରରେ ଅତି ସାବଧାନତା ସହକାରେ ସେ ଯେଉଁ ପୈଶାଚିକ କର୍ମ ସମ୍ପନ୍ନ କରି ଆସିଚି ବିଜୟା ସେ ସମ୍ଵନ୍ଧରେ କିଛି ବି ଜାଣେ ନାହିଁ ।

 

ତା’ପରେ ରଞ୍ଜନର ଆନନ୍ଦୋଜ୍ଵଳ ମୁହଁ ଉପରେ ହଠାତ୍ ଘୋଟିଆସିଲା ଦୁଃଖ ଆଉ ଗାମ୍ଭୀର୍ଯ୍ୟର ଏକ କୃତ୍ରିମ ଆବରଣ । ବିଜୟା ବୁଝିଲା ବର୍ତ୍ତମାନ ଏ ନର ପିଶାଚ ଗାଁ ଖବର କହିବା ଛଳରେ ରଙ୍ଗ ଦେଇ ଅକୁଣ୍ଠିତ ଚିତ୍ତରେ ଚିତ୍ରି ବସିବ ସ୍ଵ-କୃତ ଦୁଷ୍କର୍ମର କରୁଣ କାହାଣୀ । ହୁଏତ ନିଜ ହାତରେ ଅଗ୍ନୀ—ସମାଧି ଦେଇଥିବା ପ୍ରେୟସୀ ମିନତୀ ଉଦ୍ଦେଶ୍ୟରେ ବର୍ତ୍ତମାନ ତା’ର ଗଣ୍ତବାହି ଝରି ପଡ଼ିବ ଧାର ଧାର ଅଶ୍ରୁ । ଅସହାୟା ବିଜୟାର ଦୁଃଖରେ ତା’ର ଛାତି ଥରାଇ ବାହାରି ଆସିବ ପଞ୍ଜରାଭେଦୀ ଦୀର୍ଘଶ୍ଵାସ । ରଞ୍ଜନର ଏ ଅଭିନୟ ବିଜୟା ସହି ପାରିବନି ହୁଏତ । ଫଳରେ ସେ ଜ୍ଞାନ ହରାଇ ବସିବ ।

 

ବିଜୟା ଚାହୁଁ ନ ଥିଲା ତା’ର ପ୍ରକୃତ ସ୍ଵରୂପ ନେଇ ରଞ୍ଜନକୁ ଏତେ ଶିଘ୍ର ଭେଟିବାକୁ । ଧୂର୍ତ୍ତ ରଞ୍ଜନକୁ ସମ୍ମୁଖ ସଂଗ୍ରାମରେ ଭେଟିବା ଭଳି ସାହାସ ନଥିଲା ବିଜୟାର । ଯେତେହେଲେ ନାରୀ, ଅବଳା ସେ । ସେ ଚାହୁ ଥିଲା କୌଶଳରେ କାମ ହାସଲ କରିବାକୁ । ରଞ୍ଜନର ଅଭିନୟ ଆରମ୍ଭ ହେବା ପୂର୍ବରୁ ବିଜୟା ଅତି ତର ତରରେ କହିଲା—“ଆଉଦିନେ ଆସି ତୁମଠାରୁ ଗାଁ ଖବର, ଘରର ହାଲଚାଲ ଶୁଣିଯିବି । ଏଇଠି ରହୁଚଟି ତୁମେ ? ଆଜି ମୁଁ ବଡ଼ ବ୍ୟସ୍ତ । କ୍ଷମା କରିବ-।’’

 

ରଞ୍ଜନ ବିଜୟାଠାରୁ ଏତେ ଶିଘ୍ର ଓ ସୁବିଧାରେ ଅବ୍ୟାହତି ପାଇଯିବ ବୋଲି ଆଶା କରୁ ନ ଥିଲା । ବିଜୟାର ଏ ପ୍ରସ୍ତାବରେ ଖୁବ୍‍ ଖୁସି ହେଉଥିଲା ସେ ମନେ ମନେ ।

 

“ଆଉଦିନେ ତ ଆସିବ ବୁଝିଲି । କିନ୍ତୁ ଆଜି ଅନ୍ତତଃ ମୋ ସହିତ ଟିକିଏ ଚା ଖାଇଯିବାକୁ କ’ଣ ହାତରେ ସମୟ ନାହିଁ ତମର ?’’

 

ସେମାନଙ୍କ ସହିତ ଚେୟାର ଛାଡ଼ୁ ଛାଡ଼ୁ ଲୌକିକ ଭଦ୍ରତା ଦେଖାଇ ଏତିକି କହିଲା—ରଞ୍ଜନ ।

 

“ନା ରାଜୁଭାଇ ଆଜି ଥାଉ । ତୁମେ ପହଞ୍ଚିବା ପୂର୍ବରୁ ସେ କାମଟା ସାରିନେଇଚୁ ଆମେ-।’’

 

ନମସ୍କାର ଆଦାନ ପ୍ରଦାନ ପରେ ବିଜୟା ଓ ସଞ୍ଜୟ ଚାଲିଗଲେ । ସେମାନଙ୍କୁ ବାଟ ବଳେଇ ଦେଇ ରଞ୍ଜନ ଫେରିଆସିଲା ପରିତ୍ୟକ୍ତ ଟେବୁଲଟା ପାଖକୁ ।

 

ବିଜୟା ସମ୍ଵନ୍ଧରେ ତା’ର ଦୁଶ୍ଚିନ୍ତା କଟି ଯାଇଥିଲେ ମଧ୍ୟ ସେମାନେ ଚାଲିଗଲା ପରଠୁ ରଞ୍ଜନ କାହିଁକି କେଜାଣି ଅତି ଚିନ୍ତିତ ହୋଇ ପଡ଼ିଲା । ମନଟା ତା’ର ଅକାରଣରେ ଖରାପ ହୋଇଗଲା ହଠାତ୍ । ପୁରୀବାସର ଏଇ କେତେଦିନ ପରେ ସେ ଆଜି ପ୍ରଥମ କରି ମର୍ମେ ମର୍ମେ ଅନୁଭବ କରୁଥିଲା, ପୁରୀ ସେ ଯେତେ ଶିଘ୍ର ଛାଡ଼ି ପାରେ, ତା ପକ୍ଷରେ ସେତେ ମଙ୍ଗଳ । ଏପରିକି ପୁରୀରେ ଆଉ ମୁହୂର୍ତ୍ତେ ରହିବାକୁ ମନ ତା’ର ଚାହୁଁ ନ ଥିଲା । ଅଥଚ ପୁରୀବାସର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ତା’ର ସଫଳ ହେଇନି ।

 

ନିଜର ଏ ଆକସ୍ମିକ ପରିବର୍ତ୍ତରେ ଆଶ୍ଚର୍ଯ୍ୟ ହେଲା ରଞ୍ଜନ । ତା’ର ଏ ଅକାରଣ ଉଦବେଗର ହେତୁ ଖୋଜି ପାଉ ନ ଥିଲା ସେ । ଭା’ରି ବିରକ୍ତ ଲାଗିଲା ତାକୁ । ନିଜର ଏ ଅକାରଣ ଦୂର୍ବଳତା ତା’ର ଅହସ୍ୟ ହୋଇ ଉଠୁଥିଲା । ସମସ୍ତ କଥା ତଳେଇ କରି ଯେତିକି ଚିନ୍ତା କରି ବସୁଥିଲା ସେ, ସେତିକି ଅନୁଭବ କରୁଥିଲା ନିଜର ଅସ୍ତିତ୍ଵ ଏକ ଧନ୍ଧା ଭିତରେ ।

 

ଟେବଲ୍‍ ଉପରେ କଫି କପ୍‍ଟା ରଖି ଦେଇ ବୟ ନିଃଶବ୍ଦରେ ଅପସରି ଯାଇଥିଲା । ତାକୁ ପଛରୁ ଡାକି କଫି ଫେରାଇ ନେଇ ଗୋଟାଏ ପେଗ୍ ହୁଇସ୍କି ଆଉ ସୋଡ଼ା ଆଣିବାକୁ ଆଦେଶ ଦେଲା ରଞ୍ଜନ । ସାହେବଙ୍କର ସକାଳୁ ହଠାତ୍ ଏ ଚାଟ୍ ପରିବର୍ତ୍ତନରେ ବୟ ଟିକିଏ ଆଶ୍ଚର୍ଯ୍ୟ ହେଲେ ମଧ୍ୟ, ତା’ର ହେତୁ ସମ୍ଵନ୍ଧରେ ଅକାରଣ ମୁଣ୍ତ ନ ଖେଳାଇ ନିଃଶବ୍ଦରେ ଆଦେଶ ପାଳନ କଲା ସେ ।

 

ରଞ୍ଜନର ଜୀବନ ଯୁଗ୍ମମୁଖୀ ସବୁଦିନେ । ଭଦ୍ର ମୁଖୋସର ଅନ୍ତରାଳରେ ଆତ୍ମଗୋପନ କରି ସେ ଯେତେବେଳେ ଭଦ୍ରଜୀବନ ଯାପନ କରିବାକୁ ଚେଷ୍ଟାକରେ, ସେତେବେଳେ ତା'ର ଅଭିନୟର ଏତେ ଟିକିଏ ଖୁଣ ନ ଥାଏ । ସେତିକିବେଳେ ଅନେକ ଭଦ୍ରବଂଶ ସହିତ ପରିଚିତ ତା’ର ଦୃଢ଼ ହୋଇ ଉଠେ । ଖୁବ୍ ଜାକଜମକରେ ଜୀବନଟାକୁ ସେତିକିବେଳେ ସେ ଉପଭୋଗ କରିନିଏ ।

 

କିନ୍ତୁ ଏଇ ଜୀବନ ତା’ର ଅସୀମ ନୁହେଁ । ବରଂ ଏମିତି ଜୀବନ ତା’କୁ ବ୍ୟତିବ୍ୟସ୍ତ କରିପକାଏ ବେଶି । ଆଉ ମନ ଚାହେଁ ସବୁବେଳେ ତା’ର ସତ୍ୟ ପରିଚୟ ନେଇ ଆତ୍ମପ୍ରକାଶ କରିବାକୁ । ରଞ୍ଜନର ଭଦ୍ର ପରିଚୟ ଏକ ସଂମ୍ଭ୍ରାତ ଜମିଦାର ତନୟ ହେଲେହେଁ ତା’ର ଅସଲ ପରିଚୟ—ସେ ଏକ ସ୍ଵଭାବ ଅପରାଧୀ । ସେ ଡାକୁ, ଖୁନୀ ଏବଂ ଜୁଆଚୋର ।

 

ରଞ୍ଜନ ସମୁଦ୍ର କୂଳରେ ସେଇ ହୋଟେଲଟିରେ ଦିନ ଯାପନ କରୁଥିଲା ତା’ର ଛଦ୍ମ ପରିଚୟ ନେଇ । ଏବଂ ସେଇ ପରିଚୟ ନେଇ ପୁରୀର ଧନଶାଳୀ ସମାଜରେ ଅଳ୍ପଦିନ ଭିତରେ ସେ ଯଥେଷ୍ଟ ପ୍ରଭାବ ବିସ୍ତାର କରି ପାରିଥିଲା । ଏପରିକି ସେଇ ପରିଚୟ ଓ ନିଖୁଣ ଅଭିନୟର ଜୋରରେ ସୁହାସିନୀ ଭଳି ଏକ ଧନୀର ଦୁଲାଳି ସହିତ ଅବାଧ ମିଳାମିଶାର ସୁଯୋଗ ଲାଭ କରି ଥିଲା, ଏବଂ ସୁହାସିନୀର ଲକ୍ଷପତି ପିତା, ପ୍ରଫେସର ଚୌଧୁରୀଙ୍କ ଭଳି ରଞ୍ଜନକୁ ଯା’ମାତା ରୂପେ ପାଇ ଧନି ହେବାର ସ୍ଵପ୍ନ ଦେଖୁଥିଲେ । ସରଳା ସୁହାସିନୀ ମିନତି ଭଳି ନିର୍ବିଚାରରେ ଢାଳି ଦେଇଥିଲା ନିଜର ସର୍ବସ୍ଵ ଭଦ୍ର ମୁଖୋସଧାରୀ, ଚରିତ୍ରହୀନ ଏଇ ନରପିଶାଚର ପାଦତଳେ ।

 

ସେଇମିତି ଆହୁରି କିଛିଦିନ ସେ କଟାଇ ଦେଇ ପାରିଥାନ୍ତା ହୁଏତ କିନ୍ତୁ ବିଜୟା ସହିତ ଆଜି ସକାଳର ଏଇ ଦେଖା ପରଠୁ ସେ ମର୍ମେ ମର୍ମେ ଅନୁଭବ କରୁଚି ତା’ର ପୁରୀବାସର ଏଇ ଜୀବନ ଉପରେ ଯବନିକା ଟଣା ହେବାର ସମୟ ଆସି ଯାଇଚି । ସେ ବହୁ ଚେଷ୍ଟାକରି ମଧ୍ୟ ତା’ର ଅନ୍ତରର ଏ ନିର୍ଦ୍ଦେଶକୁ ଅସ୍ଵୀକାର କରି ପାରୁନଥିଲା ।

 

ବୟ ଗୋଟିଏ ସୁଦୃଶ୍ୟ କାଚ ଗ୍ଲାସରେ ସୋଡ଼ା ମିଶ୍ରିତ ସ୍କଚ ହୁଇସ୍କିର ଗୋଟାଏ ପେଗ୍‍ ଆଣି ଟେବୁଲ ଉପରେ ଥୋଇ ଦେଇଗଲା । ଏକ ନିଶ୍ଵାସରେ ସେତିକ ଶେଷକରିଦେଇ ଗୋଟାଏ ମାର୍କୋଭିଚ ସିଗାରେଟରେ ଅଗ୍ନି ସଂଯୋଗ କରି ଚେୟାର ଛାଡ଼ିଲା ରଞ୍ଜନ । ସମୁଦ୍ର କୂଳଆଡ଼ୁ ଟିକିଏ ବୁଲିଆସି ସକାଳର ଅକାରଣ ଭାରାକାନ୍ତ ମନଟାକୁ ବଦଳାଇ ନେବାପାଇଁ ସମୁଦ୍ରକୂଳ ଉଦ୍ଦେଶ୍ୟରେ ପାଦ ବଢ଼ାଇଲା ।

 

କୁହୁଡ଼ିଘେରା ଗୋଟିଏ ଥଣ୍ତା ସକାଳ ।

 

ଛଟପଟ ହୋଇ ବିଜୟା ରାତିଟି କାଟିଦେଲା । ସକାଳ ହେବାକୁ ଅନେକ ବିଳମ୍ଵ ଥାଉଁ ଥାଉଁ ବିଛଣା ଛାଡ଼ି ଉଠି ପଡ଼ିଲା । ମୁହଁ ଓ ଆଖିରେ ତା’ର ଅନିଦ୍ରାର ଛାପ ।

 

କରଣୀୟ କିଛି ନପାଇ ଆପାତତଃ ପ୍ରାତଃକୃତ୍ୟ ଶେଷ କରି ନେବାକୁ ତତ୍ପର ହୋଇ ଉଠିଲା ବିଜୟା । ପୁରୀବାସର ପ୍ରଥମ ସମୟରେ ସକାଳୁ ସେ ଭ୍ରମଣ କରି ଦେହ ପକ୍ଷରେ ଆବଶ୍ୟକୀୟ ବ୍ୟାୟାମ କରି ନେଉଥିଲା । କିନ୍ତୁ ଉମାଶଙ୍କରଙ୍କ ଉପଦେଶ ଫଳରେ ଏବେ ଛୋଟ କୋଠରୀଟି ତା’ର ପୂର୍ଣ୍ଣ ହୋଇ ଉଠିଚି ନାନା ପ୍ରକାର ବ୍ୟାୟାମ ଉପକରଣରେ । ସକାଳୁ ଉଠି ଝାଡ଼ାଝପଟ ସାରି ସେଇ ସବୁକୁ ନେଇ ଘଣ୍ଟାଟିଏ ତାକୁ କଟାଇବାକୁ ହୁଏ । କେତେଟା କଷ୍ଟ ଏକ୍ସରସାଇଜ୍ ପରେ ସେ ଯେତେବେଳେ ଚେଷ୍ଟ ଏକ୍ସପାଣ୍ତରକୁ ନେଇ ଲାଗି ପଡ଼ିଥିଲା ସେତିକିବେଳେ ଦୁଆରେ ତା’ର ଧକ୍କା ପଡ଼ିଲା ସଙ୍ଗେ ସଙ୍ଗେ ସଞ୍ଜୟର କଣ୍ଠସ୍ଵର ଶୁଣାଗଲା—

 

“ବିଜୟା……. ବିଜୟା !’’

 

ବିଜୟା ଦେହରେ ଥିବା ସେତେବେଳକାର ପୋଷାକକୁ ନେଇ ଦୁନିଆର କୌଣସି ମଣିଷ ଆଗରେ ମଧ୍ୟ ପହଞ୍ଚିବା ଅସମ୍ଭବ ଥିଲା ।

 

ସେ କହିଲା—

 

“ଆର କୋଠରୀରେ ଟିକିଏ ଅପେକ୍ଷା କରନ୍ତୁ ଆପଣ । ମୁଁ ଏଇ ଯାଉଚି ।’’

 

ଟିକିଏ ଛାଡ଼ି, ଏବଂ ଭଦ୍ରଭାବରେ ଶାଢ଼ିଟାକୁ ଦେହ ଉପରେ ଗୁଡ଼େଇ ନେଇ ସଞ୍ଜୟ ପାଖରେ ପହଞ୍ଚିଲା ସେ । ସଞ୍ଜୟ ସେତେବେଳେ ଗୋଟିଏ ଆର୍ମଚେୟାର ଉପରେ ନିଜର ଦେହଟିକୁ ଲୋଟାଇ ଦେଇ ଗୁଣୁ ଗୁଣୁ ହୋଇ ଗାଉଥିଲା ଗୋଟିଏ ଆଧୁନିକ ଓଡ଼ିଆ ରେକର୍ଡ଼ର ଗୀତ । ବିଜୟା ଆସିବାର ବିଳମ୍ଵରେ ମୁହଁରେ ତା’ର ପଡ଼ିଥିଲା ବ୍ୟସ୍ତତାର ଛାପ । ଗୀତର ସୁରଟା କିନ୍ତୁ ବିଜୟାକୁ ସୁନ୍ଦର ମନେ ହେଲା । ସେ କହି ଉଠିଲା—

 

 

“ବାଃ, ଆପଣ ଗୀତ ବି ଗାଇ ଜାଣନ୍ତି”

 

ମୁହଁରେ ତା’ର ସ୍ମିତ ହସ ।

 

“ଆଶ୍ଚର୍ଯ୍ୟ ହୋଇଗଲ ନା କଣ ? କିନ୍ତୁ ବିଜୟା ! ପରିହାସର ବେଳ ଏ ନୁହେଁ । ଶିଘ୍ର ବାହାରି ପଡ଼ । ଚନ୍ଦ୍ର ଭାଗା ଯିବା । କୋଣାର୍କର ସୂର୍ଯ୍ୟ ମନ୍ଦିର ମୋର ଦେଖା ହୋଇନି ଆଜିଯାଏ । କି ଦୁର୍ଭାଗା ମୁଁ । ଯେଉଁ ମନ୍ଦିର ଗାତ୍ରରେ ଅଙ୍କିତ ସୂକ୍ଷ୍ମ ଶିଳ୍ପକଳା ଜଗତ ସମକ୍ଷରେ ଉତ୍କଳୀୟକୁ ଶୀର୍ଷ ସ୍ଥାନ ଦେଇ ପାରିଚି, ଯାହାର ଆକର୍ଷଣୀ ଶକ୍ତି ପୃଥିବୀର ପ୍ରତି କୋଣରୁ ବହୁ ଜନତା ଟାଣି ଆଣି ପାରୁଚି ତାକୁ ଆଜିଯାଏ ଦେଖି ପାରିଲିନି ।’’ ଟିକିଏ ରହି ପୁଣି ସଞ୍ଜୟ କହିଲା—

 

“ତୁମେ ଦେଖିଚ ବିଜୟା, ଆମ ପୂର୍ବ ପୁରୁଷଙ୍କର ସେଇ କାରିଗରୀ ?’’

 

ସଞ୍ଜୟର ବକୃତାରେ ଅତିଷ୍ଠ ହୋଇ ଉଠୁଥିଲା ବିଜୟା । ମୁଣ୍ତରେ ତା’ର ଏ ପାଗଳାମି କାହିଁକି ଯେ ଯୁଟିଚି ଆଜି ସେ ବୁଝିପାରୁ ନ ଥିଲା । ତଥାପି ସଞ୍ଜୟର ପ୍ରଶ୍ନର ଉତ୍ତର ସେ ଦେଲା ଅତି ସଂକ୍ଷପରେ “ଦେଖିଛି ।’’

 

“କିନ୍ତୁ ପୁଣିଥରେ ଦେଖି ଆସିବାର ସଉକ ତମର ଥିବ ନିଶ୍ଚୟ । ବାବା ଯିବେ । ମୋତେ ସ୍ଵୀକୃତି ଦେଇ ସାରିଚନ୍ତି ସେ । ବାବା, ତମେ ଆଉ ମୁଁ । ଶିଘ୍ର ପ୍ରସ୍ତୁତ ହୋଇପଡ଼ । ମୁଁ ପ୍ରସ୍ତୁତ ହେଇନି ଏତେବେଳଯାଏ । ଖବରଟା ଦେବାଲାଗି ଛୁଟି ଆସିଲି ଆଗ ।’’

 

ସଞ୍ଜୟ ଚାଲି ଯିବାକୁ ବସିଲା । ପଛରୁ ଡାକି ବିଜୟା କହିଲା—“ମୋ ପାଇଁ ବାବା ଚିନ୍ତା କରିବେ ନି ଆପଣ କହି ଦେବେ । ମୁଁ ଟିକିଏ ଅସୁସ୍ଥ ଅନୁଭବ କରୁଚି । ଆପଣମାନଙ୍କ ସାଙ୍ଗ ହେଇ ପାରୁନି ଆଜି । ଆପଣ ଏଥର ଯାଆନ୍ତୁ । ପୁଣିଥରେ ଗଲାବେଳକୁ ନିଶ୍ଚୟ ସାଥି କରିବି ମୁଁ ଆପଣଙ୍କୁ । କାରଣ କୋଣାର୍କର ଶିଳ୍ପ ନୈପୁଣ୍ୟ ଥରେଟିଏ ଦେଖି ଚୁପ ଚାପ୍ ବସିରହି ହୁଏ ନା ।’’

 

ସଞ୍ଜୟ ଦୁଃଖିତ ଓ ଟିକିଏ ବିରକ୍ତିର ଭାବ ଦେଖାଇ ଚାଲିଗଲା । ବିଜୟା ସେଇଠି ବସି ଚିନ୍ତା କରିବାକୁ ଲାଗିଲା । ଏହି ସମୟରେ ଉମାଶଙ୍କର ପ୍ରବେଶ କଲେ ସେଇ ଘରେ । କହିଲେ—

 

“ବଡ଼ ଚିନ୍ତାରେ ପକେଇଲୁ ମା ! ଅସୁସ୍ଥ କିଛି ବେଶି ରକମର ହୋଇ ପଡ଼ିନୁ ତ ? ଡାକ୍ତର ଡାକିବାର ଆବଶ୍ୟକତା ନାହିଁ ବୋଧହୁଏ ?’’

 

ଏତେ ଚିନ୍ତାରେ ବି ବିଜୟା ଟିକିଏ ହସିଲା । କହିଲା “ମୋ ପାଇଁ ଚିନ୍ତା କରିବାର କିଛି ନାହିଁ ବାବା ! ଆପଣ ଯାଆନ୍ତୁ, ସଞ୍ଜୟ ଭାଇଙ୍କୁ ସାଙ୍ଗରେ ନେଇ । ମୁଁ ବେଶ୍ ଚଳିଯିବି ।’’

 

ଉମାଶଙ୍କର ତଥାପି ଅଶ୍ଵସ୍ତ ହୋଇ ପାରିଲେ ନାହିଁ । କହିଲେ “ଦରକାର ମନେକଲେ ମୋର ସେଇ ଡାକ୍ତର ବନ୍ଧୁଙ୍କୁ ଡକାଇବୁ । ପିଲାଟା ଆଜିଯାଏ କୋଣାର୍କ ଦେଖିନି । ନ ହେଲେ ମୁଁ ହୁଏତ ଅଟକି ଯାଇଥାନ୍ତି ।’’

 

ସେ ଚାଲିଗଲେ ।

 

କିଛି ସମୟ ପରେ ମଟର ଷ୍ଟାର୍ଟ ହେବାର ଶବ୍ଦ ଶୁଣାଗଲା । ତା’ପରେ ଚକୋଲେଟର ଅଷ୍ଟିନଟା ବଗିଚାର ଗେଟରୁ ବାହାରି ଆଗେଇ ଚାଲିଲା ସମୁଦ୍ରକୂଳ ରାସ୍ତାଧରି । ଗୋଟାଏ ଧୂଳି ବଉଦ ପଛରେ ରଖି ଅଦୃଶ୍ୟ ହୋଇଗଲା ଗାଡ଼ିଟା । ବିଜୟା ଦୋତାଲାର ଝରକା ବାଟେ ଚାହିଁ ରହିଥିଲା ସେଇଆଡ଼କୁ ।

 

ଚାକର ସୁରିଆ ଆସି ଚା’ ଦେଇଗଲା । ବିଜୟା ଚା’ କପଟା ଟେବୁଲ ଉପରୁ ଉଠାଇ ନେଇ ସମୁଦ୍ରକୂଳ ଆଡ଼କୁ ଥିବା ଗୋଟିଏ ଝରକା ନିକଟରେ ଆସି ଠିଆ ହେଲା । ସମୁଦ୍ର, ବେଳାର ସମବେତ ଜନତା ଆଡ଼କୁ ଶୂନ୍ୟ ଦୃଷ୍ଟିରେ ଚାହିଁ ଦେଖୁ ଦେଖୁ ଚା ପିଇବାକୁ ଲାଗିଲା ବିଜୟା । ହଠାତ୍ ତା’ର ଦୃଷ୍ଟି ପଡ଼ିଲା, ପରିଚିତ ଗୋଟିଏ ମୂର୍ତ୍ତି ଉପରେ । ରଞ୍ଜନ ଅପେକ୍ଷାକୃତ ଜନ ବିରଳ ଗୋଟିଏ ସ୍ଥାନରେ ପଦ ଚାରଣା କରୁଥିଲା । ମଝିରେ ମଝିରେ ଖୁବ୍ ସତର୍କ ଦୃଷ୍ଟିରେ ଚାହିଁ ଦେଖୁଥିଲା ଚାରିଆଡ଼କୁ । ଗତି ଆଉ ଭାବଭଙ୍ଗି ଭିତରେ ତା’ର ସ୍ପଷ୍ଟ ଫୁଟି ଉଠୁଥିଲା ବ୍ୟଗ୍ର ପ୍ରତୀକ୍ଷା-। ମୁହଁରେ ଲାଗି ରହିଥିବା ସିଗାରେଟଟାରୁ ମୁହୁର୍ମୁହୁଃ ଧୂଆଁ ବାହାରି ବାୟୁମଣ୍ତଳ ଧୂମାୟିତ କରି ତୋଳୁଥିଲା । କିନ୍ତୁ କାହାପାଇଁ ଏ ଆକୁଳ ପ୍ରତୀକ୍ଷା ? ବିଜୟା ଚିନ୍ତା କଲା । ସୁହାସିନୀ-? ନା ସୁହାସିନୀକୁ ନେଇ ବେଳା ଭ୍ରମଣ ଇଚ୍ଛାଥିଲେ ଦୁହେଁତ ଅକ୍ଳେଶରେ ସାଙ୍ଗ ହୋଇ ଆସି ପାରିଥାନ୍ତେ । ତେବେ କ’ଣ ତା’ରି ପ୍ରତୀକ୍ଷାରେ ? ନା ତା’ ମଧ୍ୟ ହେବାର କଥା ନୁହଁ । ସେଦିନ ତ ତା’ମନରୁ ବିଜୟା ସମସ୍ତ ଦୁଃଶ୍ଚିନ୍ତା ଦୂରକରି ଦେଇଚି । ଜାଣୁ ଜାଣୁ ସେ କାହିଁକି ବିଜୟାର ସାନିଧ୍ୟ ଉପରକୁ ନିଜକୁ ଟାଣି ଆଣି ଜଞ୍ଜାଳ ସୃଷ୍ଟି କରିବ ।

 

ବିଜୟା କିଛି ଠିକ୍ କରି ପାରୁ ନ ଥିଲା । ହଠାତ୍ କ’ଣ ଭାବି ସୁରିଆକୁ ଡାକିଲା ସେ । ଝରକା ପାଖକୁ ତା’କୁ ଡାକି ନେଇ ରଞ୍ଜନକୁ ଚିହ୍ନାଇ ଦେଇ କହିଲା—

 

“ତୁ ଯା, ଖୁବ୍ ସାବଧାନ ହେଇ ସେ ବାବୁଟି ଉପରେ ନଜର ରଖିବୁ । ଏବଂ କିଏ ତା’ ସହିତ ଦେଖା କରିବାକୁ ଆସିବ ଓ ସେମାନେ କ’ଣ କଥାବାର୍ତ୍ତା ହେବ, ଦୂରରେ ଥାଇ ସବୁ ଶୁଣି ଆସିବୁ । କିନ୍ତୁ ସାବଧାନ, ତୁ ଯେଉଁ ବୋକା, ତୁ ଯେ ସେମାନଙ୍କୁ ଲକ୍ଷ୍ୟ କରୁଚୁ, କିମ୍ଵା ତାଙ୍କର କଥା ଶୁଣିବାକୁ ଯାଇଚୁ, ଏକଥା ଯେମିତି କେହି ବୁଝି ନ ପାରନ୍ତି । କ’ଣ ପାରିବୁ ?’’

 

“ପାରିବି ମା, ଇଏ ଆଉ ଗୋଟାଏ ବଡ଼ କଥା କ’ଣ ?’’

 

ଉତ୍ତର ଦେଲା ସୁରିଆ ।

 

“ତୋ ମନେ ମନେ ଖୁବ୍ ସାନ କଥା ନା ? ଜାଣୁ,—ସେ ବାବୁଟି ଯଦି ଜାଣେ, ତୋତେ ଏକାଥରକେ ଗୁଳି କରିଦେବ । ହଉ ଯା, ଆଉ ସମୟ ନଷ୍ଟ କର ନା, ମୁଁ ଏଇଠି ଥାଇ ଦେଖୁଚି ।’’

 

ସୁରିଆ ଚାଲିଗଲା । ବିଜୟା ଝରକାର ସ୍କ୍ରିନଟା ଟାଣିଦେଇ ଝରକା ପାଖକୁ ଚେୟାରଟା ଟାଣି ନେଇ ବସି ରହିଲା ସେଇଆଡ଼କୁ ଚାହିଁ ।

 

ସୁରିଆ ବାହାରି ଯିବାର ଅଳ୍ପସମୟ ପରେ ବିଜୟା ଦେଖିଲା ଦି’ଟା କଦର୍ଯ୍ୟ ଚେହେରାର ବେଶ ସୁସ୍ଥ ସବଳ ଲୋକ ଆଗେଇ ଯାଉଚନ୍ତି ରଞ୍ଜନ ଆଡ଼କୁ । ରଞ୍ଜନର ଭାବଭଙ୍ଗିରେ ଫୁଟି ଉଠୁଥିଲା ସନ୍ତୋଷର ଚିହ୍ନ । ଅଧପୋଡ଼ା ସିଗାରେଟଟାକୁ ଫିଙ୍ଗି ଦେଇ ସେ ମଧ୍ୟ ପାଦେ ପାଦେ ଅଗ୍ରସର ହେଉଥିଲା ଏମାନଙ୍କ ଆଡ଼କୁ ।

 

ସେମାନଙ୍କଠାରୁ ଅଳ୍ପ ଦୂରରେ ଗୁଆ, ନଡ଼ିଆ, ଫୁଲ ଆଦି ବିକ୍ରି କରୁଥିବା ଗୋଟିଏ ବୁଢ଼ୀ ପାଖରେ ଛିଡ଼ା ହୋଇ ଗୋଟିଏ ନିରୀହ ବୋକା ମଫସଲି ଯୁବକ ସମୁଦ୍ରସ୍ନାନ ପାଇଁ ଗୁଆ, ନଡ଼ିଆ, ଫୁଲ କିଣୁଥିଲା ଓ ତା’ର ଗାଁ ଲୋକଙ୍କ—ଅପେକ୍ଷାରେ ବୋଧହୁଏ ଥରକୁ ଥର ଚାହୁଁ ଥିଲା ଏଇ ଆଡ଼କୁ । ମଝିରେ ମଝିରେ କ’ଣ ବଡ଼ ବଡ଼ ହୋଇ କହୁଥିଲା ମଧ୍ୟ । ବୋଧହୁଏ ସେଇ ଗାଁ ଲୋକଙ୍କ ଉଦ୍ଦେଶ୍ୟରେ ।

 

ବିଜୟା ସୁରିଆର ଅଭିନୟ ଦେଖି ହସୁଥିଲା ଏବଂ ତାରିଫ କରୁଥିଲା ଏଇ ବୋକା ଚାକରଟିର ବୁଦ୍ଧିକୁ ।

 

ପ୍ରାୟ ପାଞ୍ଚମିନିଟି ଧରି ସେ ଦି’ଜଣ ଗୁଣ୍ତା ପ୍ରକୃତିର ଲୋକ ସହିତ ରଞ୍ଜନର କ’ଣ କଥାବାର୍ତ୍ତା ହେଲା ପରେ ସେ ଦି’ଜଣ ରଞ୍ଜନକୁ ଅଭିବାଦନ ଜଣାଇ ଚାଲିଗଲେ । ରଞ୍ଜନ ସନ୍ତୁଷ୍ଟ ମନରେ ସିଗାରେଟରେ ନିଆଁ ଧରାଇ, ଛଡ଼ି ଘୂରାଇ ଘୂରାଇ ଚାଲିଲା ତା’ର ଅପେକ୍ଷମାଣ ରିକ୍ସାଟା ଆଡ଼କୁ । ସୁରିଆ ଅଗାଧୁଆ ଗୁଆ, ନଡ଼ିଆ ତକ ସମୁଦ୍ରକୁ ଫିଙ୍ଗି ଦେଇ ଦୃତ ପଦକ୍ଷେପରେ ଘର ଆଡ଼କୁ ଅଗ୍ରସର ହେଲା ।

 

ସିଡ଼ି ଉପରେ ସୁରିଆର ପାଦ ଶବ୍ଦ ଶୁଭିଲା । ବିଜୟା ଅସ୍ଥିର ହୋଇ ଉଠୁଥିଲା ।

 

ଗୋଟାଏ ଦି’ଟା ପାଉଛ ତଳୁ ସୁରିଆ ଚିତ୍କାର କଲା ।

 

“ଶୁଣି ଆସିଲି ମା !’’

 

ଯେମିତି ଗଡ଼ ଜିଣିଚି ସେ ।

 

“କ’ଣ ଶୁଣି ଆସିଲୁରେ ?’’

 

ଦୁଆର ମୁହଁକୁ ଉଠି ଆସୁ ଆସୁ ପଚାରିଲା—ବିଜୟା ।

 

“ସେମାନଙ୍କ କଥାବାର୍ତ୍ତା ।’’

 

କହିଲା ସୁରିଆ ।

 

“ଆରେ ଉଲ୍ଲୁ କ’ଣ କଥା ହେଉଥିଲେ ସେମାନେ କହ ?’’

 

ବିଜୟା ଅଧୀର ହୋଇ ଉଠୁଥିଲା ।

 

ଚଟାଣ ଉପରେ ବସିପଡ଼ି ସୁରିଆ ଆରମ୍ଭ କଲା—

 

“ସେ ଯେଉଁ ବାବୁ ନାଇଁ ! ଝରକା ପାଖରେ ତମେ ଚିହ୍ନେଇ ଦେଲ ଯାହାକୁ, ସେଇ ବାବୁ ଏଇ ଦି’ଟା ବିକୃତ ଲୋକଙ୍କୁ କହିଲା ଯେ ତୁମେମାନେ ଆଜି ରାତି ଏଗାରଟା ବେଳକୁ ‘ଅସନ ବଇନା, ବିଉ’ କ’ଣ ସେଇ ହୋଟେଲଟାର ନାଁ, ସେଇଠିକୁ ଆସିବ । ସେଇଠି କଥାଭାଷା ହବା । ଏଠି ଅନେକ ଲୋକ । ଏ ଜାଗା ଠିକ୍ ନୁହେଁ ।

 

ତା’ପରେ ସେମାନେ ସେ ବାବୁକୁ ତାଙ୍କ କୋଠରୀର ନମ୍ଵର ପଚାରିଲେ ସେ ବାବୁ କହିଲା, ଉପର ମହଲା ସତର ନମ୍ଵର କୋଠରୀ । ଏତିକି କଥା ହୋଇ ତ ଯିଏ ଯୁଆଡ଼େ ଚାଲିଗଲେ ।’’

 

ବିଜୟାର ମୁହଁରେ ଫୁଟି ଉଠିଲା ସନ୍ତୋଷ ଆଉ ସଫଳତାର ଆଭାସ । ଡ୍ରୟାର ଖୋଲି, ସୁରିଆ ହାତରେ ପାଞ୍ଚଟଙ୍କାର ଖଣ୍ତେ ନୋଟ ଦେଇ ସେ କହିଲା—“ନେ ତୋର ବକ୍‍ସିସ୍ ।’’

 

ସୁରିଆ ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁ ରହିଲା ବିଜୟା ମୁହଁକୁ । ସେ ଭାବୁଥିଲା ମାମୁଲି ପଦେକଥା ଶୁଣି ଆସିବାର ବକ୍‍ସିସ୍‍ ପା–ଞ୍ଚ–ଟ–ଙ୍କା… ।

ବିଜୟା ହସି ହସି କହିଲା—

“ଆରେ ବୋକା, ତୋ ଖବରର ଦାମ୍‍ ପାଞ୍ଚଟଙ୍କାଠୁ ଅନେକ ବେଶି । ବୁଝିଲୁ !’’

“ଆଁ—”

ସୁରିଆ ବିମୁଢ଼ ହୋଇ ଯାଇଥିଲା ବିସ୍ମୟରେ । ନୋଟଟାକୁ ଜାମାର ଛାତି ପକେଟରେ ଅତି ଯତ୍ନରେ ସାଇତି ରଖୁ ରଖୁ କହିଲା—ସେ “କାଲି ସକାଳେ ଆଉଥରେ କଥା ହେବାକୁ ଆସିବେ ନାଇଁ ନା, ସେମାନେ ?’’

ବିଜୟା ତା’ର କଥା ଶୁଣି ହସି ହସି ଲୋଟିଗଲା ସୋଫାଟା ଉପରେ । ସେ ଭାବୁଥିଲା କେଡ଼େ ବୋକା ସତେ ! କିନ୍ତୁ ବୃଦ୍ଧି ବି ଅଛି ।

ସାରା ଦି’ପହରଟା ଉତ୍କଣ୍ଠାରେ କାଟିଦେଲା ବିଜୟା । ଅପରାହ୍ନ ପାଞ୍ଚଟା ବେଳେ ଗୋଟାଏ ସାଇକେଲ ରିକ୍ସା ଡାକି ଆଣିବା ପାଇଁ ସୁରିଆକୁ ପଠାଇ ବାହାରକୁ ବାହାରିବା ଲାଗି ନିଜକୁ ପ୍ରସ୍ତୁତ କରି ନେଲା ସେ । ଅଳ୍ପ ସମୟ ପରେ ଗେଟରେ ରିକ୍ସା ଘଣ୍ଟି ଶୁଣି ଟେବୁଲ ଉପରୁ ଭେନିଟି ବ୍ୟାଗଟା ଉଠାଇ ନେଇ ବାହାରି ପଡ଼ିଲା ବିଜୟା । ରିକ୍ସାଟା ଉପରେ ଚଢ଼ିବସି ବିଜୟା କହିଲା—“ଓସେନଭିଉ ହୋଟେଲ ।’’ ସମୁଦ୍ର କୂଳ ରାସ୍ତା ଧରି ରିକ୍ସା ଛୁଟିଲା । ହୋଟେଲେରେ ପହଞ୍ଚିବା ପାଇଁ ଦଶମିନିଟ୍‍ରୁ ଅଧିକ ବିଳମ୍ଵ ହେଲା ନାଇଁ ।

 

ରିକ୍ସାବାଲଟାକୁ ଅପେକ୍ଷା କରିବାକୁ କହି ଲମ୍ଵା ହଲ୍ ଘରଟାରେ ପଶିଲା ବିଜୟା । ହଲ୍‍ଟି ସେତେବେଳକୁ ବହୁ ଜନ ସମାଗମରେ ଭର୍‍ପୁର ହୋଇ ଉଠିଥିଲା । ହଲ୍‍ର ଗୋଟାଏ କୋଣରେ ନିରୋଳା ଦେଖି, ଛୋଟ ଗୋଟିଏ ଟେବୁଲ ଅଧିକାର କରି ବସିଲା ସେ । ବସି ରହି ସତର୍କ ଦୃଷ୍ଟିରେ ହଲଟାର ସବୁଆଡ଼େ ଚାହିଁ ଦେଖିବାରେ ଲାଗିଲା । ଯେମିତି କାହାକୁ ଖୋଜୁଥିଲା । ଅଳ୍ପ ସମୟପରେ ସେ ଦିନର ବକ୍‍ସିସ୍‍ ପ୍ରାପ୍ତ ବୟଟି ଆସି ଲମ୍ଵା ସଲାମ ଠୁଙ୍କି ଛିଡ଼ା ହେଲା ଆଦେଶ ଅପେକ୍ଷାରେ । ତାକୁ ଚା’ ଆଣିବାକୁ କହି ନିରବରେ ବସି ରହିଲା ବିଜୟା । ଅଳ୍ପସମୟ ଭିତରେ ବୟ ଫେରି ଆସିଲା ଚା ନେଇ । ଟେବୁଲ ଉପରେ ଚା କପ୍‍ଟା ଥୋଇ ଦେଇ ଫେରି ଯାଉଥିଲା ସେ । ବିଜୟା ତାକୁ ଇଙ୍ଗିତ କଲା ଅପେକ୍ଷା କରିବା ଲାଗି । ତା’ପରେ ଭେନିଟି ବ୍ୟାଗରୁ ଗୋଟିଏ ଦଶଟଙ୍କିଆ ନୋଟ କାଢ଼ି ତା’ହାତରେ ଧରାଇ ଦେଲା–ବିଜୟା । ବକ୍‍ସିସ୍‍ର ଅଙ୍କ ଦେଖି ବୟଟାରେ ଆଶ୍ଚର୍ଯ୍ୟର ଅନ୍ତ ରହିଲା ନାହିଁ । କିନ୍ତୁ ତା’ର ବିମୁଢ଼ତା ଭାଙ୍ଗି କହିଲା ବିଜୟା—

 

“କପେ ଚା’ର ବକ୍‍ସିସ୍‍ ଦଶଟଙ୍କା ନୁହେଁ । ଶୁଣ । ଉପର ମହଲାର ୧୭ ନମ୍ଵର କୋଠରୀରେ ଯେଉଁ ସାହେବ ଅଛନ୍ତି ତାଙ୍କ ସହିତ ଦେଖା କରିବାକୁ ଆଜି ରାତି ଏଗାରଟା ବେଳେ ଦୁଇଜଣ ଲୋକ ଆସିବେ । ସାହେବ ସହିତ ସେମାନଙ୍କର କ’ଣ କଥାବାର୍ତ୍ତା ହେବ ମୋର ସେତିକି ଦରକାର । ମୋତେ ପୂରାପୂରି ଖବର ଦେଇ ତୁ ଅକ୍ଳେଶରେ ଆଉ କିଛି ରୋଜଗାର କରିପାରୁ । କଣ ପାରିବୁ ?’’

 

“ହଁ ମା ପାରିବି ।’’

 

ବୟଟାର ଉତ୍ତରରେ ନିର୍ଭର ଯୋଗ୍ୟ ବିଶ୍ଵସ୍ତତା ।

 

“କିନ୍ତୁ ସାହେବ ଜାଣିଲେ ତୋତେ ଶେଷ କରିଦେବ । ରାତିରେ ଯଦି ସମ୍ଭବ ହୁଏ, ତେବେ ସମୁଦ୍ରକୂଳ ଆନନ୍ଦ ଭବନ, ସେଇ ଯେ ବଗିଚାଘେରା ହଳଦିଆ କୋଠାଟା, ସେଇ ଠିକଣାରେ ମୋତେ ଖବର ଦେବୁ । ମୁଁ ବର୍ତ୍ତମାନ ଏଠାକୁ ଆସିଥିଲି ବୋଲି ସାହେବ ଯେମିତି ନ ଜାଣେ ।’’ କହି ବିଜୟା ଉଠିଲା ।

 

“ଚା’ ଟା…”

 

ମନେ ପକାଇ ଦେଲା ବୟ ।

 

“ଦରକାର ନାହିଁ ।’’ କହି ବିଜୟା ଦୃଢ଼ ପଦକ୍ଷେପରେ ହଲ୍‍ଛାଡ଼ି ବାହାରି ଆସିଲା ପଦାକୁ ।

 

ରାତି ଦଶଟାରୁ ବଳି ଗଲାଣି । ସମୁଦ୍ରକୂଳ ନିର୍ଜନ ହୋଇ ଯାଇଚି । କୃଷ୍ଣା ଚତୁର୍ଦଶୀର ଅନ୍ଧକାର ଭିତରେ ସମୁଦ୍ର ଦିଶୁଚି ଭୟଙ୍କର ।

 

ଓସେନ୍ ଭିଉ ହୋଟେଲର ଦ୍ଵିତଳର ସତର ନମ୍ଵର କୋଠରୀରେ ବସି ବସି ମାର୍କୋଭିଚର ଧୂମ୍ରକୁଣ୍ତଳୀ ଭିତରେ ରଞ୍ଜନ ସ୍ଵପ୍ନ ରଚୁଥିଲା ।

 

ଆଉ ଦୁଇଦିନ ରହିଲା ସୁହାସିନୀର ଜନ୍ମ ତିଥି । ଏକମାତ୍ର ସନ୍ତାନର ଅଷ୍ଟାଦଶ ଜନ୍ମତିଥିରେ ସୁହାସିନୀର ଲକ୍ଷପତି ପିତା ମହାସମାରୋହରେ ପାଳନ କରିବେ ନିଶ୍ଚୟ । ସେଇଦିନ ସୁବିଧା ଦେଖି ରଞ୍ଜନ ତା’ର ନିର୍ବାଚିତ ଅନୁଚର ଦ୍ଵୟଙ୍କ ସାହାଯ୍ୟରେ ଯୋଗାଡ଼ କରିନେବ ତାଙ୍କରି ଘରୁ ତା’ର ଦାକ୍ଷିଣାତ୍ୟ ଅଭିଯାନର ପାଥେୟ ।

ପୂର୍ବଘଟ ପର୍ବତ ମାଳାର କୌଣସି ଏକ ଗିରୀଗହ୍ଵରରେ ସଞ୍ଚିତ ଯେଉଁ ବିଶାଳ ଧନ ଭଣ୍ତାରର ସନ୍ଧାନ ସେ ପାଇଚି ତାକୁ ଉଦ୍ଧାର କରି ଆଣିବାକୁ ହେଲେ ପ୍ରଥମେ ବହୁ ଅର୍ଥର ପ୍ରୟୋଜନ । ଏବଂ କେବଳ ଏଇଥିପାଇଁ ତ ପ୍ରଫେସର ଚୌଧୁରୀ ଏତେବଡ଼ ଅତୁଳ ଐଶ୍ୱର୍ଯ୍ୟ ହାତରେ ପାଇ ସୁଧା ଭୋଗକରି ପାରିଲେ ନାହିଁ । ବହୁଦିନ ଧରି ଭାରତର ବିଭିନ୍ନ ସ୍ଥାନ ବୁଲି ବୁଲି ଐତିହାସିକ ତଥ୍ୟ ସଂଗ୍ରହ କରିବାରେ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ପ୍ରାୟ ନିଃଶେଷ ହୋଇ ଯାଇଥିଲା । ଗୁପ୍ତ ଧନ ଭଣ୍ତାରର ସନ୍ଧାନ ପାଇବା ବେଳକୁ କାର୍ଯ୍ୟୋଦ୍ଧାର କଲା ଭଳି ପ୍ରଭୂତ ଅର୍ଥ ନ ଥିଲା ତାଙ୍କର ।

ପ୍ରଫେସର ଚୌଧୁରୀଙ୍କ କଥାର ସୂତ୍ରଧରି ମନେ ପଡ଼ିଲା ତା’ର ମିନତୀକୁ । ପ୍ରଣୟନୀର ସ୍ମୃତି କ୍ଷଣକ ଲାଗି ଆଲୋଡ଼ିତ କରିଦେଲା ତା’ର ଲୌହ କଠିନ ହୃଦୟ । କିନ୍ତୁ ଏଭଳି ଦୁର୍ବଳତାକୁ କୌଣସି ଦିନ ପ୍ରଶ୍ରୟ ଦେଇ ଶିଖି ନ ଥିଲା ରଞ୍ଜନ । ମୁହୂର୍ତ୍ତକର ଏଇ ଦୁର୍ବଳତାକୁ ନିଷ୍ଠୁର ହୃଦୟ ଭିତରେ ତା’ର ସମାଧି ନେବାକୁ ମୁହୂର୍ତ୍ତକରୁ ବେଶି ସମୟ ଲାଗିଲା ନାହିଁ । କିନ୍ତୁ ମିନତୀର ଅସ୍ପଷ୍ଟ ଛାୟାକୁ ମନ ଭିତରୁ ପୋଛି ଦେଉଁ ଦେଉଁ ତା’ର ସ୍ଥାନ ଅଧିକାର କରି ବସିଲା ଆଉ ଗୋଟିଏ ସଦା ହସ ହସ ପରିଚିତ ମୁଖ । ସୁହାସ । ପୁରୀବାସର ପ୍ରଣୟନୀ ! ପହିଲି ଦେଖାରେ ହିଁ ନିର୍ବିଚାରେ ଯେ ତା’ର ସର୍ବସ୍ଵ ବାଢ଼ି ଦେଇଥିଲା ରଞ୍ଜନର ପାଦତଳେ । ଯାହାର ସରଳତାର ସୁଯୋଗ ନେଇ ରଞ୍ଜନ ତା’ର ପୁରୀବାସର ଉଦ୍ଦେଶ୍ୟ ସାଧନ ଦିଗରେ ବହୁଦୂର ଆଗେଇ ଯାଇଚି । କିନ୍ତୁ ବିଚାରୀ ସୁହାସୀ ମଧ୍ୟ ପଶୁ ରଞ୍ଜନର ମନ ଉପରେ ଦୁର୍ବଳତାର ଗୋଟିଏ ଅତି ସରୁ ଗାର ବି ଟାଣି ପାରିଲା ନାହିଁ । ହୃଦୟହୀନ, ସ୍ଵାର୍ଥପର, ପଶୁ ରଞ୍ଜନର ପ୍ରୟୋଜନ ପୂର୍ଣ୍ଣ ହେଲା ପରେ ସମସ୍ତ ତା’ ନିକଟରେ ମୂଲ୍ୟହୀନ । ଠିକ୍ ଶୂନ୍ୟ ସ୍କଚ ହୁଇସ୍କିର ବୋତଲ ଆଉ ଅଧପୋଡ଼ା ମାର୍କୋଭିଚ ସିଗାରେଟ ଭଳି । ସମସ୍ତ ଦୁର୍ବଳତାକୁ ଏଡ଼ାଇ ସେ ଭାବୁଥିଲା—

ପୂର୍ବଘାଟ ପର୍ବତ ମାଳର ଗିରୀ ଗହ୍ଵରରେ ସଞ୍ଚିତ ହୋଇଥିବା ଗୁପ୍ତଧନ ଭଣ୍ତାର ଅଧିକାର କରି ପାରିଲେ, ପୃଥିବୀରେ ଯେ କୌଣସି ଧନପତିଙ୍କ ସହିତ ସମକକ୍ଷ ହୋଇ ପାରିବେ ସେ । ଦେଶର ବହୁ ଅଭିଜାତ, ଶିକ୍ଷିତ ସମାଜରେ ତା’ ଭଳି ଜଣେ ଧନପତିର ଆସନ ସର୍ବୋଚ୍ଚସ୍ଥାନ ଅଧିକାର କରି ପାରିବ । ବିଶାଳ ଐଶ୍ଵର୍ଯ୍ୟର ଚୂଡ଼ାରେ ବସି ବହୁଲୋକଙ୍କର ଭାଗ୍ୟ ନିୟନ୍ତ୍ରଣ କରିବ ସେ । ସେତେବେଳେ ମିନତୀ ଆଉ ସୁହାସିନୀଠାରୁ ଶିକ୍ଷିତ ଆଭିଜାତ ସମାଜର ଅଧିକ ସୁନ୍ଦରୀ, ଅସଂଖ୍ୟ ତନ୍ମୀ ତରୁଣୀ ତା’ର ପ୍ରେମ ଲାଭ କରିବା ପାଇଁ ହିମାଦ୍ରୀକନ୍ୟାର ତପସ୍ୟା କରିବେ…… ।

ସ୍ଵପ୍ନ ରଚନାରେ ତାର ବାଧା ଦେଲା ରୁଦ୍ଧ ଦ୍ଵାର ଉପରେ ମୃଦୁ ଆଘାତର ଶବ୍ଦ । ହାତରେ ବାନ୍ଧିଥିବା ଓମେଗା ଓ୍ଵାଚଟାକୁ ଚାହିଁ ରଞ୍ଜନ ଦେଖିଲା ଏଗାରଟା ବାଜି ଯାଇଚି । ଦ୍ଵାର ଖୋଲି ଦେଲା ସେ । ଦୁର୍ଦ୍ଦାନ୍ତ ଗୁଣ୍ତା ଭଳି ଦିଶୁଥିବା କଦର୍ଯ୍ୟ ଚେହେରାର ସେଇ ଦି’ଟା ଲୋକ ରଞ୍ଜନକୁ ଅଭିବାଦନ ଜଣାଇ ଭିତରେ ପଶିଲେ । ସେମାନଙ୍କୁ ପହଞ୍ଚାଇ ଦେଇ ଖାନ୍‍ସାମାଟା ଚାଲିଗଲା । ରଞ୍ଜନ ଟର୍ଚ୍ଚ ପକାଇ ଅତି ସତର୍କରେ ଚାହିଁ ଦେଖିଲା ଚାରିଆଡ଼କୁ । ତା ପରେ ଭିତରେ ପଶି କୋଠରୀର ଦ୍ଵାର ବନ୍ଦ କରିଦେଲା ।

ସତର ନମ୍ଵର କୋଠରୀର ଦ୍ଵାର ବନ୍ଦ ହେବାର ଶବ୍ଦ ଅନ୍ଧାର ଭିତରେ ମିଳାଇଗଲା । ତା’ର ଅଳ୍ପ ସମୟପରେ ସେଇ ଅଷ୍ପଷ୍ଟ ଅନ୍ଧକାର ଭିତରେ ଗୋଟାଏ ଛାୟା ମୂର୍ତ୍ତି ଆଗେଇ ଆସୁଥିଲା ସେଇ କୋଠରିର ଦୁଆର ଆଡ଼କୁ ଅତି ନିଃଶବ୍ଦରେ । ଅତି ସନ୍ତର୍ପଣରେ ।

ଓସେନଭିଉ ହୋଟେଲର ବୟଠାରୁ ରଞ୍ଜନର ଗତ ରାତ୍ରିର ଚକ୍ରାନ୍ତ ସମ୍ଵନ୍ଧରେ ସମସ୍ତ ବିଷୟ ଅବଗତ ହେବା ପରେ ବିଜୟା ଅତି ମାତ୍ରାରେ ଚିନ୍ତିତ ହୋଇ ପଡ଼ିଚି । ଗଭୀର ଚିନ୍ତାକରି ମଧ୍ୟ ସେ କୌଣସି ନିଷ୍ପତ୍ତି ଉପରକୁ ଆସି ପାରୁ ନାହିଁ । ରଞ୍ଜନ ତାର ସୁଚିନ୍ତିତ ପ୍ଳାନ ଅନୁସାରେ ଯଦି କାର୍ଯ୍ୟ କରିବାର ସୁଯୋଗ ପାଏ ତେବେ ରାୟ ସାହେବ ସଦାନନ୍ଦ ମହାପାତ୍ର ତାଙ୍କର ଆଦରଣୀ କନ୍ୟାର ଜନ୍ମ ଦିବସରେ ନିଜର ସର୍ବସ୍ଵ ହରାଇବା ସଙ୍ଗେ ସଙ୍ଗେ ହୁଏତ ନିଜେ ମଧ୍ୟ ନିହିତ ହେବେ । ରାତ୍ରିର ଶେଷ ପ୍ରହରରେ ଆନନ୍ଦୋତ୍ସବରେ କ୍ଳାନ୍ତ ନିଦ୍ରାସୁଖ ଉପଭୋଗ କରୁଥିବା ଏଇ କ୍ଷୁଦ୍ର ପରିବାରଟିକୁ ଆକ୍ରମଣ କରିବାର ସମସ୍ତ ଆୟୋଜନ ରଞ୍ଜନ ଯେ ବିନା ବାଧାରେ ପୂର୍ବାହ୍ନରୁ ଠିକ୍ କରିନେବ ଏଥିରେ ସନ୍ଦେହ ନାହିଁ । ରାୟସାହେବଙ୍କ ବାସଭବନରେ ଜନ୍ମୋତ୍ସବ ରାତ୍ରିର ଆନନ୍ଦ କୋଳାହଳ ଓ ବହୁ ଲୋକଙ୍କର ଅବାଧ ସମାବେଶ ଭିତରେ ରଞ୍ଜନକୁ ସମସ୍ତ ଆୟୋଜନ ପୂର୍ଣ୍ଣ କରି ନେବାକୁ ଅସୁବିଧା ଯେତେ ନ ହେବ, ସୁବିଧା ହେବ ତାଠାରୁ ଅଧିକ । ରଞ୍ଜନ ତାର ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଇଚି ଯେ ରାୟସାହେବ ଯଦି ବିନା ବାଧାରେ ତାଙ୍କର ଶୟନ କକ୍ଷରେ ସଞ୍ଚିତ ଥିବା ସମସ୍ତ ସମ୍ପତ୍ତି ସେମାନଙ୍କ ହାତରେ ଟେକି ନ ଦିଅନ୍ତି ତେବେ ସେମାନେ ରାୟସାହେବଙ୍କୁ ନିର୍ବିଚାରରେ ହତ୍ୟାକରି କାର୍ଯ୍ୟୋଦ୍ଧାର କରିନେବେ ।

ବିଜୟା ମଧ୍ୟ ବଂଶହତ୍ୟାର ପ୍ରତିଶୋଧ ଗ୍ରହଣ କରିବା ଦିଗରେ ରାୟସାହେବଙ୍କ ଘରେ ଘଟିବାକୁ ଯାଉଥିବା ଏଇ ଡକାୟତିର ସୁଯୋଗ ଗ୍ରହଣ କରିବାକୁ ଚାହୁଁ ଥିଲା । ଏପରି ସୁଯୋଗ ଛାଡ଼ିଦେଲ ସେ ହୁଏତ ଧୂର୍ତ୍ତ ରଞ୍ଜନକୁ ନିଜ ଆୟତ୍ତ ଭିତରେ ପାଇବ ନାହିଁ ଆଉ କୌଣସି ଦିନ । କିନ୍ତୁ ନିଜର କାର୍ଯ୍ୟୋଦ୍ଧାର ପନ୍ଥା ସୁଯୋଗ କରିବାକୁ ସେ କଦାପି ଚାହୁଁ ନ ଥିଲା ରାୟ ସାହେବଙ୍କର ଧନ-ଜୀବନ ବିପନ୍ନ ହେଉ ବୋଲି । ସେ କଳ୍ପନା ମଧ୍ୟ କରି ପାରୁ ନ ଥିଲା ସଦା ହାସ୍ୟମୟୀ ସରଳା ସୁହାସିନୀକୁ ନିଜ ଭଳି ସମ-ଦଶାପନ୍ନ ଅବସ୍ଥାରେ ଦେଖିବାକୁ ! ବରଂ ବର୍ତ୍ତମାନ ରାୟ ସାହେବ ପରିବାରଟିକୁ ଘନାୟମାନ ବିପଦ ମୁଖରୁ ବଂଚାଇବା ଯେ ତାର ସର୍ବପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ, ଏକଥା ସେ ଭଲ ରୂପେ ବୁଝୁଥିଲା । କି ଉପାୟରେ ସେ ନିଜର ପ୍ରତିଶୋଧ ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାୟ ସାହେବଙ୍କୁ ମଧ୍ୟ ଆଶୁ ବିପଦ ମୁଖରୁ ରକ୍ଷା କରିବ, ଏ କଥା ଭାବି ଭାବି କିଛି ଠିକ୍ କରି ପାରୁ ନ ଥିଲା ସେ । ଅଥଚ ମଝିରେ ମାତ୍ର ଆଉ ଗୋଟିଏ ଦିନ ରହିଲା ସୁହାସିନୀର ଜନ୍ମ ତିଥି ।

ନାନା ପ୍ରକାର ଗୁରୁତର ଚିନ୍ତାରେ ଲୁପ୍ତଥାଇ ସଞ୍ଜୟ ଓ ଉମାଶଙ୍କର କୋଣାର୍କରୁ ଫେରି ଆସିଥିଲେ ମଧ୍ୟ ସେମାନଙ୍କ ସହିତ ଦେଖା କରି ଭଦ୍ରତା ଖାତିରିରେ ମାମୁଲି କେତେ ପଦ କୁଶଳ ପ୍ରଶ୍ନ କରିବା ଛଡ଼ା ସେମାନଙ୍କ ସହିତ କିଛି ସମୟ କଟାଇବାକୁ ବା ତାଙ୍କର କୌଣସି ଆଲୋଚନାରେ ଭାଗ ନେବାକୁ ସେ ଇଚ୍ଛାକରୁ ନ ଥିଲା ।

ଅସୁସ୍ଥତାର ଛଳକରି ସେମାନଙ୍କ ଠାରୁ ଦୂରରେ ରହିଲା ସେ ଓ ମଧ୍ୟାହ୍ନଭୋଜନ ପରେ ବିଛଣାରେ ପଡ଼ି ନାନା ବିଷୟ ଚିନ୍ତା କରୁ କରୁ ଶୋଇ ପଡ଼ିଲା । ଗତ ରାତ୍ରର ଉତ୍କଣ୍ଠା ଜନିତ ଅନିଦ୍ରା ହେତୁ ଅପରାହ୍ନ ଚାରିଟା ପୂର୍ବରୁ ନିଦ ଭାଙ୍ଗଲା ନାହିଁ ତା’ର ।

 

ଚାରିଟାପରେ…… ।

 

ନିଦରୁ ଉଠି ମୁହଁ ହାତ ଧୋଇ ଚା’ ଖାଇନେଲା ବିଜୟା । ତା’ପରେ ଲୁଗାପଟା ପିନ୍ଧି ବାହାରିଲା ସମୁଦ୍ରକୂଳ ଆଡ଼ୁ ବେଢ଼ାଏ ବୁଲି ଆସି ଭାରାକାନ୍ତ ମନଟାକୁ ଥଣ୍ତାକରି ନେବାକୁ । କାହାକୁ କିଛି ନ କହି ଚାଲିଗଲା ସେ ।

 

ସମୁଦ୍ର କୂଳରେ ଅପେକ୍ଷାକୃତ ଜନ ବିରଳ ଗୋଟିଏ ସ୍ଥାନରେ ଯାଇ ବସି ରହିଲା ବିଜୟା । ଭୀମକାୟ ଲହରୀମାଳାର ଗୁରୁଗମ୍ଭୀର ଗର୍ଜନ ଶୁଣୁ ଶୁଣୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲା ସେ ଦିଗନ୍ତ ବ୍ୟାପି ମହା ସମୁଦ୍ର ଆଡ଼କୁ । ଅନେକ ସମୟ ସେଇମିତି ବସିରହି ଚିନ୍ତା କରିବା ପରେ ମୁଖମଣ୍ତଳ ତା’ର ଉଜ୍ଜ୍ୱଳ ହୋଇ ଉଠିଲା—ମେଘମୁକ୍ତ ଚନ୍ଦ୍ରଭଳି । ସ୍ଵସ୍ତିର ନିଶ୍ଵାସ ମାରି ବେଳାଭୂମି ଛାଡ଼ି ଉଠିଲା ସେ ।

 

ଆଜି ପୁରୀର ଅନ୍ୟତମ ପ୍ରତିପତ୍ତଶାଳୀ ରାୟସାହେବ ସଦାନନ୍ଦ ମହାପାତ୍ରଙ୍କର ଏକମାତ୍ର ଆଦରଣୀ କନ୍ୟା ଶ୍ରୀମତୀ ସୁହାସିନୀର ଆଷ୍ମାଦଶ ଜନ୍ମ ତିଥି । ରାୟ ସାହେବଙ୍କର ସ୍ଵର୍ଗଦ୍ଵାରସ୍ଥ ବିରାଟ ଦ୍ଵିତଲ ବାସଭବନର ପ୍ରତିଟି ଧୂଳିକଣା ପର୍ଯ୍ୟନ୍ତ କର୍ମ ତତ୍ପର ହୋଇ ଉଠିଛନ୍ତି । ରାତି ପାହିବା ସଙ୍ଗେ ସଙ୍ଗେ ଆନନ୍ଦ କୋଳାହଳରେ ମୁଖରୀତ ହୋଇ ଉଠିଚି ସାରା ବାସଭବନ । ବୈଠକ ଖାନାରେ ରେଡ଼ିଓଟାରେ ବାଜୁଚି ଦିଲ୍ଲୀ ବେତାର କେନ୍ଦ୍ରରୁ ପ୍ରଚାରିତ ସକାଳର ସଂଗୀତ । ରାତି ପାହିବା ସଙ୍ଗେ ସଙ୍ଗେ ସଦର ଫାଟକ ପାଖରେ ଭିକାରିମାନେ ଭିଡ଼ କରିବାକୁ ଆରମ୍ଭ କରିଚନ୍ତି । ପ୍ରତିବର୍ଷ ଏଇ ଦିନଟିରେ କାଙ୍ଗାଳମାନଙ୍କ ଅନ୍ନ ବସ୍ତ୍ର ଦାନ କରି ରାୟସାହେବ ତାଙ୍କର ଏକମାତ୍ର ସନ୍ତାନ ସୁହାସୀର କଲ୍ୟାଣ କିଣନ୍ତି । ସୁହାସିନୀ ନିଜ ହାତରେ ଲୁଗା ବାଣ୍ଟିବ ଆଜି ଏମାନଙ୍କୁ ନିମନ୍ତ୍ରିତ ହୋଇଥିବା ପୁରୀର ବହୁ ବିଶିଷ୍ଟ ଭଦ୍ରଲୋକ ଓ ସୁହାସିନୀର ବନ୍ଧୁମହଲ ପାଇଁ ଭୋଜନ ସାମଗ୍ରୀର ଆୟୋଜନ ଏତିକିବେଳୁ ଆରମ୍ଭ ହୋଇ ଗଲାଣି । ରାୟସାହେବ ନିଜେ ଚାରିଆଡ଼େ ବୁଲି ପ୍ରତ୍ୟେକ କାମର ତଦାରକ କରୁଚନ୍ତି ।

 

ଏହି ସମୟରେ ପୋଷ୍ଟପିଅନ ଆସି ସକାଳର ଡାକଦେଇ ଗଲା । ରାୟସାହେବ ତର ତର ହୋଇ ତାଙ୍କ ନାମରେ କିଛି ଜରୁରୀ ଡାକ ଅଛିକି ନାହିଁ ଦେଖିବାକୁ ଯାଇ ଦେଖିଲେ ଗୋଟିଏ ଲଫାପା ଉପରେ ତାଙ୍କରି ଠିକଣା ଲେଖା ରହିଚି । ସେଇଟିକୁ ଉଠାଇ ନେଇ ଚିଠିଟା ଖୋଲି ଯାହା ଦେଖିଲେ ସେଥିରେ ତାଙ୍କ ଦେହରୁ ରକ୍ତ ଶୂନ୍ୟ ହୋଇଗଲା ।

 

ଚିଠିରେ ଲେଖାଥିଲା—

 

ମାନନୀୟ ରାୟସାହେବ,

 

ମୋତେ ଅତି ଦୁଃଖର ସହିତ ଜଣାଇବାକୁ ପଡ଼ିଚି ଯେ ଆପଣଙ୍କର ଆଜି ଭଳି ଉତ୍ସବ ଦିନରେ କୌଣସି ଏକ ଦୁର୍ବୃତ୍ତ ଦଳ ଆପଣଙ୍କୁ ହତ୍ୟାକରି ଆପଣଙ୍କର ଶୟନ କକ୍ଷରେ ସଞ୍ଚିତ ଥିବା ସମସ୍ତ ସମ୍ପତ୍ତି ଅପହରଣ କରି ନେବାକୁ ଚେଷ୍ଟା କରିବେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ—ଏ ଦୁଷ୍କର୍ମର ପ୍ରଧାନ ଅଧିନାୟକ ଆପଣଙ୍କର ନିମନ୍ତ୍ରିତ ଅତିଥିମାନଙ୍କ ଭିତରୁ ଜଣେ । ଆପଣ ନିଜର ଧନ-ଜୀବନରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ । ଦୁର୍ବୃତ୍ତମାନଙ୍କର ଚକ୍ରାନ୍ତ ଦୈବକ୍ରମେ ଅବଗତ ହୋଇ ପୂର୍ବାହ୍ନରୁ ଅପଣଙ୍କୁ ସାବଧାନ କରିଦେଇ ଆପଣର ଧନ-ଜୀବନ ରକ୍ଷା କରିବାର ପବିତ୍ର ଦାୟିତ୍ଵ ମୁଁ ପାଳନ କରିଚି । ବର୍ତ୍ତମାନ ଆଶୁ ବିପଦମୁଖରୁ ଉଦ୍ଧାର ପାଇବା ଆପଣଙ୍କ ଚେଷ୍ଟା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରୁଅଛି । ଆପଣଙ୍କର

 

କେହିଜଣେ ଶୁଭାକାଂକ୍ଷୀ

 

ହାତରେ ଚିଠିଟି ଧରି ବିମୁଢ଼ ରାୟସାହେବ ସ୍ଥାଣୁ ଭଳି ଛିଡ଼ା ହୋଇ ରହିଲେ ସେଇଠି । ଚିଠିଟିର ବିଷୟବସ୍ତୁ ଯେ କେତେଦୂର ସତ୍ୟ, ତାହା ଧାରଣା କରି ପାରୁ ନ ଥିଲେ ମଧ୍ୟ ଏଭଳି ଚିଠି ଲେଖି କେହି ଯେ ତାଙ୍କୁ ପ୍ରତାରଣା କହିବାକୁ ଚେଷ୍ଟା କରିଚି ଏହା ସେ ବିଶ୍ଵାସ କରି ପାରୁ ନଥିଲେ-

 

ଚିଠି ବିଷୟ ପଦାରେ ପକାଇ ଆଜିର ଉତ୍ସବ ଭିତରେ ଆନନ୍ଦ ପରିବର୍ତ୍ତେ ଗୋଟାଏ ଆତଙ୍କ ସୃଷ୍ଟି କରିବାକୁ ମନ ତାଙ୍କର ଚାହୁଁ ନ ଥିଲା । ପୁଣି କାହା ସହିତ ପରାମର୍ଶ କରି ଗୋପନରେ ଦୁବୃର୍ତ୍ତ ଦଳର ପ୍ରତିରୋଧ ବ୍ୟବସ୍ଥା କରିବେ ସେ କିଛି ଠିକ୍ କରି ପାରୁ ନ ଥିଲେ । ସେ ଭାବି ପାରୁ ନଥିଲେ ନିମନ୍ତ୍ରିତ ଭଦ୍ର ବ୍ୟକ୍ତିମାନଙ୍କ ଭିତରୁ କିଏ ତାଙ୍କର ଏଭଳି ଶତ୍ରୁତା କରିପାରେ । ଚିନ୍ତିତ ମନରେ ନିମନ୍ତ୍ରିତ ଭଦ୍ରଲୋକମାନଙ୍କର ତାଲିକା ନେଇ ଅନ୍ୟମନସ୍କ ଭାବେ ନା ଗୁଡ଼ାକ ପଢ଼ିବାରେ ଲାଗିଲେ । ଗୋଟିକ ପରେ ଗୋଟିଏ ନାଁ ପଢ଼ି ପ୍ରତ୍ୟେକଙ୍କ ବିଷୟରେ ପାଗଳ ଭଳି ଚିନ୍ତା କରିବାରେ ଲାଗିବାରେ ଲାଗିଗଲେ ରାୟସାହେବ । ପ୍ରାୟ ଦେଢ଼ଶତରୁ ଊର୍ଦ୍ଧ୍ଵଲୋକଙ୍କ ନାମ ନେଇ ଜଣ ଜଣକ ବିଷୟରେ ସେ କେତେ ସମୟ ଏମିତି ଭାବିଥାନ୍ତେ କେଜାଣି, ହଠାତ୍ ଗୋଟାଏ ନାଁ ପାଖରେ ଆସି ଅଟକିଗଲେ ସେ । ଅକୂଳ ସମୁଦ୍ରରେ ଭାସୁ ଭାସୁ କୂଳର ସନ୍ଧାନ ପାଇଲେ ଯେମିତି ? ନାଁ ଅବସର ପ୍ରାପ୍ତ ପୋଲିସ–ଡି.ଆଇ.ଜି ବୃଦ୍ଧ ଉମାଶଙ୍କର । ସେ ଆଉ କାଳବିଳମ୍ଵ ନ କରି ଚିଠିଟି ପକେଟରେ ପୁରାଇ କାର୍ ନେଇ ଦୌଡ଼ିଲେ ସମୁଦ୍ର କୂଳସ୍ଥ ‘ଆନନ୍ଦ ଭବନ’ ଉଦ୍ଦେଶ୍ୟରେ ।

 

ଡ୍ରଇଁ ରୁମରେ ବସି ସକାଳର ଚା’ମାନ କରୁ କରୁ ବୃଦ୍ଧ ଉମାଶଙ୍କର, ସଞ୍ଜୟ ଓ ବିଜୟା ତିନିଜଣଙ୍କ ମଧ୍ୟରେ ଉତ୍କଳର ପ୍ରାଚୀନ ଶିଳ୍ପକଳା ସମ୍ଵନ୍ଧରେ ଆଲୋଚନା ଚାଲିଥିଲା । ତାଙ୍କର ଛୋଟ ଏଇ ମିଟିଂ ଯେତେବେଳେ ବେଶ୍ ସର୍‍ଗରମ ହୋଇ ଉଠିଥିଲା ଠିକ୍ ସେତିକିବେଳେ ଗେଟ୍ ପାଖରେ ଗୋଟାଏ କାର୍ ଅଟକି ଯିବାର ଶବ୍ଦ ଶୁଣି କାହା ପାଟିରୁ କିଛି ବାହାରିବା ଆଗରୁ ବିଜୟାର ପାଟିରୁ ଅଜ୍ଞାତରେ ବାହାରିଗଲା—ରାୟସାହେବ ସଦାନନ୍ଦଙ୍କ ଗାଡ଼ି ।’’

 

ଏତିକି କହିପକାଇବାର ପରମୁହୂର୍ତ୍ତରେ ନିଜର ଭୁଲ୍ ବୁଝିପାରି ଜିଭ କାମୁଡ଼ି ପକାଇଲା ବିଜୟା । ସଞ୍ଜୟ ଓ ଉମାଶଙ୍କରଙ୍କର କିଛି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ବିଜୟା ମୁହଁକୁ ।

 

ବିଜୟା ସକାଳୁ ଉଠିଲାବେଳୁ ରାୟସାହେବଙ୍କ ଆଗମନ ଆଶା କରୁଥିଲା । ସେ ଭଲରୂପେ ବୁଝିଥିଲା ତା’ର ଚିଠି ପାଇ ରାୟସାହେବ ନିଶ୍ଚୟ ବନ୍ଧୁ ଉମାଶଙ୍କରଙ୍କର ପରାମର୍ଶ ଲୋଡ଼ିବାକୁ ଧାଇଁ ଆସିବେ । କିନ୍ତୁ ସକାଳୁ ବସିଥିବା ତାଙ୍କର ଛୋଟ ସଭାଟିର ଉତ୍କଳର ପୁରାତନ ସ୍ଥାପିତ୍ୟକଳାର ଆଲୋଚନାରେ ଭାଗନେଇ ସେ ଏତେ ଆତ୍ମବିସୃତ ହୋଇ ଯାଇଥିଲା ଯେ, ରାୟସାହେବଙ୍କ କଥା ତା’ର ମନେ ନଥିଲା । ଗେଟରେ ଗାଡ଼ି ରହିବାର ଶବ୍ଦ ହେବାକ୍ଷଣି ହଠାତ୍ ସେ କଥା ତା’ର ମନେ ପଡ଼ିଲା ଏବଂ ନିଜର ଅଜ୍ଞାତରେ ମୁହଁରେ ବାହାରି ପଡ଼ିଲା ମଧ୍ୟକିନ୍ତୁ ସେ ବିଷୟରେ ତାକୁ ସଞ୍ଜୟ ବା ଉମାଶଙ୍କର କେହି କିଛି ପଚାରିବା ଆଗରୁ ରାୟସାହେବ ସଦାନନ୍ଦ ବ୍ୟସ୍ତ-ସମସ୍ତ ହୋଇ ଡ୍ରଇଁ ରୁମରେ ପ୍ରବେଶ କରି ସାରିଥିଲେ ।

 

ସେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ବିଜୟା ଓ ସଞ୍ଜୟ ଚାଲିଗଲେ ଡ୍ରଇଁ ରୁମ୍ ଛାଡ଼ି । ବିଜୟାର କଥା ଅନୁସାରେ ରାୟସାହେବଙ୍କୁ ତାଙ୍କ ଡ୍ରଇଁରୁମରେ ପ୍ରବେଶ କରିବାର ଦେଖି ଆଶ୍ଚର୍ଯ୍ୟ ହେଲେ ଉମାଶଙ୍କର । ରାୟସାହେବଙ୍କର ରକ୍ତ ଶୂନ୍ୟ ମୁହଁକୁ ଚାହିଁ ବିସ୍ମୟ ତାଙ୍କର ସୀମା ଲଙ୍ଗନ କଲା । କିଛି ବୁଝିପାରୁ ନ ଥିଲେ ସେ ।

 

“କଥା କ’ଣ ରାୟସାହେବ ? ଆପଣ ଏତେ ଉଦ୍‍ବିଘ୍ନ ଜଣା ପଡ଼ୁଛନ୍ତି କାହିଁକି ?

 

ବନ୍ଧୁଙ୍କୁ ହାତଧରି ବସାଉ ବସାଉ ପଚାରିଲେ ଉମାଶଙ୍କର । ରାୟସାହେବ କିଛି ନ କହି ଅଜ୍ଞାତ ହାତରେ ଲେଖା ସେଇ ଚିଠିଟାକୁ ପକେଟରୁ ବାହାର କରି ବଢ଼ାଇଦେଲେ ଉମାଶଙ୍କରଙ୍କ ହାତକୁ ।

 

ଛୋଟ ଚିଠିଟି ଆମୁଳଚୂଳ ପଢ଼ି ଆଶ୍ଚର୍ଯ୍ୟ ହେଲେ ଉମାଶଙ୍କର ଚିଠିଟିର ହସ୍ତାଅକ୍ଷର ତାଙ୍କର ପରିଚିତ ବୋଲି ମନେହେଲା । ଆଖି ବନ୍ଦକରି ନିରବରେ ଚିନ୍ତା କରିବାକୁ ଲାଗିଲେ ସେ । ରାୟସାହେବ ଶଙ୍କିତ ଚିତ୍ତରେ ବସି ରହିଲେ ତାଙ୍କ ମୁହଁକୁ ଚାହିଁ । ବୈଠକଖାନାରେ ଛାଇ ଯାଇଥିଲା ନିରବତା ।

 

କିଛିକ୍ଷଣ ନିରବରେ ବସି ଚିନ୍ତା କରିବାପରେ ହସ ଫୁଟି ଉଠିଲା ଉମାଶଙ୍କରଙ୍କ ମୁହଁରେ-। ଚିଠିଟି ଲଫାପାରେ ପୂରାଇ ଟେବୁଲର ଗୋଟିଏ କଡ଼କୁ ଆଡ଼େଇ ରଖୁ ରଖୁ କହିଲେ ସେ……

 

“ଆପଣ ନିଶ୍ଚିତ ହୁଅନ୍ତୁ ରାୟସାହେବ । ଯାହା କରିବାର ମୁଁ କରିବି ।’’

 

ଉମାଶଙ୍କରଙ୍କ ଅଭୟ ଉପରେ ପୂରାପୂରି ଭରସା ଥିଲା ରାୟ ସାହେବଙ୍କର । ଚାକିରି ଜୀବନରେ ତାଙ୍କର ଦକ୍ଷତାର ପରିଚୟ ପାଇଥିଲେ ସେ ବହୁ କ୍ଷେତ୍ରରେ । ତଥାପି ନିଜର କୌତୂହଳ ନିବୃତ୍ତ ପଚାରିଲେ ରାୟସାହେବ ।

 

“ଆଛା, ଆପଣ କ’ଣ ବିଶ୍ଵାସ କରୁଚନ୍ତି ଏମିତି ଘଟିବ ବୋଲି ?

 

“ଚିନ୍ତାକରି ଯାହା ଦେଖିଲି, ମୁଁ ଭାବୁଚି ଆପଣ ପ୍ରତାରିତ ହୋଇ ନାହାନ୍ତି ।’’ ଉମାଶଙ୍କର କହିଲେ—“କିନ୍ତୁ ଆପଣ ସେଥିପାଇଁ ଚିନ୍ତା କରିବେ ନାହିଁ । ଯାଆନ୍ତୁ ନିଶ୍ଚିନ୍ତ ମନରେ ଝିଅର ଜନ୍ମତିଥି ପାଳନ କରନ୍ତୁ ।’’

 

ଉମାଶଙ୍କରଙ୍କଠାରୁ ନିର୍ଭର ଯୋଗ୍ୟ ଆଶ୍ଵାସନା ପାଇ ରାୟସାହେବ ଉଠିଲେ । ତାଙ୍କୁ ଗେଟ ପାଖରେ ବଳେଇ ଦେଇ ଆସି ଚିନ୍ତିତ ଉମାଶଙ୍କର ଡ୍ରଇଂରୁମ୍‍ର ପରିତ୍ୟକ୍ତ ଆସନଟିରେ ଚୁପ୍ ହୋଇ ବସିରହିଲେ । ଟେବୁଲ ଉପରେ ପଡ଼ିଥିବା ଚିଠିଟି ଖୋଲି ପଢ଼ିଲେ ଆଉଥରେ । ବିଜୟାର ହସ୍ତାକ୍ଷର ଚିହ୍ନିବାରେ ଅଭିଜ୍ଞ ଦୃଷ୍ଟି ତାଙ୍କର ଭୁଲ୍‍ କଲା ନାହିଁ । ସେଦିନ ବିଜୟାର ଡାଇରୀ ଦେଖିଥିଲେ ସେ । କିନ୍ତୁ ଗୋଟିଏ ବିଷୟରେ ସେ ନିଶ୍ଚିନ୍ତ ହୋଇ ପାରୁ ନ ଥିଲେ । ଅନୁସନ୍ଧାନ କରି ସେତିକି ଜାଣି ନେବାକୁ ହାତରେ ଯଥେଷ୍ଟ ସମୟ ମଧ୍ୟ ନ ଥିଲା । ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ବିଜୟାଠାରୁ ସେତିକି ବୁଝି ନେବା ପାଇଁ ତାକୁ ଡାକି ପଠାଇଲେ ସେ । ସେତେବେଳକୁ ବିଜୟା ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ଉମାଶଙ୍କର ଡାକୁଛନ୍ତି ଶୁଣି କ୍ଷିପ୍ର ଗତିରେ ଓହ୍ଲାଇ ଆସିଲା ତଳକୁ ।

 

ତାକୁ ବାହାରକୁ ବାହାରିବା ବେଶରେ ଦେଖି ଉମାଶଙ୍କର ଇଷତ୍ ଥଟ୍ଟାଳିଆ ସ୍ଵରରେ କହିଲେ ।

 

“ତା ପରେ ୟଂ ଡିଟେକ୍‍ଟିଭ ! ଅନୁସନ୍ଧାନ ଚଳେଇବାକୁ ବାହାରିଲ ନିଶ୍ଚୟ ।’’

 

ଦୃଷ୍ଟିରେ ତାଙ୍କର ଉଛୁଳି ଉଠୁଥିଲା ବିଜୟାର ପ୍ରଶଂସା । ବାସ୍ତବିକ୍ ଏଇ କର୍ତ୍ତବ୍ୟନିଷ୍ଠ ଝିଅଟିର ନିରବ ସାଧନାରେ ମୁଗ୍ଧ ହୋଇ ଯାଇଥିଲେ ସେ ।

 

ଉମାଶଙ୍କର ଘୁଞ୍ଚି ଆସିଲେ ପାଖକୁ ତା’ର । ମୁଣ୍ତରେ ତାର ହାତ ବୁଲାଉ ବୁଲାଉ ସମବେଦନାଭରା କଣ୍ଠରେ କହିଲେ—

 

“ମୁଁ ସବୁ ଜାଣେ ମା ।’’ ଆରମ୍ଭରୁ ମୋର ସଜାଗ ଦୃଷ୍ଟି ଜଗି ରହିଚି ତୋତେ । ମୁଁ ସବୁବେଳେ କାମନା କରୁଚି ତୋର ସଫଳତା, ବଂଶ ହତ୍ୟାର ପ୍ରତିଶୋଧ ନେବା ସଙ୍ଗେ ସଙ୍ଗେ ରଞ୍ଜନ ଭଳି ସମାଜର ଏକ ଦୁଷ୍ଟ ବ୍ରଣକୁ ଚିରଦିନ ପାଇଁ ପୃଥିବୀ ବକ୍ଷରୁ ପୋଛି ଦେବା ଉଚିତ ।’’

 

ବିଜୟା କ୍ଷଣକ ପାଇଁ ବିସ୍ମୟବିମୁଢ଼ ହୋଇ ଚାହିଁ ରହିଲା ଉମାଶଙ୍କରଙ୍କ ମୁହଁକୁ । ତା’ପରେ ପାଦରେ ତାଙ୍କର ମୁଣ୍ତ ଲଗାଇ ପ୍ରମାଣ କଲା ବିଜୟା । ତାକୁ ଉଠାଉ ଉଠାଉ ଉମାଶଙ୍କର ଆଶିର୍ବାଦ କରୁଥିଲେ “ମୁଁ ଆଶିର୍ବାଦ କରୁଚି, ବିଜୟା ମୋର ବିଜୟନୀ ହେଉ ।’’

 

ବିଜୟା ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ । ଏତେଦିନ ପରେ ଉମାଶଙ୍କରଙ୍କ ଏ ଆଶ୍ଵାସନାରେ ଅବ୍ୟକ୍ତ ବେଦନା ତା’ର ଉଛୁଳି ପଡ଼ିବାକୁ ଚାହୁଁଥିଲା । କିନ୍ତୁ କାନ୍ଦିବା ପାଇଁ ସମୟ ନ ଥିଲା ତା’ର । ଘଡ଼ିକୁ ଚାହିଁ ବ୍ୟସ୍ତ ହୋଇ ଉଠିଲା ସେ । ସାଢ଼େ ଆଠାଟା ବାଜିବାକୁ ଅଳ୍ପସମୟ ବାକି ଅଛି ଆଉ । ହୁଏତ ରଞ୍ଜନ ଉଠିବେଣି ।

 

“ମୁଁ ଆସେ ବାବା ?’’

 

ଆଖି ପୋଛି କହିଲା ବିଜୟା । କଣ୍ଠ ଆଉ ଭଙ୍ଗିମାରେ ତା’ର ବ୍ୟଗ୍ରତା ।

 

“ହଁ ମା କିନ୍ତୁ ଗୋଟିଏ କଥା । ରାୟସାହେବଙ୍କର ଧନ ଜୀବନ ଲୁଟି ନେବା ପାଇଁ ଚକ୍ରାନ୍ତ କରିଥିବା ମହତ ବ୍ୟକ୍ତିଟି ତାଙ୍କ କନ୍ୟା ସୁହାସର ପ୍ରଣୟୀ ସେଇ ରଞ୍ଜନ ନା ।’’

 

“ହଁ ବାବା ।’’

 

ଇଷତ୍ ହସି ଉତ୍ତର ଦେଲା ବିଜୟା ।

 

“ଧନ୍ୟବାଦ । ତୁ ଏଥର ଆସିପାରୁ ।’’

 

ଟେବୁଲ ଉପରୁ ଭେନିଟି ବ୍ୟାଗଟି ଉଠାଇ କ୍ଷିପ୍ରଗତିରେ ଡ୍ରଇଂରୁମ୍‍ରୁ ବାହାରିଗଲା ବିଜୟା । ଅଳ୍ପ ସମୟ ପରେ ଆନନ୍ଦ ଭବନ ଗେଟରୁ ବାହାରି ଚକୋଲେଟ ରଙ୍ଗର ଅଷ୍ଟିନକାରଟା ସମୁଦ୍ରକୂଳ ରାସ୍ତା ଧରି ଛୁଟି ଚାଲିଲା ।

 

କାର ଡ୍ରାଇଭଂ କରୁ କରୁ ବିଜୟା ଭାବୁଥିଲା—

 

ରଞ୍ଜନର ବିଳମ୍ଵରେ ଉଠିବା ଅଭ୍ୟାସ । ତା’ ପରେ ଆଜି ରାୟସାହେବଙ୍କ ଘରେ ଡକାୟତିର ପ୍ଳାନ୍‍ କରୁ କରୁ ଗତ ରାତିରେ ସୁନିଦ୍ରା ହୋଇ ନ ଥିବ ତାକୁ ନିଶ୍ଚୟ । ବସି ବସି ଗୋଟାଏ ଦି’ଟା ବୋତଲ ବିଲାତି ପାନୀୟ ଗଳାଧଃକରଣ କରିବା ପରେ ଅନେକ ରାତିରେ ଶୋଇଥିବ ସେ । ଏବଂ ଆଜି ଏତେବେଳଯାଏ ହୁଏତ ଉଠି ନ ଥିବ । ଶୋଇ ଶୋଇ ଗୁପ୍ତଧନ ଭଣ୍ଡାରର ସ୍ୱପ୍ନ ଦେଖୁଥିବ ରଞ୍ଜନ ।

 

ଓସେନଭିଉ ହୋଟେଲର ଗାଡ଼ି ବାରଣ୍ତାରେ କାର୍‍ଟା ଛିଡ଼ାକରି ଦେଇ ଭିତରେ ପଶିଲା ବିଜୟା । ହଲ୍ ଘରେ ପରିଚିତ ବୟଟା ଚା ପରଶୁଥିଲା । ବିଜୟାକୁ ଦେଖି ଛୁଟି ଆସିଲା ତା ପାଖକୁ-

 

“ସାହେବ ଉଠିଲେଣି ?’’

 

ପଚାରିଲା ବିଜୟା ।

 

ବୟ ବୁଝିଲା । କହିଲା—

 

“ଉଠି ନାହାନ୍ତି । କ’ଣ ଖବର ଦେବି ?’’

 

“ନା ମୁଁ ନିଜେ ଯାଉଚି ।’’

 

କହି ବିଜୟା ଉପର ମହଲାର ସତର ନମ୍ଵର କୋଠରି ଉଦ୍ଦେଶ୍ୟରେ ଚାଲିଗଲା ।

 

ରୁଦ୍ଧଦ୍ଵାରରେ ଧକ୍କା ପଡ଼ିବାର ଶବ୍ଦଶୁଣି ନିଦ ଭାଙ୍ଗିଲା ରଞ୍ଜନର । ବିରକ୍ତହୋଇ ନିଦ୍ରାଜଡ଼ିତ କଣ୍ଠରେ ଭିତରୁ ଚିତ୍କାର କଲା ସେ ।

 

“କୌନ୍ ହ୍ୟାୟ……”

 

“ମୈ ହୁଁ ଜନାବ୍…”

 

ନାଟକୀୟ ଭଙ୍ଗିରେ ଉତ୍ତର ଦେଲା ବିଜୟା ।

 

ଭିତରେ ନିମିଷକ ପାଇଁ ଚୁପ୍‍ ରହିଲା ରଞ୍ଜନ । ବୋଧହୁଏ ସ୍ଵର ବାରୁଥିଲା । ଅଳ୍ପସମୟ ପରେ ।

 

“ଓଃ ମୁଁ ଦୁଖିଃତ” କହି କବାଟ ଫିଟାଇଦେଲା ରଞ୍ଜନ । ସେ ବିଜୟାର ଏ ଅପ୍ରତ୍ୟାଶିତ ଆଗମନରେ ଖୁସି ହୋଇ ନାହିଁ, ତାହା ବିଜୟା ବୁଝୁଥିଲା ।

 

“ତା’ପରେ, ଏତେ ସକାଳ କ’ଣ ମନେ କରି ?’’

 

ମୁହଁରେ ଶୁଖିଲା ହସ ଫୁଟାଇ, ବିରକ୍ତିକୁ ଯଥା ସମ୍ଭବ ଚାପି ରଖିବାର ଚେଷ୍ଟା କରୁ କରୁ ପଚାରିଲା ରଞ୍ଜନ ।

 

“ଏତେ ସକାଳ ହେଲାଣି ସତ । କିନ୍ତୁ ଆପଣ ଯେଉଁ ଅର୍ଥରେ କହୁଚନ୍ତି ସେ ଅର୍ଥରେ ନୁହେଁ । ସାଢ଼େ ଆଠଟା ବାଜିବା ଅର୍ଥରେ, ବରଂ ସମୁଦ୍ର କୂଳରେ ଥାଇ ସାଢ଼େ ଆଠଟା ପର୍ଯ୍ୟନ୍ତ ଆପଣ ଯେ କାହିଁକି ବିଛଣା ଛାଡ଼ି ନାହାନ୍ତି, ମୋତେ ପ୍ରଥମେ ଏ କଥା ପଚାରିବା ପାଇଁ ଦେବା ଉଚିତ୍‍ ଥିଲା ଆପଣଙ୍କର । ଅପଶେଷ ରାଜୁ ଭାଇ, ଯେ ପୁରୀକୁ ଆସି ଏବଂ ସମୁଦ୍ରକୂଳରେ ରହି ଆପଣ ନିଶ୍ଚନ୍ତମନରେ ସାଢ଼େଆଠଟା ପର୍ଯ୍ୟନ୍ତ ଶୋଇ ପାରୁଚନ୍ତି ।

 

ରଞ୍ଜନକୁ ଏ ସବୁ ଭଲ ଲାଗୁ ନ ଥିଲା । ତଥାପି ଭଦ୍ରତା ଦେଖାଇ ଉତ୍ତର ଦେଲା—କାଲି ରାତିରେ ଗୋଟାଏ ନିମନ୍ତ୍ରଣ ରକ୍ଷା କରିବାକୁଯାଇ ଅନେକ ଡେରିହେଲା ଫେରୁ ଫେରୁ । ସେଥିପାଇଁ ଶିଘ୍ର ନିଦ ଭାଙ୍ଗିଲା ନାଇଁ । ତୁମେ ବଡ଼ ଉପକାର କଲ ମୋତେ ଉଠାଇ ଦେଇ, ବର୍ତ୍ତମାନ ଟିକିଏ ମୋତେ ଷ୍ଟେସନ ଯିବାକୁ ହେବ ।

 

ବିଜୟା ବୁଝିଲା ତା’ର ସାନିଧ୍ୟ ଏଡ଼ାଇବା ପାଇଁ ରଞ୍ଜନ ଡାହା ମିଛ ବକି ଯାଉଚି । ସେ ଉଠିଲା ନାହିଁ ।

 

“ଆଚ୍ଛା ଦଶମିନିଟି ଅପେକ୍ଷା କର ମୁଁ ଆସୁଚି । ତା’ପରେ ଚା’ ଖାଇ ତୁମେ ବୁଲିବାକୁ ଚାଲିଯିବ ଓ ମୁଁ ଯିବି ଷ୍ଟେସନ ।’’

 

କହି କାନ୍ଧରେ ଟାଓ୍ଵାଲ ଟା ପକାଇ ପ୍ରାତଃକୃତ୍ୟ ଶେଷ କରିବା ପାଇଁ ଚାଲିଗଲା ରଞ୍ଜନ-

 

ରଞ୍ଜନ ବାହାରି ଚାଲିଯିବା ସଙ୍ଗେ ସଙ୍ଗେ ଦୁଆର ମୁହଁକୁ ଆସି ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଥରେ ଚାହିଁ ନେଲା ବିଜୟା । ତା’ପରେ କ୍ଷିପ୍ତ ହସ୍ତରେ ଦୁଆରର ପରଦାଟା ଟାଣି ଦେଇ ଟେବୁଲ ଉପରୁ ଚାବିକାଠିର ରିଙ୍ଗଟା ଉଠାଇ ନେଲା । ଚାବି ବାଛି ପାଖରେ ଥୁଆ ହୋଇଥିବା ଚମଡ଼ାର ବଡ଼ ସୁଟକେଶଟା ନିଶଃବ୍ଦରେ ଖୋଲିଲା । ସୁଟକେଶର ଡାଲା ଉଠାଇ ଅତି କ୍ଷିପ୍ର ହସ୍ତରେ ଅଥଚ ସାବଧାନତା ସହକାରେ କ’ଣ ଖୋଜିବାକୁ ଲାଗିଲା । ପ୍ରାୟ ଅଧମିନିଟ ଖୋଜିବା ପରେ ରୁମାଲରେ ଗୁଡ଼ିଆ ହୋଇଥିବା ଗୋଟିଏ ଛୋଟ ତାଳପତ୍ର-ପୋଥିର ବିଡ଼ା ସୁଟକେଶର ଲୁଗାପଟା ତଳୁ ବାହାର କରି ଆଣିଲା ବିଜୟା । ସେଇଟିକୁ ଭେନିଟି ବ୍ୟାଗରେ ପୁରାଇ ସୁଟକେଶଟି ପୂର୍ବପରି ବନ୍ଦ କରି ଦେଲା । ତା’ପରେ ଚାବି ପେନ୍ଥାଟି ଯଥାସ୍ଥାନରେ ରଖି ଦେଇ ଚେୟାରଟା ଉପରେ ଚୁପ୍‍ ହୋଇ ବସି ରହିଲା । ଏତିକି କରିବାକୁ ତିନିମିନିଟିରୁ ଅଧିକ ସମୟ ଲାଗିଲା ନାହିଁ ତାକୁ । ଛାତି ତା’ର ଦୁରୁ ଦୁରୁ କମ୍ପୁ ଥିଲା । ଝାଳରେ ପତଳା ବ୍ଲାଉଜ୍‍ଟା ଓଦା ହୋଇ ଯାଇଥିଲା ।

 

ପ୍ରାୟ ଦଶମିନିଟି ପରେ ରଞ୍ଜନ ଫେରି ଆସିଲା । ତା’ପଛେ ପଛେ ବୟଟା ଆସି ସଲାମ ଠୁଙ୍କି ଛିଡ଼ା ହେଲା ଆଦେଶ ଅପେକ୍ଷାରେ । ରଞ୍ଜନ ତାକୁ ଦି’ଜଣଙ୍କର ଚା’ ଜଳଖିଆ ଆଣିବାକୁ ଆଦେଶ କରୁଥିଲା ବେଳେ ବିଜୟା ବାଧା ଦେଲା—

 

“ମୁଁ ତ ଆଉ ବର୍ତ୍ତମାନ ବିଛଣା ଛାଡ଼ୁନି ଯେ ଚା’ ଜଳଖିଆ ଖାଇବି ଏଇନେ । ଅନେକ ଆଗରୁ ବସାରୁ ସେ କାମଟା ସାରି ବାହାରିବାକୁ ହୋଇଚି ମୋତେ । ତା’ଛଡ଼ା ଆପଣ ଯେତେବେଳେ ଚା’ ଖାଇ ଷ୍ଟେସନ ଯିବେ ବୋଲି କହୁଚନ୍ତି, ମିଛଟାରେ ମୁଁ ଏଠାରେ ସମୟ ନଷ୍ଟ କରିବି କାହିଁକି ?’’

 

କହୁଁ କହୁଁ ଭେନିଟି ବ୍ୟାଗଟା ହାତରେ ନେଇ ଉଠିଲା ବିଜୟା ।

 

“ମୁଁ ବଡ଼ ଦୁଃଖିତ ବିଜୀ, ଯେ ଦି’ଦି’ ଥର ତୁମ ସହିତ ଦେଖା ହୋଇ ମଧ୍ୟ ବି, ଚାରିପଦ ସୁଖ ଦୁଃଖ ହେବା ଜୁଟିଲାନି ଭାଗ୍ୟରେ ।’’ ରଞ୍ଜନର କଣ୍ଠସ୍ଵରରେ ଅନୁତାପର ଛଳନା ।

 

“ସେଦିନ ତୁମର ସମୟ ନ ଥିଲା ଏବଂ ଦୁର୍ଭାଗ୍ୟ ବଶତଃ ମୋର ସମୟ ନାହିଁ ଆଜି । ଆଚ୍ଛା ତୁମର ଠିକଣାଟା ଦେଇ ଯାଇଥାଅ ମୋତେ । ସମୟ ଦେଖି ମୁଁ ଦିନେ ଯାଇଁ ସେଠାରେ ଆଳାପ କରି ଆସିବି ।’’

 

“ଧନ୍ୟବାଦ । ପୁରୀରେ ବୋଧହୁଏ ଆପଣଙ୍କ ସହିତ ଏଇ ଶେଷ ସାକ୍ଷାତ । ମୁଁ ପୁରୀ ଛାଡ଼ୁଚି ଆଜି । ନମସ୍କାର ।’’

 

କହି ବିଜୟା ବିଜୟିନୀର ଭଙ୍ଗିରେ ରଞ୍ଜନର ପ୍ରକୋଷ୍ଠ ତ୍ୟାଗକଲା । ପ୍ରତି ନମସ୍କାର ଜଣାଉ ଜଣାଉ ରଞ୍ଜନ ଚାହିଁ ରହିଥିଲା ତା’ରି ନିଷ୍କ୍ରମଣ ଆଡ଼କୁ ।

 

ହୋଟେଲର ହଲ ଘରେ ପହଞ୍ଚି ପରିଚିତ ବୟଟାକୁ ଇସାରା ଦେଇ ଡାକିଲା ତା’ ପାଖକୁ ବିଜୟା । ବୟଟା ଆସି ଛିଡ଼ା ହେଲା ଆଦେଶ ଅପେକ୍ଷାରେ । ବିଜୟା ଭେନିଟିବ୍ୟାଗ ଖୋଲି ବାହାର କଲା ତା’ ଭିତରୁ ନାଲି ରଙ୍ଗର ଇଷତ୍ ବଡ଼ ଗୋଟାଏ ଲଫାପା । ଲଫାପାଟା ବୟ ହାତକୁ ବଢ଼ାଇ ଦେଇ କହିଲା—

 

“ଆଜି ରାତିରେ ସାହେବ ବାହାରୁ ଫେରିଲେ ଦେଇଦେବୁ ଏଇଟା ତାଙ୍କୁ । ଆଉ ଏଇ ତୋର ବକ୍ସିସ ।’’

 

କହି ପାଞ୍ଚଟଙ୍କାର ତିନିଖଣ୍ତ ନୋଟ୍‍ ଲଫାଫା ସହିତ ବଢ଼ାଇ ଦେଲା ବୟ ହାତକୁ ।

 

ଅଳ୍ପସମୟ ପରେ ଚକୋଲେଟ ରଙ୍ଗର ଅଷ୍ଟିନଟା ଓସେନଭିଉ ହୋଟେଲର ବାରଣ୍ତା ଛାଡ଼ି ଛୁଟି ଚାଲିଲା ଯେଉଁ ରାସ୍ତାରେ ଆସିଥିଲା ସେଇ ରାସ୍ତାରେ ।

 

ଆନନ୍ଦ ଭବନରେ ପହଞ୍ଚି ଯଥାଶିଘ୍ର ସ୍ନାନହାର ସାରିନେଲା ବିଜୟା । ତା’ପରେ ଛୋଟ ଗୋଟିଏ ସୁଟକେଶରେ ପ୍ରୟୋଜନୀୟ ଅଳ୍ପ କେଇଖଣ୍ତ ଲୁଗାପଟା ସଜାଡ଼ି ନେଲା । ଡ୍ରାଇଭରକୁ ଡାକି କାରଟାର ଟାଙ୍କି ପେଟ୍ରୋଲରେ ଭର୍ତ୍ତି କରି ଦେବାକୁ ଓ ଗୋଟାଏ ଅଧିକା ଟିଣ ଗାଡ଼ିରେ ଦେବାକୁ କହିଦେଇ ଉମାଶଙ୍କର ଉଦ୍ଦେଶ୍ୟରେ ବାହାରିଲା ସେ ।

 

ଉମାଶଙ୍କର ତାଙ୍କ ଶୋଇବା ଘରେ ବସି ବସି କ’ଣ ଗୋଟାଏ ମାସିକ ପତ୍ରିକା ଲେଉଟାଉଁଥିଲେ । ବିଜୟାକୁ ଘର ଭିତରେ ପ୍ରବେଶ କରିବାର ଦେଖି ପତ୍ରିକାଟା ବିଛଣା ଉପରେ ଫୋପାଡ଼ି ଦେଇ ପଚାରିଲେ ସେ—

 

ଆଉ ! ଖବର କ’ଣ ମା !’’

 

“ଜଗନ୍ନାଥଙ୍କ ଦୟାରୁ ଏ ପର୍ଯ୍ୟନ୍ତ ସବୁ ଶୁଭ ବାବା ।’’

 

ଚେୟାରଟାରେ ବସି ପଡ଼ୁ ପଡ଼ୁ କହିଲା ବିଜୟା । “ମୁଁ ବର୍ତ୍ତମାନ କଟକ ବାହାରି ଯାଉଁଚି-। ସଞ୍ଜୟ ଭାଇଙ୍କୁ କହିଦେବେ ଯିବା ଆଗରୁ ଦେଖା ହୋଇ ପାରିଲା ନାହିଁ, ସେଥିପାଇଁ ଦୁଃଖିତ ମୁଁ-।’’

 

ବିଜୟାର ଏ ଅପ୍ରତ୍ୟାଶିତ ପ୍ରସ୍ତାବରେ ଇଷତ ଆଶ୍ଚର୍ଯ୍ୟ ହେଲେ ଉମାଶଙ୍କର । କିନ୍ତୁ ସେ କିଛି ପଚାରି ବସିବା ଆଗରୁ ବିଜୟା କହିଲା—

 

ମୋର ପ୍ରସ୍ତାବ ଅନୁସାରେ ରଞ୍ଜନ ଆଜି ରାତି ପୁରୀ ଛାଡ଼ିବାକୁ ବାଧ୍ୟ ହେବ । ପୁରୀ ଛାଡ଼ିବା ପରେ ଅନ୍ୟ କୁଆଡ଼େ ଚାଲିଯିବା ଆଗରୁ ସେ ନିଜକୁ ପ୍ରସ୍ତୁତ କରିନେବା ପାଇଁ କଟକରେ ଥିବା ତାଙ୍କର ବସାଘରେ ଅଳ୍ପସମୟଲାଗି ଯେ ଆଶ୍ରୟ ନେବ ଏ ବିଷୟରେ ମୁଁ ନିଃସନ୍ଦେହ । ଆଜି ରାତିରେ ମୁଁ ମୋର କାର୍ଯ୍ୟୋଦ୍ଧାର କରିବାକୁ ଚାହେଁ । ଆଜିର ସୁଯୋଗ ହରାଇଲେ ରଞ୍ଜନକୁ ମୁଁ ହୁଏତ ଆଉଁ କୌଣସି ଦିନ ପାଇବି ନାହିଁ । ମୋତେ ପରେ ଅନୁତାପ କରିବାକୁ ପଡ଼ିବ ।

 

ବିଜୟାର କଥାରେ ଚିନ୍ତିତ ହୋଇ ପଡ଼ିଲେ ଉମାଶଙ୍କର । ସେ କହିଲେ—

 

“ବଡ଼ ଚିନ୍ତାରେ ପକାଇଲୁ ମା ! ଜାଣୁ ଜାଣୁ ଏତେବଡ଼ ବିପଦ ଭିତରକୁ ତୋତେ ମୁଁ ଏକୁଟିଆ ଛାଡ଼ିଦେବି କିପରି ? ବିଶେଷତଃ ଯେଉଁଠାରେ ତୋର ଜୀବନ ସଂସୟ ପୂରାମାତ୍ରାରେ ରହିଚି ।’’

 

ଉମାଶଙ୍କରଙ୍କ କଥାରେ ବିବ୍ରତ ହୋଇ ଉଠିଲା ବିଜୟା ।

 

“ମୋତେ ମନା କରନ୍ତୁ ନାହିଁ ବାବା ! ମୁଁ ମୋର ପିତୃହତ୍ୟାର, ବଂଶହତ୍ୟାର ପ୍ରତିଶୋଧ ନେବା ଲାଗି ଜୀବନପଣ କରି ଘର ଛାଡ଼ିବି । ରଞ୍ଜନ ଏ ପୃଥିବୀ ବକ୍ଷରେ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରାଣରେ ମୋର ଶାନ୍ତି ନାହିଁ । ମୋର ବାପ, ମା, ଭଉଣୀଙ୍କର ଅତୃପ୍ତ ଆତ୍ମା ମୋ’ରି ଚାରିପାଖରେ ଅହରହ ଘୂରି ବୁଲୁଚନ୍ତି । ପ୍ରତାରକ, ପାପିଷ୍ଠ ରଞ୍ଜନର ଦକ୍ଷ ରକ୍ତରେ ତର୍ପଣ କରି ମୁଁ ଦେବି ସେମାନଙ୍କୁ ତୃପ୍ତି । ମୋତେ ମନା କରନ୍ତୁ ନାହିଁ । ଯିବାକୁ ଦିଅନ୍ତୁ ମୋତେ ।’’

 

ବିଜୟାର କଣ୍ଠରେ ଚରମ ନିଷ୍ପତ୍ତିର ଦୃଢ଼ତା । ଚାହାଣୀରେ ସର୍ବଗ୍ରାହୀ ଜିଘାଂସା ।

 

ଉମାଶଙ୍କର ବୁଝିଲେଣି ବିଜୟାକୁ ଅଟକାଇ ରଖାଯାଇ ପାରେନା । ବିଜୟାର ବୁଦ୍ଧିମତ୍ତା ଉପରେ ଯଥେଷ୍ଟ ଆସ୍ଥା ଥିଲା ତାଙ୍କର । ତଥାପି ତାକୁ ଅନିଶ୍ଚିତ ବିପଦ ମଝିକୁ ଜାଣୁ ଜାଣୁ ଠେଲିଦେବାକୁ ମନ ତାଙ୍କର ଚାହୁଁ ନ ଥିଲା । ଯେତେ ବୁଦ୍ଧିମତୀ ହେଲେ ମଧ୍ୟ ବିଜୟା ନାରୀ । ଅବଳା ।

 

“କିନ୍ତୁ……”

 

କ୍ଷୀଣ ପ୍ରତିବାଦ ଜଣାଇବାକୁ ଯାଉଥିଲେ ସେ ।

 

“ୟା ଭିତରେ କୌଣସି କିନ୍ତୁର ସ୍ଥାନ ନାହିଁ ବାବା । ଆପଣ ମୋ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ । ମୋତେ ନିର୍ବିଘ୍ନରେ ମୋ ଜୀବନର ବ୍ରତ ଉଦ୍‍ଯାପନ, କରିବାକୁ ଦିଅନ୍ତୁ । ପ୍ରିୟତମା କନ୍ୟା ଆପଣଙ୍କର, ତା’ର ପୂର୍ବଜନ୍ମର ପ୍ରଥମ ଓ ଶେଷବ୍ରତ ଉଦ୍‍ଯାପନ କରି ଅକ୍ଷତ ଶରୀରରେ ଫେରିଆସିବ ଆପଣଙ୍କ କୋଳକୁ । କେବଳ ଏତିକି ଆଶିର୍ବାଦ କରନ୍ତୁ ସେ ବିଜୟିନୀ ହେଉ ।’’

 

ବିଜୟା ଲୋଟିଗଲା ଉମାଶଙ୍କରଙ୍କ ପାଦତଳେ ।

 

ତାକୁ ତଳୁ ଉଠାଉ ଉଠାଉ କହିଲେ ଉମାଶଙ୍କର—

 

“ତା’ ହେଲେ ଚାଲ ମା, ମୁଁ ମଧ୍ୟ ଯିବି ତୋ ସହିତ ।’’

 

“ନା ବାବା ତାହା ହେବ ନାହିଁ । ରାୟ ସାହେବଙ୍କର ଅମୂଲ୍ୟ ଜୀବନର ଦାୟିତ୍ଵ ଯେ ଆପଣ ସ୍ଵଇଛାରେ ଗ୍ରହଣ କରିଛନ୍ତି ତାହା ଭୁଲି ଯା’ନ୍ତୁ ନାହିଁ । ଆପଣଙ୍କୁ ମୋ ସହିତ ଯିବାକୁ ଦେଇ, ନିଜର ନିରାପତ୍ତା ପାଇଁ ସୁହାସ ଭଳି ସଦା ହାସ୍ୟମୟୀ, ଗୋଟିଏ ସରଳା ବାଳିକାର ସର୍ବନାଶର ପଥ ସୁଗମ କରି ଦେଇ ପାରିବି ନାହିଁ । ଏତେବଡ଼ ସ୍ଵାର୍ଥପର ମୁଁ ନୁହେଁ ।’’

 

ବିଜୟାର କଥାରେ ଉମାଶଙ୍କର ବିମୁଢ଼ ହୋଇ ଯାଇଥିଲେ ।

 

କିଛିକ୍ଷଣପରେ ସେ ଉଠିଯାଇ ଗୋଟିଏ ଛୋଟ ବ୍ରାଉନିଂ ରିଭଲଭର ଆଣି ଧରାଇ ଦେଲେ ବିଜୟା ହାତରେ, କହିଲେ—

 

“ଆଶିର୍ବାଦ କରୁଚି ମା, ଯାତ୍ରା ତୋର ସଫଳ ହେଉ । ଅକ୍ଷତ ଶରୀର ନେଇ ଫେରିଆ ତୁ ମୋ କୋଳକୁ ।’’ ବୃଦ୍ଧ ଉମାଶଙ୍କରଙ୍କ ଆଖି ଛଳ ଛଳ ହୋଇ ଉଠୁଥିଲା ।

 

ବିଜୟା ଆଉଥରେ ଉମାଶଙ୍କରଙ୍କ ପାଦତଳେ ମୁଣ୍ତ ଲଗାଇ ପ୍ରଣାମ କଲା ।

 

ସନ୍ଧ୍ୟା ଆଗତ ପ୍ରାୟ ।

 

ନାନା ରଙ୍ଗର ଆଲୋକମାଳାରେ ରାୟ ସାହେବଙ୍କ ବାସ-ଭବନ ଉଦ୍‍ଭାସିତ ହୋଇ ପଡ଼ିଚି । ଯନ୍ତ୍ର ସଙ୍ଗୀତର ମଧୁର ମୂର୍ଚ୍ଛନା ସ୍ଵାଗତ ଜଣାଉଚି ଅଷ୍ଟାଦଶୀ ସୁହାସିନୀର ଜନ୍ମୋତ୍ସବର ଏ ମଧୁର ସନ୍ଧ୍ୟାକୁ । ସମବେତ ତରୁଣୀ କଣ୍ଠର ହାସ କଲ୍ଲୋଳ, ତରୁଣ ଯୁବକ ଦଳର ହାସ ପରିହାସ, ବୟସ୍କ ପ୍ରୌଢ଼ମାନଙ୍କର ଗଳ୍ପ ଗୁଞ୍ଜନରେ ମୁଖରିତ ହୋଇ ଉଠୁଚି ସମସ୍ତ ବାସଭବନ । ନିମନ୍ତ୍ରଣିତ ଅତିଥିମାନଙ୍କ ଭିତରେ ବୁଲି ବୁଲି ରାୟସାହେବ ସଦାନନ୍ଦ ମଧୁର ସମ୍ଭାଷଣରେ ତୃପ୍ତ କରୁଚନ୍ତି ସମସ୍ତଙ୍କୁ । ସମବେତ ବନ୍ଧୁ ମେଳରେ କଳ-ହାସ୍ୟମୟୀ ତା’ର ଜର୍ଜେଟ ଶାଢ଼ିର ପଣତ ଲୋଟାଇ ଘୂରି ବୁଲୁଚି ଗୋଟିଏ ମୁକ୍ତ ପ୍ରଜାପତି ପରି ।

 

ସୁହାସିନୀର ପ୍ରସାଧାନରେ ଆଜି ଅପୂର୍ବ ପାରିପାଟି ।

 

ସବୁଜ ରଙ୍ଗର ଜର୍ଜେଟ ଶାଢ଼ିଟା ଗୋରା ଦେହରେ ତାର ଜଡ଼ି ଯାଇଚି ଗୋଟିଏ କଅଁଳ ଲତା ଭଳି । କପାଳରେ କୁଙ୍କୁମର ଚାରି ଲେଖା । ସଯତ୍ନ ବିନ୍ୟସ୍ତ ମେଘକୃଷ୍ଣ କବରୀରେ ରକ୍ତ ଗୋଲାପ ଆଉ ରଜନୀଗନ୍ଧାର ମନୋରମ ଖୋଷା । ସାରା ଅଙ୍ଗରେ ବହୁ ମୂଲ୍ୟ କନକ ଆଭରଣ-। ଅପରୂପ ଦିଶୁଚି ସେ ।

 

ରୂପସୀ, ତନ୍ଵୀ, ଏଇ ତରୁଣୀଟିକୁ ଦେଖି ଆଜି ରଞ୍ଜନର ବଜ୍ରକଠିନ ଅନ୍ତର ଭାବପ୍ରବଣ ହୋଇ ଉଠୁଚି ବେଳେ ବେଳେ । ମନ ତା’ର ଛୁଟି ଯିବାକୁ ଚାହୁଁଚି ଲଗାମ ଛିଡ଼ାଇ । ତାକୁ ଘେରି ବସୁଚି ତା’ର ପ୍ରକୃତି ବିରୁଦ୍ଧ ଏକ ବିଚିତ୍ର ଦୁର୍ବଳତା । ନିଜକୁ ଆୟତ୍ତ କରିବା ଲାଗି ନିଜ ଅନ୍ତର ସହିତ ଯୁଦ୍ଧ କରି କ୍ଷତବିକ୍ଷତ ହୋଇ ପଡ଼ୁଚି ସେ ।

 

ପ୍ରେୟସୀ ମିନତୀକୁ ନିଜ ହାତରେ ଅଗ୍ନି ସମାଧି ଦେଇଚି ରଞ୍ଜନ । ପ୍ରିୟା ସୁହାସିନୀକୁ ମଧ୍ୟ ଫାଙ୍କି ଦେବାକୁ ଯାଉଚି ସେ । ସମସ୍ତଙ୍କ, ସବୁ କିଛିକୁ ଛପାଇ ଆଖି ଆଗରେ ନାଚି ଉଠୁଚି ତାର ପୂର୍ବଘାଟ ପର୍ବତମାଳାର ଅଗମ୍ୟ ଏକ ଗିରୀ ଗହ୍ଵର । ଆଉ ତା’ରି ଭିତରେ ଲୁକ୍କାୟିତ ସାତ ରାଜାର ଧନ ଭଣ୍ତାର । ଯେମିତି କେବଳ ତା’ରି ପାଇଁ ଲୋକଲୋଚନର ଅନ୍ତରାଳରେ ବିଧାତା ସଞ୍ଚିତ କରି ରଖିଚି ଅତୁଳ ଏ ଐଶ୍ଵର୍ଯ୍ୟ କେବେ କେଉଁ ଅନାଦି କାଳରୁ । ଧାତା ନିର୍ଦ୍ଦିଷ୍ଟ ଏହି ଐଶ୍ଵର୍ଯ୍ୟରେ ଐଶ୍ଵର୍ଯ୍ୟଶାଳୀ ହେବାକୁ ଯାଉଥିବାବେଳେ ତା’ ପକ୍ଷରେ ଶୋଭା ପାଏନା ପ୍ରେୟସୀ ଆଉ ପ୍ରିୟାର ଶସ୍ତା ଭାବପ୍ରବଣତା ଅର୍ଥହୀନ ଦୁର୍ବଳତା । ନିଜ ଉପରେ ବିରକ୍ତ ହୋଇ ଉଠୁଚି ରଞ୍ଜନ ।

 

ନୃତ୍ୟଗୀତ ପରିବେଷଣ ପାଇଁ ନିର୍ଦ୍ଦିଷ୍ଟ ରଙ୍ଗମଞ୍ଚ ଆଡ଼ୁ ଭାସି ଆସିଲା ଆରମ୍ଭ—ଅର୍କେଷ୍ଟ୍ରାର ମଧୁର ମୂର୍ଚ୍ଛନା । ନାଚ ଆରମ୍ଭ ହେବ । ରାୟ ସାହେବଙ୍କ ଅନୁରୋଧରେ ସମସ୍ତେ ଉଠିଲେ ମଞ୍ଚ ଉଦ୍ଦେଶ୍ୟରେ ।

 

ସୁହାସିନୀ,ରଞ୍ଜନର ହାତ ଧରିଲା,

 

“ଚାଲ, ନାଚ ଆରମ୍ଭ ହୋଇଯିବ ଯେ !’’

 

କଣ୍ଠରେ ତା’ର ଅଫୁରନ୍ତ ଆନନ୍ଦ ।

 

“ମୋତେ କ୍ଷମା କର ସୁହାସ । ମୁଁ ଅସୁସ୍ଥ ବୋଧ କରୁଚି । ମୋତେ ଟିକିଏ ଏକୁଟିଆ ରହିବାକୁ ଦିଅ ।’’

 

ରଞ୍ଜନର କଣ୍ଠସ୍ଵରରେ ଅସୁସ୍ଥତାର ଛଳନା । ସୁହାସ କିନ୍ତୁ ବ୍ୟସ୍ତ ହୋଇ ଉଠିଲା ରଞ୍ଜନର କଥାରେ ।

 

“କ’ଣ ଖରାପ ଲାଗୁଚି ?’’ ତାହେଲେ ତୁମେ ଚାଲ ମୋ ଶୋଇଲା ଘରେ ଟିକିଏ ବିଶ୍ରାମ କରିନେବ ।’’

 

ରଞ୍ଜନର ହାତଧରି ଉଠାଉ ଉଠାଉ କହିଲା ସୁହାସିନୀ । “ମୁଁ ବଡ଼ ଦୁଃଖିତ, ଆଜିପରା ଦିନରେ ତୁମେ ଅସୁସ୍ଥ ହୋଇ ଉଠିଲ ।’’

 

ରଞ୍ଜନକୁ ଉପର ମହଲାର ନିଜ ଶୋଇବା ଘରେ ବିଶ୍ରାମ କରିବାକୁ ଛାଡ଼ିଦେଇ ସୁହାସିନୀ ଫେରିଆସିଲା ରଙ୍ଗମଞ୍ଚ ନିକଟକୁ । ସେତେବେଳକୁ ରଙ୍ଗମଞ୍ଚର ଡ୍ରପ୍ ଉଠି ସାରିଥିଲା ।

 

ଆଗନ୍ତୁକଙ୍କ ପାଇଁ ସଜା ହୋଇଥିବା ସମସ୍ତ ଆସନଗୁଡ଼ିକ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ଭରପୁର ହୋଇ ଉଠିଚି । ସେମାନଙ୍କ ପଛରେ ରୁଣ୍ଡ ହୋଇଚନ୍ତି ଘରର ଯେତେ ଚାକର ବାକର ନାଚ ଦେଖିବା ପାଇଁ, ସମସ୍ତେ ସବୁକାମ ତୁଟାଇ ଦେଇଛନ୍ତି ଆଗରୁ ।

 

ଭିତର ଝଞ୍ଜା ନିଶୂନ ହୋଇ ପଡ଼ିଚି । କେବଳ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ ନିକଟରେ ଜଗିବସି ଘୁମାଉଚି ଦିନସାରାର କର୍ମକ୍ଳାନ୍ତ ଗୋଟାଏ ଚାକର । ମଞ୍ଚଆଡ଼ୁ ଭାସି ଆସୁଚି ଗୀତ ବାଦ୍ୟର ମଧୁର ଗୁଞ୍ଜନ । ନାଚ ଆରମ୍ଭ ହୋଇଗଲାଣି ଅନେକବେଳୁ ।

 

ସୁହାସିନୀର ପଲଙ୍କ ଉପରୁ ରଞ୍ଜନ ଓହ୍ଲାଇ ଆସିଲା ତଳକୁ । ବାହାର ବାରଣ୍ତାକୁ ଆସି ସତର୍କ ଦୃଷ୍ଟିରେ ଚାହିଁ ଦେଖିଲା ଚାରିଆଡ଼କୁ । କେହି ନାହାନ୍ତି । ଚାରିଆଡ଼ ଶୂନଶାନ । ସମସ୍ତେ ଚାଲି ଯାଇଚନ୍ତି ନାଚ ଦେଖିବାକୁ । ବାରଣ୍ତାର ବିଜୁଳି ଆଲୁଅ ଲିଭାଇ ଦେଲା ସେ । ସୁହାସିନୀର ଶୋଇବା ଘରକୁ ଲାଗି ଉପର ମହଲାର ବୈଠକ ଖାନା । ଭିତରେ ଅନ୍ଧାର, ଦୁଆର ଆଉଜା ହୋଇଚି । ତା’ର ପାଖକୁ ରାୟ ସାହେବଙ୍କ ଶୋଇବାଘର । ତାଲା ପଡ଼ିଚି ଦୁଆରେ । ପକେଟରୁ ଗୋଛାଏ ଚାବି ବାହାର କରି ପରୀକ୍ଷା କଲା ପରେ ରଞ୍ଜନ ଗୋଟିଏ ଚାବି ନେଇ ଲଗାଇଲା ତାଲାଟାରେ । ମୁହୂର୍ତ୍ତକର ଚେଷ୍ଟାରେ ତାଲାଟା ଖୋଲିଗଲା । ତାଲା ଖୋଲିସାରି ଆଗେଇଗଲା ସେ ବାରଣ୍ତାର ଶେଷ ମୁଣ୍ତକୁ । ପାଚେରୀ ଆରପଟେ ରାୟ ସାହେବଙ୍କର ପ୍ରମୋଦ ଉଦ୍ୟାନ । ନାନା ଜାତି ସୁକୁମାର ଗଛଲତାରେ ଘଞ୍ଚ ହୋଇ ଉଠିଚି ଉଦ୍ୟାନଟି । ପକେଟରୁ ଇଷତ୍ ବଡ଼ ଗୋଟାଏ ବାଲି ଗରଡ଼ା ବାହାର କରି ରଞ୍ଜନ ଫିଙ୍ଗିଲା ଉଦ୍ୟବର ଗୋଟିଏ ଘଞ୍ଚ ସ୍ଥାନକୁ ଲକ୍ଷ୍ୟ ନ କରି । କିଛିକ୍ଷଣ ଅପେକ୍ଷା କରିବା ପରେ ଉଦ୍ୟାନଆଡ଼ୁ ଶକ୍ତ ଗୋଟାଏ ଦଉଡ଼ିର ଏକ ପ୍ରାନ୍ତ ଆସି ପଡ଼ିଲା ତା’ର ପ୍ରସାରିତ ହାତରେ । ଦଉଡ଼ିର ସେଇ ପ୍ରାନ୍ତଟିକୁ କସି କାନ୍ଧ ଦେଲା ସେ ଉପର ମହଲାର ଗୋଟାଏ ଝରକାର ରେଲଂ ଦେହରେ । ମୁହୂର୍ତ୍ତକ ପରେ ପ୍ରସାରିତ ସେଇ ରସିଟାକୁ ଅବଲମ୍ଵନକରି ଉଠି ଆସିଲା ଗୋଟିଏ ଛାୟା ମୂର୍ତ୍ତି ପାଚେରୀ ଉପରକୁ— ସେଇ ଅସ୍ପଷ୍ଟ ଅନ୍ଧାକାର ଭିତରେ । ପାଚେରୀ ଅତିକ୍ରମି ମୂର୍ତ୍ତିଟି ବାରଣ୍ତା ଉପରକୁ ଉଠି ଆସିବା ସଙ୍ଗେ ସଙ୍ଗେ ଆଉ ଗୋଟିଏ ଛାୟା ମୂର୍ତ୍ତି ଦେଖା ଦେଲା ବାରଣ୍ତା ଉପରେ । ସେ ମଧ୍ୟ ଉଠି ଆସିଲା ବାରଣ୍ତା ଉପରକୁ-। ରଞ୍ଜନ ଦଉଡ଼ିଟାକୁ ଖୋଲି ଫିଙ୍ଗି ଦେଲା ଉଦ୍ୟାନ ଭିତରକୁ । ତା’ପରେ ନିଃଶବ୍ଦରେ ଖୋଲିଦେଲା ରାୟସାହେବଙ୍କ ଶୟନ କକ୍ଷର ଦ୍ଵାରା । ଛାୟାମୂର୍ତ୍ତି ଦୁଇଟି କୋଠରି ଭିତରେ ପ୍ରବେଶ କଲାମାତ୍ରେ ପୁଣି ନିଃଶବ୍ଦରେ ଦୁଆର ବନ୍ଦକରି ପୂର୍ବପରି ତାଲା ଲଗାଇ ଦେଲା ରଞ୍ଜନ-। ଏତିକି କାମ ଶେଷ କରିବାକୁ ପନ୍ଦର ମିନିଟରୁ ବେଶି ସମୟ ଲାଗି ନ ଥିଲା ତାକୁ-। ଫେରିଯାଇ ପୂର୍ବପରି ଶୋଇପଡ଼ିଲା ସେ ସୁହାସିନୀର ଦାମି ପଲଙ୍କଟାର ସୁପାତି ଶେଯରେ । ଅସୁସ୍ଥ ସେ-

 

କିଛିକ୍ଷଣ ପରେ ଦୁଇ ଶୟନ କକ୍ଷ ମଝିରେ ଥିବା ବୈଠକଖାନାର ଦ୍ଵାର ଖୋଲିଗଲା । ଘରଟାର ଜମାଟ ଅନ୍ଧକାର ଭିତରୁ ଗୋଟିଏ ଶୀର୍ଣ୍ଣକାୟ ଛାୟା ମୂର୍ତ୍ତି ବାହାରି କୋଠରିଟିର ଦୁଆର ପୂର୍ବ ପରି ନିଃଶବ୍ଦରେ ଆଉଜାଇ ଦେଇ ସିଡ଼ି ଦେଇ ଓହ୍ଲାଇଗଲା ତଳକୁ । ତଳ ମହାଲାରେ ଥିବା ଟେଲିଫୋନରେ ପୋଲିସ ଥାନାର ସଂଯୋଗ ରଖି ଛାୟା ମୂର୍ତ୍ତିଟି ଅନୁଚ୍ଚ ସ୍ଵରରେ କ’ଣ କଥାବାର୍ତ୍ତା କଲା ଫୋନରେ । ତା’ ପରେ ସେ ଘର ଛାଡ଼ି ବାହାରିଗଲା ପଦାକୁ ।

 

ପ୍ରାୟ ପନ୍ଦର ମିନିଟି ପରେ ଗେଟ୍ ପାଖରେ ପୋଲିସ ଭ୍ୟାନ ଅଟକିବାର ଶବ୍ଦ ଶୁଣାଗଲା । ସୁହାସିନୀ ଦଉଡ଼ି ଦଉଡ଼ି ଆସି ପଶିଗଲା ତା’ ରୁମରେ । ପଲଙ୍କ ଉପରେ ତନ୍ଦ୍ରାଛନ୍ନ ରଞ୍ଜନକୁ ହଲାଇ ଦେଇ କହିଲା—

 

“ଶୁଣିଲଣି, ଆମ ଘରେ ଦି’ଟା ଗୁଣ୍ତା ଧରା ପଡ଼ିଚନ୍ତି ।’’ ପାଦରେ ଗୋଖର ସାପ ମାଡ଼ିଲା ଭଳି ଚମକି ଉଠିଲା ରଞ୍ଜନ । ସୁହାସିନୀ କହି ଚାଲିଲା—“ବାପାଙ୍କ ଶୋଇବା ଘରେ ସେ ଗୁଣ୍ତା ଦି’ଟା ପଶିଚନ୍ତି । ପୋଲିସ ଆସି ଗଲେଣି ।’’

 

ରଞ୍ଜନର ମୁଣ୍ତ ଘୂରିଗଲା । ଭଦ୍ରଭ୍ରାନ୍ତ ରଞ୍ଜନ ଝଡ଼ ପରି ବାହାରି ଆସିଲା ପଦାକୁ । ସେତେବେଳକୁ ରାୟସାହେବଙ୍କ କକ୍ଷ ସାମ୍ନାରେ ଭିଡ଼ ଆରମ୍ଭ ହୋଇଗଲାଣି । ଭିଡ଼ ଠେଲି ତଳକୁ ଓହ୍ଲାଇଗଲା ସେ । ଦ୍ରୁତପଦରେ ଗେଟ୍ ପାର ହୋଇ ରାସ୍ତା ଉପରେ ଆସି ଉଠିଲାବେଳକୁ ଭାଗ୍ୟକୁ ଗୋଟାଏ ଖାଲି ଟାକ୍ସି ମିଳିଗଲା ତାକୁ । ଟାକ୍ସିଟାକୁ ଅଟକାଇ ଉଠି ବସିଲା ରଞ୍ଜନ । ଡ୍ରାଇଭରଟାକୁ ଆଦେଶ ଦେଲା “ଓସେନଭିଉ ହୋଟେଲ । ଜଲଦି ଚଳା ।’’

 

କଳାରଙ୍ଗର ଟାକ୍‍ସିଟା ଛୁଟି ଚାଲିଥିଲା ସମୁଦ୍ରକୂଳ ରାସ୍ତା ଧରି । ରଞ୍ଜନର ମନ ଭିତର ଓଲଟପାଲଟ ହୋଇ ଯାଉଥିଲା ଗୋଟାଏ ଉତ୍‍ଶୃଙ୍ଖଳ ଝଡ଼ର ଅତ୍ୟାଚାରରେ ।

 

ଓସେନ ଭିଉ ହୋଟେଲର ଗାଡ଼ିବାରଣ୍ତାରେ ବ୍ରେକ କସି ଛିଡ଼ା ହୋଇଗଲା ଟାକ୍ସିଟା । ଡ୍ରାଇଭରଟାକୁ ଟାକ୍ସି ନେଇ ଅପେକ୍ଷା କରିବାକୁ କହି ରଞ୍ଜନ ଦ୍ରୁତ ପଦକ୍ଷେପରେ ସିଡ଼ିଦେଇ ଉଠିଗଲା ଉପରକୁ । ନିଜର ସୁଟକେଶଟା ସଜାଡ଼ି ନେବାକୁ ତାର ଦୁଇମିନିଟରୁ ବେଶି ସମୟ ଲାଗିଲା ନାହିଁ । ବିଛଣାଟା ପଡ଼ି ରହିଲା । ସେଇଟା ହୋଲ୍ଡ଼ଅଲ ଭିତରେ ଗୁଡ଼େଇ ଗୁଡ଼େଇ ନେବାକୁ ବେଳନାହିଁ ତାକୁ । ପୋଲିସ୍ ହୁଏତ ଏତେବେଳ ସୁଦ୍ଧା ପିଛା ନେଉଚି ତା’ର । ନିମିଷକେ ସିଡ଼ିଟା ଅତିକ୍ରମି ରଞ୍ଜନ ଓହ୍ଲେଇ ଆସିଲା ତଳକୁ । ଗାଡ଼ିବାରଣ୍ତାରେ ଅପେକ୍ଷାମାଣ ଟାକ୍ସିଟା ଉପରେଉଠି ବସିବା ମୁହୂର୍ତ୍ତରେ ହୋଟେଲ ବୟଟି, ଦଉଡ଼ି ଆସି ଲମ୍ଵା ସଲାମ ଠୁଙ୍କି ହାତକୁ ତାର ବଢ଼ାଇଦେଲା ନାଲି ରଙ୍ଗର ଇଷତ୍ ବଡ଼ ଗୋଟାଏ ଲଫାପା । ପରକ୍ଷଣରେ ବାରଣ୍ତା ଖାଲି କରି ବାହାରିଗଲା ଟାକ୍ସିଟା । ଡ୍ରାଇଭର ପଚାରିଲା ।

 

“କୁଆଡ଼େ ଯିବି ହଜୁର ।’’

 

ଅନ୍ୟମନସ୍କ ରଞ୍ଜନ ଚମକି ଉଠିଲା ଡ୍ରାଇଭର କଥାରେ ।

 

“ଯେତେଶିଘ୍ର ସମ୍ଭବ କଟକ ପହଞ୍ଚିବା ଦରକାର ମୋର । ଡବଲ ଭଡ଼ା ମିଳିବ । ଜଲଦି ଚଲାଅ ।’’

 

କଳାରଙ୍ଗର ଟାକ୍ସିଟା ଛୁଟି ଚାଲିଲା ଜଗନ୍ନାଥ ସଡ଼କ ଧରି । ଟାକ୍ସିଟାର ଧୂଳି ବଉଦ ପଛରେ, ଇଚ୍ଛାକୃତ ବ୍ୟବଧାନ ରଖି ଅନୁସରଣ କରୁଥିଲା ଆଉ ଗୋଟାଏ ଟାକ୍ସି ।

 

ଟାକ୍ସି ଛୁଟି ଚାଲିଥିଲା ।

 

ଉଦ୍‍ଭ୍ରାନ୍ତ ରଞ୍ଜନର ଚିନ୍ତାସ୍ରୋତ ଖୋଜି ବୁଲୁଥିଲା ଦ୍ରୁତ ସାବଧାନ ।

 

କଟକ ନିକଟ ହୋଇ ଆସୁଥିଲା ।

 

ଗୋଟାଏ ସିଗାରେଟ ଧରାଇବା ପାଇଁ ପକେଟରେ ହାତ ପୁରାଇବାକୁ ଗଲାବେଳେ ହାତରୁ ତା’ର ଖସି ପଡ଼ିଲା ନାଲି ରଙ୍ଗର ସେଇ ମୋଟା ଲଫାଫାଟା । ଅକାରଣରେ ଚମକି ଉଠିଲା ସେ । ଏତେବେଳଯାଏ ଭୁଲି ଯାଇଥିଲା ସେ ଏଇ ଲଫାପାଟାର କଥା ।

 

ପାଟିରେ ଗୋଟାଏ ସିଗାରେଟ ଧରାଇ ଚିନ୍ତିତ ମନରେ ଶଙ୍କିତ ହାତରେ ଖୋଲିଲା ସେ ଲଫାପାଟାକୁ । ମସ୍ତ ଗୋଟାଏ ଚିଠି । ସଂବୋଧନକୁ ଚାହିଁ ପୁଣିଥରେ ଚମକି ଉଠିଲା ରଞ୍ଜନ-। ସେ ଚିନ୍ତା କରି ପାରୁ ନ ଥିଲା ତାକୁ ଏଭଳି ସମ୍ଵୋଧନ କରିବାଭଳି ଦୁଃ-ସାହସ କାହାର ହୋଇପାରେ । ତାକୁ ତା’ର ନିଜ ରୂପରେ ଆହ୍ଵାନ କଲାଭଳି ଧୃଷ୍ଟତା କିଏ କରିପାରେ-? ...ପୃଷ୍ଠା ଓଲଟାଇ ପତ୍ରର ଶେଷ ଖୋଜିଲା ରଞ୍ଜନ । ସମାପ୍ତ ପତ୍ରଟାର ତଳେ ଲେଖାଥିଲା ‘ପ୍ରତିଶୋଧ ଲିପ୍‍ସୁ ବିଜୟା । ରଞ୍ଜନର ବିସ୍ମୟ ସୀମା ଲଘଂନ କଲା । ବିଜୟା ଭଲି ଗୋଟାଏ ଅର୍ବାଚିନା ବାଳିକାର ଦୁଃସାହସ ଅଭିଭୂତ କରି ପକାଇଲା ତାକୁ ।

 

କେତେକ କୌତୂହଳ ଏବଂ ବେଶି ପରିମାଣରେ ଭୟ ନେଇ ପଢ଼ିବସିଲା ସେ ଚିଠିଟା-

 

ଦସ୍ୟୁ ରଞ୍ଜନ, ।

 

ଆଶାକରେ ଚିଠିଟାକୁ ମୋର ଗୋଟାଏ ତୁଚ୍ଛ ନାରୀର ଅର୍ଥହୀନ ପ୍ରଳାପ ମନେକରି, ଅବହେଳାରେ ଚିରି ପବନରେ ଉଡ଼ାଇ ଦେବାଭଳି ସମୟ ବା ଅବସ୍ଥା ବର୍ତ୍ତମାନ ତୋର ନାହିଁ । ତୋଭଳି ଗୋଟାଏ ହୀନ ପାପଚାରୀ ସହିତ ପତ୍ରାଳାପର ଇଚ୍ଛା ବା ଆବଶ୍ୟକତା କେଉଁଟି ନ ଥିଲେ ମଧ୍ୟ ତୋ ଜୀବନର ଏ ସଙ୍କଟମୟ ମୁହୂର୍ତ୍ତରେ, ମୃତ୍ୟପଥର ଯାତ୍ରୀ ରୂପେ ତୋତେ ଥରେ ଅଭିନନ୍ଦନ ଜଣାଇବାର ଲୋଭ ସମ୍ଵରଣ କରି ପାରିଲି ନାହିଁ । ସେଇଥିପାଇଁ ଏ ଚିଠିର ଅବତାରଣା ମୋର ଚିଠି ପଢ଼ି ଅପମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ମଧ୍ୟ ଯଦି କ୍ଷଣକ ଲାଗି ଅନୁତାପ କରିପାରୁ, ତା’ହେଲେ ପରମ ପିତା ହୁଏତ ତୋତେ କ୍ଷମା କରିବେ ବୋଲି ମୁଁ ମନେକରେ ।

 

ଏକ ସମ୍ଭ୍ରାନ୍ତ, ଶିକ୍ଷିତ ଜମିଦାର ତନୟ ହୋଇ ତୁ ତୋର ଜୀବନ ପାଇଁ ବାଛିନେଲ ଅପରାଧୀର ପନ୍ଥା । ଯେଉଁ ପନ୍ଥା ଧରି କେହି କେବେ ପାଇନି ଶାନ୍ତି ଆଉ ଏଡ଼ାଇ ପାରିନାହିଁ କୃତ ଅପରାଧର ଶାସ୍ତି । ତୋର ଶିକ୍ଷା, ଦୀକ୍ଷା, ବଂଶ ପରିଚୟ ଓ ଭଦ୍ରତାର ମୁଖୋସ ଚିରି ଦିନେ ଯେ କେହି ତୋର ସ୍ଵରୂପ ଆବିଷ୍କାର କରି ବସିବ ଓ ତୋର ରାଶି ରାଶି ଅପରାଧର ଦଣ୍ତଦାତା ହୋଇ ବସିବ ଏ କଥା କ୍ଷଣକଲାଗି ମଧ୍ୟ ମନରେ ତୋର ସ୍ଥାନ ପାଇ ନଥିଲା । କିନ୍ତୁ ଭଗବାନଙ୍କ ରାଜ୍ୟରେ ଅପରାଧୀ—ଅତ୍ୟାଚାରିର ଆଧିପତ୍ୟ ବେଶି ଦିନ ଟେକି ପାରିନି କେବେ—କୌଣସି ଯୁଗରେ ।

 

ଯେଉଁ ନାରୀ ଜାତି, ମାତୃଜାତିକୁ ନେଇ କଅଁଳ ରବର କୁଣ୍ଢାଇ ଭଳି ଖେଳି ଆସିଲୁ ଏତେଦିନ, କ୍ଷଣିକ ବିଳାସିତାର ସାମଗ୍ରୀ କରି ଧୂଳିରେ ଲୁଟାଇ ଦେବାକୁ ଯାଉଥିଲୁ ? ଯେଉଁ ଜାତିର ସମ୍ମାନ । ସେଇ ଅବଳା ନାରୀ ଜାତି, ମାତୃଜାତି ପକ୍ଷରୁ ମୁଁ ମୋର ପିତୃହତ୍ୟା ବଂଶ ହତ୍ୟାର ପ୍ରତିଶୋଧ ନେବା ସଙ୍ଗେ ସଙ୍ଗେ ତୋର ବିଚାର ଆଉ ଦଣ୍ତ ବିଧାନ କରିବି । ଏଥିପାଇଁ ମୋ ବଂଶର ଭସ୍ମ ସ୍ତୂପ ସାକ୍ଷୀ ରଖି ମୁଁ ଶପଥ ନେଇଚି ।

 

ନିରାଧମ ରଞ୍ଜନ,

 

ମୋର ବାବା, ବୋଉ ଆଉ ଅପା, ଏମାନଙ୍କୁ ତୁ ତାଙ୍କର ସରଳ ବିଶ୍ଵାସ ଆଉ ଅକପଟ ସ୍ନେହ—ଶରଧାର ଯେଉଁ ପ୍ରତିଦାନ ଦେଇଚୁ, ସେ ପ୍ରତିଦାନ ପାଇଁ ମୁଁ ତୋତେ ଏପରି କୃତଜ୍ଞତା ଜଣାଇ ଅଭିନନ୍ଦିତ କରିବି ଯାହାତୁ ସ୍ଵପ୍ନରେ ସୁଦ୍ଧା ଚିନ୍ତା କରିନଥିବୁ କୌଣସି ଦିନ ।

 

ହୃଦୟହୀନ ପଶୁ ! ଗୋଟିଏ ନିରୀହ, ସରଳ ପରିବାରକୁ ଅଗ୍ନି ସମାଧି ଦେଇ କି ଯଶ ମିଳିଲା ତୋତେ ? ପ୍ରେୟସୀ ମିନତୀର ପ୍ରାଣଢ଼ଳା ପ୍ରେମର ଏଇ ପ୍ରତିଦାନ ଦେଇ କେଉଁ କୀର୍ତ୍ତି ରଖିଲୁ ତୁ ? ପ୍ରେମ ନାମରେ ଗୋଟିକ ପରେ ଗୋଟିଏ ନାରୀ ସହିତ ପ୍ରତାରଣା କରି ଯିବା ଆଗରୁ ପକ୍ଷାଘାତରେ ମୃତ୍ୟୁ ନହେଲା କାହିଁକି ତୋର ?
 

ଭାବିଥିଲୁ ପୂର୍ବଘାଟ ପର୍ବତ ଗୁହାରୁ ସାତ ରାଜ୍ୟର ଧନ ଭଣ୍ତାର ଲୁଟିଆଣି, ଐଶ୍ଵର୍ଯ୍ୟର ଉତୁଙ୍ଗ ଚୂଡ଼ାରେ ବସି ସାକି ଆଉ ସୁରାର ବ୍ୟଭିଚାର ଭିତରେ ଜୀବନଟାକୁ ଉପଭୋଗ କରିନେବୁ-। କେଉଁ ଏକ ଅଖ୍ୟାତନାମା ରାଜାର ସଂଚିତ ସର୍ବସ୍ଵ ଅପହରଣ କରି ତା’ରି ବ୍ୟୟରେ ଦେଶ ଆଉ ସମାଜରେ ପ୍ରତିଷ୍ଠା କରିବୁ ଅପରାଧ, ଅନାଚାର, ଆଉ ବ୍ୟଭିଚାରର କୀର୍ତ୍ତି ! ଅସମ୍ଭବ-! ବିଜୟା ବଞ୍ଚି ଥାଉ ଥାଉଁ ତାହା କରାଇ ଦେବନାହିଁ ।

 

ଭଗବାନଙ୍କୁ ଶତ ସହସ୍ର ଧନ୍ୟବାଦ ଯେ, ପୂର୍ବଘାଟ ପର୍ବତ ମାଳାର ଗିରୀ ଗୁହାରେ ସଂଚିତ ଥିବା ଧନ ଭଣ୍ତାରର ସେ ସାଙ୍କେତିକ ଲିପିର ପୋଥି ତୋ ଭଳି ନରପିଶାଚ କବଳରୁ ମୁଁ ପୁନୋରୁଦ୍ଧାର କରି ପାରିଚି…… ।

 

ପାଦରେ ନାଗ ସାପ ଝୁଣ୍ଟିଲା ଭଳି ଚମକି ଉଠିଲା ରଞ୍ଜନ । ବିଜୟା ! ଯେଉଁ ବିଜୟାକୁ ସେଦିନ ସେ ଅବହେଳା କରି ଫୁତ୍‍କାରରେ ଉଡ଼ାଇ ଦେଉଥିଲା ସେଇ ଅର୍ବାଚିନ ବାଳିକାର ଏତେବଡ଼ ସାହସ । ସାଙ୍କେତିକ ଲିପିର ପୋଥିଟା ଚୋରାଇ ନେଇଚି ସେ…… । ପୁଣି ପିତୃହତ୍ୟା, ବଂଶହତ୍ୟାର ପ୍ରତିଶୋଧ ନେଲା ଭଳି, ତାକୁ ଶାସ୍ତି ଦେଲା ଭଳି ଦୁଃସାହସ ରଖେ ସେ । ଏତେବଡ଼ ସଙ୍କଟ ଭିତରେ ମଧ୍ୟ ରଞ୍ଜନ ମୁହଁରେ ଖେଳିଗଲା ଅବହେଳା ଆଉ ତାଚ୍ଛଲ୍ୟର ଝଲକାଏ ହସ ।

 

ଅସମାପ୍ତ ଚିଠିଟାକୁ ବିରକ୍ତରେ ଚିରି ଫିଙ୍ଗି ଦେଲା ବାହାରକୁ । ତା’ପରେ ଚମଡ଼ାର ସୁଟେକେଶଟା ଟାଣି ଆଣିଲା ରଞ୍ଜନ ସିଟ୍ ଉପରକୁ । ପାଗଳ ଭଳି ତା’ଭିତରୁ ସମସ୍ତ ଲୁଗାପଟା, ଜିନିଷପତ୍ର କାଢ଼ି ଟାକ୍ସିଟା ଭିତରେ ଗଦେଇବାକୁ ଲାଗିଲା ରଞ୍ଜନ । ସୁଟକେଶଟା ଯାକର ଜିନିଷପତ୍ର ଗୋଟିକ ପରେ ଗୋଟିଏ ସମସ୍ତ କାଢ଼ି ଗଦେଇ ଦେଇ ସାରିଲା ପରେ ବି ଶୂନ୍ୟ ସୁଟକେଶ ଭିତରଟା ଅନ୍ଧଭଳି ଅଣ୍ତାଳି ଆଣିଲା ଥରେ ସେ । ଜୀର୍ଣ୍ଣ ତାଳପତ୍ର ପୋଥିଟା ପ୍ରକୃତରେ ନାହିଁ । ଶୂନ୍ୟ ସୁଟକେଶଟା ଆଡ଼କୁ ଚାହିଁ ଉଦ୍‍ଭ୍ରାନ୍ତ ରଞ୍ଜନ ବସି ରହିଲା ବିମୂଢ଼ ହୋଇ ।

କଟକ ଆଉ ଅଳ୍ପବାଟ ରହିଲା । ପୁରୀ ଫେରାଯାଇ ପୋଥିଟାକୁ ଉଦ୍ଧାର କରିବା ରାସ୍ତାବନ୍ଦ । ସେ ପଳାତକ ।

କଟକରେ ପହଞ୍ଚି ବିଜୟା ସିଧା ଉଠିଲା ଯାଇ କାଠଯୋଡ଼ି କୂଳରେ ଥିବା ଉମାଶଙ୍କରଙ୍କ ବାସଭବନରେ । ଫାଟକ ଖୋଲାଥିଲା । ଅତି ଅପ୍ରତ୍ୟାଶିତ ଭାବରେ ମୁନିବଙ୍କ କାରଟା ଆସି ଛିଡ଼ାହୋଇ ପଡ଼ିବାର ଦେଖି ଜଗୁଆଳିଟି ସଂନ୍ତ୍ରସ୍ତ ହୋଇ ପଡ଼ିଲା । ଘରର ଦ୍ଵାର ଖୋଲି ବିଜୟାର ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରିବାରେ ଲାଗିପଡ଼ିଲା ସେ । ବିଜୟା ମୁହଁ ହାତ ଧୋଇ ଲୁଗା ବଦଳି ପଲଙ୍କର କୋମଳ ଶେଯ ଉପରେ ମେଲିଦେଲା ତା’ର କ୍ଳାନ୍ତ ଅଙ୍ଗଲତା-। ବେହେରା ଆସି ଜଳଖିଆ ଓ ଚା’ ଦେଇଗଲା । ଖାଇବା ପାଇଁ ଇଚ୍ଛା ନ ଥିଲା ବିଜୟାର-। ଜଳଖିଆ ଫେରାଇ ନେବାକୁ କହି ଚା’ କପରେ ଅଧର ସଂଯୋଗ କଲା ସେ । ଚା’ ପିଇସାରି ଆରାମର ନିଶ୍ଵାସ ଛାଡ଼ି ସେଇମିତି ପଡ଼ି ରହିଲା ସେ ବିଛଣା ଉପରେ । କିଛି ସମୟପରେ ଜଗୁଆଳିକୁ ଡାକି ତା ହାତକୁ ଖଣ୍ତେ ପାଞ୍ଚଟଙ୍କାର ନୋଟ ବଢ଼ାଇ ଦେଇ ପଠାଇ ଦେଲା ସିଟିବୁକିଂ ଅଫିସକୁ ପୁରୀକୁ ଖଣ୍ତେ ଥାଡ଼କ୍ଳାସ ଟିକେଟ କିଣି ଆଣିବାକୁ । ଲୋକଟି ଚାଲି ଯିବାର ଅଳ୍ପ ସମୟ ପରେ କ୍ଳାନ୍ତ ଆଖିପତା ଯୋଡ଼ିକ ତା’ର ବୁଜି ହୋଇ ଆସିଲା ।

ଲୋକଟି ଟିକେଟ ନେଇ ଫେରି ଆସିବା ସଙ୍ଗେ ସଙ୍ଗେ ବାହାରକୁ ବାହାରିବା ପାଇଁ ନିଜକୁ ପ୍ରସ୍ତୁତ କରିନେଲା ବିଜୟା । ଅଳ୍ପସମୟ ପରେ ଅଷ୍ଟିନ କାରଟା ଫାଟକ ଭିତରୁ ବାହାରି ଛୁଟି ଚାଲିଲା ପ୍ରଧାନ ରାସ୍ତା ଧରି ।

ଜୋବ୍ରା ଆଡ଼କୁ ଯାଇଥିବା ରାସ୍ତା କଡ଼ରେ ବଗିଚା ଘେରା ଗୋଟିଏ ସୁନ୍ଦର ଏକ ମହଲା କୋଠା । ଅଳ୍ପଦିନର ତିଆରି । ଚାରିପାଖରେ ଛୋଟ ବୁଦି ବୁଦିକିଆ ଜଙ୍ଗଲ । ଆମ୍ଵ ଆଉ ଦେବଦାରୁର ବଡ଼ ବଡ଼ ଗଛ ।

ପାଖ ଆଖରେ ସେମିତି ବେଶି ଘରଦ୍ଵାର ନାହିଁ । ସ୍ଥାନଟି ବେଶ୍ ନିଛାଟିଆ । ଘରର ତତ୍ତ୍ୱାବଧାରକ ବେହେରାଟା ବାରଣ୍ତାରେ ବସି ଗୋଟିଏ ଲଣ୍ଠନ ଜାଳି ଦେଇ ଖୁବ୍ ନିବିଷ୍ଟ ମନରେ ଉଚ୍ଚ କଣ୍ଠରେ ଗାଇ ଚାଲିଚି ସାରଳା ଦାସ ମହାଭାରତର ବିରାଟପର୍ବ । କିଚକ ବଧର ରୋମାଞ୍ଚକାରୀ ବର୍ଣ୍ଣନା ଗାଉ ଗାଉ ଆତ୍ମହରା, ତନ୍ନୟ ହୋଇ ଉଠୁଚି ସେ । ଗୋଟାଏ ଗୋଟାଏ ପଦକୁ ତାଳିମାରି ଚଢ଼ାଗଳାରେ ବାରମ୍ଵାର ଆବୃତ୍ତି କରୁଚି ସେ ବେଳେ ବେଳେ ।

ବିଜୟାର କାରଟା ଆସି କୋଠାସାମ୍ନା ରାସ୍ତା ଉପରେ ବ୍ରେକ୍ କସି ଛିଡ଼ାହୋଇ ପଡ଼ିବାପରେ ମଧ୍ୟ ତା’ର ସେ ଆଡ଼କୁ ଖିଆଲ ନାହିଁ । ତନ୍ନୟ ଚିତ୍ତରେ ଗାଇ ଚାଲିଚି ସେ କିଚକ ବଧ ।

“ଏ ବେହେରା……

ଡାକିଲା ବିଜୟା । ତଥାପି ଉତ୍ତର ନାହି ।

“ଏ………”

ଖୁବ୍ ଚଢ଼ାଗଳାରେ ଡାକିଲା ଆଉଥରେ ବିଜୟା ! ରିତିମତ ବିରକ୍ତ ହୋଇ ଉଠିଥିଲା ସେ । ଏଥର ବେହେରାଟାର ତନ୍ମୟତା ଭାଙ୍ଗିଗଲା । ପୁରାଣ ପଢ଼ାରେ, ବିଶେଷତଃ କିଚକ ସହିତ ଭୀମର ଘୋର ଯୁଦ୍ଧବେଳେ ବିଘ୍ନ ଘଟିବାରୁ ଅତି ମାତ୍ରାରେ ବିରକ୍ତ ହୋଇ ଉଠିଲା ବେହେରାଟା । ସେ ବି ବିରକ୍ତ ମିଶା ଚଢ଼ାଗଳାରେ ଉତ୍ତର ଦେଲା “କିଏ….. ?’’

 

‘କିଏ’ ବୋଲି ପଚାରିବା ସଙ୍ଗେ ସଙ୍ଗେ ବାଁ ହାତରେ ଲଣ୍ଠନତା ଆଉ ଡାହାଣ ହାତରେ କାନ୍ଥରେ ଡେରା ହୋଇଥିବା ଚିତ୍ତେ ଉଚ୍ଚର ବାଉଁଶ ଠେଙ୍ଗା । ଉଠାଇ ଭୀମଭଳି ସଦୟ ଦ୍ରୁତ ପଦକ୍ଷେପରେ ଆଗେଇ ଆସିଲା ସେ ରାସ୍ତାଆଡ଼କୁ । ବିଡ଼ି ବିଡ଼ି ହୋଇ ବିରକ୍ତରେ ଗୁଡ଼ାଏ କ’ଣ ଏଣୁ ତେଣୁ ବକି ଯାଉଥିଲା ସେ । ଗୋଟାଏ କାର ପାଖରେ ଛିଡ଼ା ହୋଇଥିବା ଏକ ସମ୍ଭ୍ରାନ୍ତଘରର ନାରୀ ମୂର୍ତ୍ତିକୁ ଦେଖି ତାର ଉଗ୍ରତା ଉଭେଇ ଗଲା । ଲଣ୍ଠନଟା ତଳେ ଥୋଇ, ଠେଙ୍ଗାଟା ନୁଆଁଇ ନଇ ପଡ଼ି ନମସ୍କାର କଲା ସେ ।

 

“ଆଜ୍ଞା ମୋର ଇଆଡ଼ୁକୁ ଖିଆଲ ନାହିଁ । ସିଆଡ଼େ ମୁଁ…… ।

 

ବେହେରାର କୈଫିୟତ ଆଡ଼କୁ କାନ ନ ଦେଇ ବିଜୟା ପଚାରିଲା “ତୁଳସୀପୁର ଜମିଦାରଙ୍କ ନୂଆ କୋଠି ଏଇତ ?’’

 

“ଆଜ୍ଞା ହଁ ।’’

 

“ନେ ଧର ଏ ଟିକେଟ । ସାନବାବୁ ପୁରୀରେ ଦି’ଦିନ ହେଲା ବେମାର । ଘରେ ତାଲା ଦେଇ ଶୀଘ୍ର ଷ୍ଟେସନ ବାହାର । ଗାଡ଼ି ବେଳ ହୋଇ ଗଲାଣି ।’’ ଆଉ ଖଣ୍ତେ କାଗଜରେ ରଞ୍ଜନର ଠିକଣା ଲେଖି ବଢ଼ାଇ ଦେଲା ବିଜୟା ବେହେରା ହାତକୁ । “ଏଇ ସାନବାବୁଙ୍କ ଠିକଣା ।’’

 

“ଆଜ୍ଞା ସାନବାବୁ…… ।’’

 

କ’ଣ କହିବାକୁ ଚାହୁଁଥିଲା ବେହେରାଟା । ତାକୁ କିଛି କହିବାକୁ ଅବସର ନ ଦେଇ ବିଜୟା କହିଲା—

 

“କିଛି ପଚାରିବାକୁ ବେଳ ନାହିଁ । ଶୀଘ୍ର ବାହାରିପଡ଼ । ଗାଡ଼ି ବେଳହୋଇ ଗଲାଣି । ତୋତେ ଷ୍ଟେସନରେ ପହଞ୍ଚାଇ ଦେଇ ମୁଁ ଯିବି ।’’

 

ବେହେରାଟା ଆଉ କିଛି ପଚାରିବାକୁ ସାହସ କଲା ନାହିଁ । ଚିଡ଼ି ଚିଡ଼ି ହୋଇ ବକୁ ବକୁ କ୍ଷୁଣ୍ଣମନରେ ଫେରିଗଲା ସେ ପ୍ରସ୍ତୁତ ହେବାକୁ । ତାକୁ ବଡ଼ ବିରକ୍ତ ଲାଗୁଥିଲା…ଭୀମ ସହିତ କିଚକର ଯୁଦ୍ଧ ଲାଗିଚି । ଘମା ଘୋଟ ଯୁଦ୍ଧ । ଭୀମ ଚଢ଼ି ବସିଚି କିଚକର ଛାତିରେ । ଆଉ ନିମିଷକେ କିଚକ ମରିଥାନ୍ତି । ଧେତ୍… । ପୁଣି ପୁରାଣ ଖଣ୍ତିଆ କରି ରଖିଲେ କାଳେ ସାପ କାମୁଡ଼େ… ।

 

ପୁରାଣ, ଲଣ୍ଠନ, ଖଟିଆ, ଠେଙ୍ଗାବାଡ଼ି ଆଦି ଘରେ ପୁରାଇ ଚାବି ଦେଇ, ନିଜର ଲୁଗାପଟା ଦି’ଖଣ୍ତ ଗଣ୍ଠିରି କରି ସେ ଆସି ଉଠିଲା କାରରେ । କାରଟା ଷ୍ଟାର୍ଟ ଦେଇ ଛୁଟି ଚାଲିଲା ଷ୍ଟେସନ ଆଡ଼କୁ ।

 

ଷ୍ଟେସନର ଅଳ୍ପ ଦୂରରେ ବେହେରାକୁ ଓହ୍ଲାଇ ଦେଲା ବିଜୟା । ହାତକୁ ତା’ର ଦଶଟା ଟଙ୍କା ବଢ଼ାଇ ଦେଲା ।

 

“ନେ ତୋର ବାଟ ଖର୍ଚ୍ଚ ।’’

 

ଏଇଥର ପ୍ରସନ୍ନ ହୋଇ ଉଠିଲା ବେହେରାଟା ।

 

“ଘରର ଚାବିଟା ମୋତେ ଦେଇ ଯା । ଆଜି ରାତିରେ କଟକରେ ସେଇଠି ରହି, କାମ ସାରି ସକାଳୁ ମୁଁ ପୁରୀ ଫେରିଯିବି । ସାନବାବୁଙ୍କ ସହିତ ସେଇ ରକମ କଥା ହେଇଚି ।’’

 

ମୁହୂର୍ତ୍ତକ ଲାଗି ଦ୍ଵିଧା କଲା ଲୋକଟା । ପୁଣି ଭାବିଲା ନା—ଭଦ୍ର ବଡ଼ ଲୋକ ଘର ଝିଅ ଭଳି ଦୁଶୁଚନ୍ତି । ସାନବାବୁଙ୍କର ପ୍ରିୟାପ୍ରିତି ହେଇଥିବେ । ଅବିଶ୍ଵାସ କରିବା ଠିକ୍ ହେବ ନାହିଁ । ଚାବି ଗୋଛାଟା ଅଣ୍ଟାରୁ କାଢ଼ି ଧରେଇ ଦେଲା ବିଜୟା ହାତରେ ।

 

ବିଜୟା ମୁହର ହସ ଚାପି ରଖିବାକୁ ଚେଷ୍ଟା କରୁଥିଲା । ଅନ୍ଧାରରେ କିଛି ବୁଝି ପାରିଲା ନାହିଁ ବେହେରାଟା । ବିଜୟାକୁ ନମସ୍କାର କରୁ କରୁ କହିଲା ସେ—

 

“ମା, କିଚକ ବଧ ଚରିତ୍ରଟା ମୋର ଖଣ୍ତିଆ ରହିଗଲା । ଭୀମ ତ ଚଢ଼ି ବସିଚି କିଚକର ଛାତି ଉପରେ । ହେଲେ କ’ଣ ହେଲା ମାରି ପାରିଲା ନାହିଁ…… ।’’

 

ବିଜୟା ହସିଲା । କହିଲା—

 

“ମାରିବ । ଏତେ ବ୍ୟସ୍ତ କାହିଁକି ? ଆଜି ରାତିରେ ମାରିବ ।’’

 

“ଏ……”

କିଛି ବୁଝି ପାରିଲା ନାହିଁ ବେହେରାଟା । ପଛକୁ ଅନେଇଁ ଅନେଇଁ ଚାଲିଗଲା ସେ ଷ୍ଟେସନ ଆଡ଼କୁ । ବିଜୟା ଆଡ଼କୁ ଚାହିଁ ଠିଆ ହୋଇ ରହିଥିଲା । ମୁହଁରେ ତା’ର କ୍ରୂର ହସ ।

ରାତି ଦୁଇଟାରୁ ବଳି ଗଲାଣି ।

ଅମାବାସ୍ୟାର ନିସ୍ତବ୍ଧ ଅନ୍ଧକାର ରାତ୍ରି । ନିଶା ଗର୍ଜୁଚି । ପହରକିଆ ବିଲୁଆଗୁଡ଼ା ଘଡ଼ିକେ ପହରକେ ଥରେ ଲେଖାଏଁ ଚିତ୍କାର କରି ଭାଙ୍ଗି ଦେବାକୁ ଚେଷ୍ଟା କରୁଚନ୍ତି ରାତ୍ରିର ଏ ଭୟାବହ ଗଭୀର ନିସ୍ତବ୍ଧତା । ବେଳେ ବେଳେ ଶୁଭୁଚି ଷ୍ଟେସନଆଡ଼ୁ ଯନ୍ତ୍ର ଦାନବର ଗଗନଭେଦୀ ଗର୍ଜନ । ଅନ୍ଧକାର ରାତ୍ରିର ଭୟାବହ ନିସ୍ତବ୍ଧତା ଉପରେ ଯତ୍ନଦାନବାର ନିସ୍ଫଳ ଆକ୍ରୋଶ ।

ଜୋବ୍ରା ରାସ୍ତା କଡ଼ରେ ଥିବା ତୁଳସୀପୁର ଜମିଦାରଙ୍କ ନୂଆ କୋଠା ଆଗରେ ଗୋଟାଏ ଧୂଳିଧୁସରିତ ଟାକ୍ସି ବ୍ରେକ କସି ଛିଡ଼ା ହୋଇ ପଡ଼ିଲା । ରଞ୍ଜନ ଗାଡ଼ିରୁ ଓହ୍ଲାଇ ପଡ଼ି ଚିତ୍କାରକଲା—

“ବେହେରା…ଏ ବେହେରା……”

ଉତ୍ତର ନାହିଁ ।

ନିସ୍ତବ୍ଧ ଅନ୍ଧକାର ଭିତରେ ନିଜ ଚିତ୍କାରର ପ୍ରତିଧ୍ଵନି ଫେରି ଆସିଲା ଏକ ବିଭୀଷିକା ଭଳି । ଅକାରଣ ଭୟରେ ରଞ୍ଜନର ଦେହ ଫୁଲି ଉଠିଲା । ରୋମମୂଳ ଟାଙ୍କୁରୀ ଉଠିଲା । ରାତ୍ରିର ସେ ନିସ୍ତବ୍ଧତା ଭଙ୍ଗ କରି ଆଉଥରେ ବେହେରାକୁ ଡାକିବା ପାଇଁ ସାହସ ହେଲା ନାହିଁ ତା’ର ।

 

ଟାକ୍ସିର ଭଡ଼ା ଛିଡ଼େଇ ଦେଇ ସୁଟକେଶଟା ଧରି ଆଗେଇଲା ସେ ଗେଟ ଆଡ଼କୁ । ଟାକ୍ସି ଚାଲିଗଲା । ରଞ୍ଜନ ଗେଟ ପାଖକୁ ଆସି ଚମକି ପଡ଼ିଲା । ପଥର ଛାତି ତା’ର ପାଣି ହୋଇଗଲା । ସୁଟକେଶଟା ଖସି ପଡ଼ିଲା ତା’ର ଶିଥିଳ ହାତମୁଠା ଭିତରୁ ।

 

ଅନ୍ଧକାର ଭିତରେ ସେ ବେଶ୍‍ ଦେଖିପାରୁଥିଲା ଗୋଟିଏ କାଳୀ—କୁତ୍ସିତ ନାରୀ ମୂର୍ତ୍ତି ଖୋଲି ଦେଉଚି ଗେଟର ଦରଜା । ପରାକ୍ରମଶାଳୀ, ନିର୍ମମ ନିଷ୍ଠୁର ରଞ୍ଜନ କିନ୍ତୁ ଥରୁଥିଲା ସେଇ ତୁଚ୍ଛ ମୂର୍ତ୍ତିଟିକୁ ଦେଖି । ଦେହର ଝାଳରେ ଓଦା ହୋଇ ଯାଇଥିଲା ଦାମିକନାର ସୁଟଟା । ସ୍ଥାଣୁ ଭଳି ଛିଡ଼ାହୋଇ ରହିଥିଲା ସେ । ନିର୍ବାକ—ନିଷ୍ପନ୍ଦ । ମୂର୍ଚ୍ଛା ଯିବାର ଉପକ୍ରମ ହେଉଥିଲା ତା’ର । ଭୟାବହ ମୃତ୍ୟୁ ଯେପରି ତାକୁ ଗ୍ରାସ କରିବା ଲାଗି ଘେରି ଆସୁଥିଲା । ଚାରିଆଡ଼ୁ ।

 

ରଞ୍ଜନର ଅବସ୍ଥା ଦେଖି ନାରୀ ମୂର୍ତ୍ତିଟିର ମୁହଁରେ କ୍ଷଣକ ଲାଗି ଫୁଟି ଉଠିଲା ଏକ ପ୍ରକାରର ହସ । ସେଇ ଅନ୍ଧାର ଭିତରେ—ବୁଝି ହେଉଥିଲାନି ସେ ହସ ଭିତରେ କ’ଣ ଥିଲା । କରୁଣା–ନା–ବିଦ୍ରୂପ ।

 

ଧୀରେ ଆଗେଇ ଆସିଲା ନାରୀ ମୂର୍ତ୍ତିଟି । ସୁଟକେଶଟା ଉଠାଇ ନେଲା ତଳୁ । ରଞ୍ଜନର ଶିଥିଳ ହାତଟା ଥରି ଥରି ପ୍ରବେଶ କଲା ପ୍ୟାଣ୍ଟ ପକେଟ ଭିତରେ । ଚିଭଲଭରଟାକୁ ମୁଠେଇ ଧରିବାକୁ ଚେଷ୍ଟାକଲା ରଞ୍ଜନ ।

 

“ମୁଁ ହଜୁରଙ୍କ ବେହେରାର ବିଧବା ପିଇସୀ ହୁଏ ସମ୍ଵନ୍ଧରେ । ସେ ମୋତେ ଏଇଠି ରଖି ଦିନକ ପାଇଁ ଯାଇଚି ଘରକୁ । ଘରେ ବହୁ ତା’ର ବେମାର ।’’

 

“ଓଃ……”

 

ସ୍ଵସ୍ତିର ନିଶ୍ଵାସ ମାରିଲା ରଞ୍ଜନ ।

 

“ମୋର ଘର ଖୋଲି ଲଣ୍ଠନ ଜାଳିଦେ । ବିଛଣାଟା ଝାଡ଼ିଦେ ।’’

 

ବାରଣ୍ତାରେ ପଡ଼ିଥିବା ଗୋଟାଏ ଚେୟାରରେ ବସୁ ବସୁ କହିଲା ରଞ୍ଜନ ।

 

ସ୍ତ୍ରୀଲୋକଟି ରଞ୍ଜନର ଘର ଖୋଲିଲା । ବତୀ ଜାଳିଦେଲା । ବିଛଣଟା ଝାଡ଼ିଝୁଡ଼ି ପାରି ଦେଲା । ତା’ପରେ ଯଥା ସମ୍ଭବ କୋମଳ ସ୍ଵରରେ ପଚାରିଲା ।

 

“କ’ଣ ଖାଇବେ ? ......”

 

“ଗ୍ଲାସେ ଥଣ୍ତାପାଣି ଦେଇଯା । ଆଉ କିଛି ଦରକାର ନାହିଁ ।’’

 

ରଞ୍ଜନ ଚେୟାର ଛାଡ଼ି ଉଠିଲା । ଅତି ଅବସନ୍ନ, କ୍ଳାନ୍ତ ହୋଇ ପଡ଼ିଥିଲା ସେ । ମନ ଭିତରେ ତା’ର ସାଗର ଭଳି ସୀମାହୀନ ଅବସାଦ । ମଥା ଘୂରାଉଥିଲା ତା’ର । ଚାଲିବାର ଶକ୍ତି ପର୍ଯ୍ୟନ୍ତ ହରାଇ ବସିଥିଲା ସେ ।

 

ପ୍ୟାଣ୍ଟ ଆଉ କୋର୍ଟ ଖୋଲି ଫିଙ୍ଗି ଦେଲା ରଞ୍ଜନ । ଜୋତା ଯୋଡ଼ାକ କୌଣସି ମତେ ଖୋଲି ପକାଇ ସେଇମିତି ଅଣ୍ତର ଓଏୟାର ଆଉ ସାର୍ଟ ଦେହରେ ବିଛଣାରେ ଲୋଟି ଗଡ଼ିଲା ସେ-

 

ସ୍ତ୍ରୀ ଲୋକଟି ଗୋଟିଏ କାଚ ଗ୍ଲାସ ଆଣି ଥୋଇଦେଇ ଗଲା ପଲଙ୍କର ମୁଣ୍ତ ପଟକୁ ପଡ଼ିଥିବା ଗୋଟିଏ ଛୋଟ ଟେବୁଲ ଉପରେ । ତା’ପରେ ଇତସ୍ତତ ବିକ୍ଷିପ୍ତ ପ୍ୟାଣ୍ଟ ଆଉ କୋର୍ଟ ଝାଡ଼ିଝୁଡ଼ି ଝୁଲାଇ ଦେଲା ଆଲନା ଦେହରେ ।

 

ଟେବୁଲ ଉପରୁ କାଚଗ୍ଲାସଟା ଉଠାଇ ରଞ୍ଜନ ମୁହଁ ପାଖକୁ ନେଲା । ଗ୍ଲାସଟା ଶୂନ୍ୟ….-। ନାରୀ ମୂର୍ତ୍ତିଟି ଅଟ୍ଟହାସ୍ୟ କରି ଉଠିଲା ଖୁବ୍‍ ଜୋରରେ । ରଞ୍ଜନର ରକ୍ତ ବରଫ ପାଲଟି ଯାଉଥିଲା ସେ ହସରେ । କାଚ ଗ୍ଲାସଟା ତା’ର ଶିଥିଳ ହାତରୁ ଭାର ମୁକ୍ତ କରି ଖସି ପଡ଼ିଲା ଚଟାଣ ଉପରେ । ସଶବ୍ଦେ ଚୂନା ହୋଇଗଲା ଗ୍ଲାସଟା ।

 

ଭିତରଆଡ଼ୁ ଦୁଆର କିଳି ବତୀ ତେଜ କରିଦେଲା ସ୍ତ୍ରୀ ଲୋକଟା ରଞ୍ଜନ ତା ଆଡ଼କୁ ଚାହିଁ ସ୍ତବ୍ଧ ହୋଇଗଲା । କାଳୀ କୁତ୍ସିତ ଏଇ ସ୍ତ୍ରୀ ଲୋକଟିକୁ ସମସ୍ତ ସାହସ ଖଟାଇ ଭଲରୂପେ ନିରୀକ୍ଷଣ କଲା ରଞ୍ଜନ । କିନ୍ତୁ ଏ କ’ଣ… ? କଳା କୁତ୍ସିତ ଆବରଣ ଭିତରେ କାହାର ରୂପ ଏ-? ...ଛଦ୍ମବେଶରେ ବିଜୟା… ?

 

ରଞ୍ଜନ ତା’ର ସମସ୍ତ ଶକ୍ତି ଖଟାଇ ଉଠି ବସିଲା ଖଟ ଉପରେ । ରିଭଲଭର ଉଦ୍ଦେଶ୍ୟରେ ପ୍ୟାଣ୍ଟ ପକେଟ ଅଣ୍ତାଳିଲା । କିନ୍ତୁ ପ୍ୟାଣ୍ଟ ଯେ ନାହିଁ । ଅଣ୍ତର ଓୟାର ପିନ୍ଧି ଶୋଇବାକୁ ଯାଇଥିଲା ସେ ।

 

ବିଜୟା ଆଉଥରେ ଉଚ୍ଚ ଅଟ୍ଟହାସ୍ୟ କରି ଉଠିଲା । ତା’ହାତରେ ଥିବା ରିଭଲଭର ନଳିଟା ରଞ୍ଜନର ମୁଣ୍ତକୁ ଅଭ୍ରାନ୍ତ ଲକ୍ଷ୍ୟରେ ଚାହିଁ ରହିଥିଲା ।

 

ବିମୂଢ଼ ରଞ୍ଜନ ବିସ୍ଫାରିତ ଆଖିରେ ଚାହିଁ ରହିଥିଲା ତା’ରି ଆଡ଼କୁ । ମୃତ୍ୟୁର ଏ ନିଷ୍ଠୁର ଆମନ୍ତ୍ରଣଙ୍କୁ ଉପେକ୍ଷା କଲା ଭଳି ଶକ୍ତି ତା’ର ଆଜି ନାହିଁ ।

 

“ହୀନ ଦସ୍ୟୁ ରଞ୍ଜନ,” ଚମକି ଉଠିଲା ରଞ୍ଜନ । ବିଜୟାର ରିଭଲଭରର ବୁଲେଟ ବୋଧ ହୁଏ ତା’ର କଣ୍ଠ ସ୍ଵର ଠାରୁ କୋମଳ । ବିଜୟା କହି ଚାହିଁଲା—“ଏତେ ସହଜରେ କିନ୍ତୁ ମରିବାକୁ ଦେବିନି ମୁଁ ତୋତେ । ମୋର ଏଇ ରିଭଲଭର ଗୋଟାଏ ବୁଲେଟ ମୁହୂର୍ତ୍ତକେ ତୋତେ ଶେଷ କରି ଦିଅନ୍ତା, କିନ୍ତୁ ତାହା ମୁଁ ସହି ପାରିବି ନାହିଁ । ମରୁଚୁ ବୋଲି ଜାଣି ପାରିବୁ ନି ଯେ ତୁ… ।

 

ମୋର ବାପା ବୋଉ ଆଉ ଅପାକୁ ଘର ଭିତରେ ବନ୍ଦୀ କରି ତୁ ଯେମିତି ପୋଡ଼ି ମାରିଥିଲୁ ଠିକ୍ ସେଇମିତି ମଧ୍ୟ ନୁହଁ, ତା ଠାରୁ ଆହୁରି ଅସହନୀୟ ଜ୍ଵାଳା ଯନ୍ତ୍ରଣା ଭିତରେ ମୁଁ ତୋ ପାଇଁ ଏପରି ବ୍ୟବସ୍ଥା କରି ରଖିଚି, ତୁ ଯେପରି କିଛିଦିନ ବଞ୍ଚି ରହି ନିଜ ଆଖିରେ ଦେଖି ପାରିବୁ ନିଷ୍ଠୁର ମରଣର ସ୍ଵରୂପ । ଦେହରେ ପ୍ରତିଟି ଇନ୍ଦ୍ରିୟ ପ୍ରତିଟି ଶିରା ଉପଶିରା ଦେଇ ଅନୁଭବ କରିବୁ ଭୟାବହ ମୃତ୍ୟୁ ଜ୍ଵାଳା ଚକ୍ଷୁହୀନ, କର୍ଣ୍ଣହୀନ ହୋଇ ବାକ୍‍ଶକ୍ତି ହରାଇ, ବିକଳାଙ୍ଗ ଇନ୍ଦ୍ରିୟର ଅସହ୍ୟ ଅନୁଭୂତି, ସାରା ଅଙ୍ଗରେ ଅସହନୀୟ ଜ୍ଵାଳାଯନ୍ତ୍ରଣା ନେଇ ଏଇଠି ବସି ବସି ମୂର୍ତ୍ତିମନ୍ତ ମରଣର ଭୟାବହ ରୂପ ଦେଖୁ ଦେଖୁ, ଦିନେ ତୁ ଶେଷ ହୋଇଯିବୁ । ଏଠାରୁ କେହି ତୋତେ ଉଦ୍ଧାର କରିବାକୁ ଆସିବେ ନାହିଁ । ପୃଥିବୀର କୌଣସି ଡାକ୍ତର, ଏପରିକି ନିଜେ ଅଶ୍ଵିନୀ କୁମାର ମଧ୍ୟ ତୋତେ ଆରୋଗ୍ୟ କରି ପାରିବେ ନାହିଁ । ଯଦି କେହି ଆସନ୍ତି, ତେବେ ଆସିବେ, ତୁ ଯେଉଁମାନଙ୍କୁ ସେଦିନ ଅଗ୍ନି ସମାଧି ଦେଇଥିଲୁ ସେଇମାନଙ୍କର ପ୍ରେତାତ୍ମା—ତୋର ଏ ଭୟାବହ ମୃତ୍ୟୁ ଉତ୍ସବରେ ତୋତେ ଅଭିନନ୍ଦନ ଜଣାଇବା ପାଇଁ… ।’’

 

ଉଦ୍ୟତ ରିଭଲରର ଆଗରେ ବସି ରଞ୍ଜନ ଶୁଣୁଥିଲା ତା’ର ମୃତ୍ୟୁର ନିର୍ମମ ଆବାହନୀ-। ଅତର୍କିତରେ କି ଗୋଟାଏ ତୀବ୍ର ଏସିଡ଼ର ପୁଆରରେ ଛିଞ୍ଚି ହୋଇଗଲା ତା’ର ସାରା ଦେହଟା-। ସଙ୍ଗେ ସଙ୍ଗେ ଯନ୍ତ୍ରଣାରେ ବିକଟ ଚିତ୍କାର କରି ଉଠିଲା ରଞ୍ଜନ । ନିମିଷକେ ଫୁଟିଗଲା ତା’ର ଆଖି-। ଶ୍ରବଣ ଶକ୍ତି ଲୋପ ହୋଇ ଆସୁଥିଲା ଆସ୍ତେ ଆସ୍ତେ । ତୀବ୍ର ଏସିଡ଼ର ଦହନରେ ଜଳୁ ଥିଲା ତା’ର ସାରା ଦେହ । ଆହତ ପଶୁରାଜ ଭଳି ବିକଟ ଆର୍ତ୍ତ ଚିତ୍କାର କରି ନଖରେ ଚିରି ଟିକ୍ ଟିକ୍ କରି ଦେଉଥିଲା ପଲଙ୍କ ଉପରର ବିଛଣାଟା ।

 

ବିଜୟା ହାତରେ ଗୋଟାଏ ପିଚକାରୀ । ମୁହଁରେ ନିର୍ମମ ଅଟ୍ଟହାସ୍ୟ । ସଂହାରିଣୀ ବିଜୟାର ମୂର୍ତ୍ତି ।

 

ଅଳ୍ପ ସମୟ ପରେ ଉମାଶଙ୍କରଙ୍କର ଛୋଟ ଅଷ୍ଟିନ କାରଟା ତୁଳସୀପୁର ଜମିଦାରଙ୍କ କୋଠି ଗେରଜରୁ ବାହାରି ପକାରାସ୍ତା ଧରି ଛୁଟି ଚାଲିଲା ସହର ଆଡ଼କୁ । ଅନ୍ଧକାର ରାତ୍ରିର ନିସ୍ତବ୍ଧତା ଭଙ୍ଗକରି ବହୁଦୂର ପର୍ଯ୍ୟନ୍ତ ଭାସି ଆସୁଥିଲା ଏକ ଆର୍ତ୍ତ ଚିତ୍କାର… ।

Image